ଜାତୀୟ ଦଳରେ ପ୍ରିୟଙ୍କା, ସ୍ୱାଗତିକା, ସୁକନ୍ୟା

ବାଂଲାଦେଶ-ଏ ବିପକ୍ଷ ଶୃଙ୍ଖଳା ଡିସେମ୍ବର ୨ରୁ

ଭୁବନେଶ୍ୱର: ଓଡ଼ିଆ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ବାଂଲାଦେଶ ବିପକ୍ଷ ସୀମିତ ଓଭର ଶୃଙ୍ଖଳା ପାଇଁ ଭାରତୀୟ ମହିଳା-ଏ ଦଳରେ ସ୍ଥାନ ପାଇଛନ୍ତି। ଆସନ୍ତା ଡିସେମ୍ବର ୨ରୁ ୧୬ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ହୁବ୍‌ଲି ଓ ବେଲ୍‌ଗମ୍‌ରେ ଆୟୋଜିତ ଏହି ଶୃଙ୍ଖଳା ପାଇଁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସୋମବାର ଘୋଷଣା କରିଥିବା ଦଳରେ ଡାହାଣହାତୀ ସ୍ପିନର ପ୍ରିୟଙ୍କାଙ୍କ ସହିତ ଆଉ ଦୁଇ ଜଣ ଓଡ଼ିଆ ମଧ୍ୟ ସାମିଲ ହୋଇଛନ୍ତି। ଏହି ଦୁଇ ଜଣ ହେଲେ ସ୍ୱାଗତିକା ରଥ ଓ ସୁକନ୍ୟା ପରିଡ଼ା। ଅବଶ୍ୟ ଉଭୟ ସ୍ମାଗତିକା ଓ ସୁକନ୍ୟା ଓଡ଼ିଶା କ୍ରିକେଟ୍‌ ସଂଘ ତରଫରୁ ପ୍ରତିନିଧିତ୍ୱ କରୁନାହାନ୍ତି। କେନ୍ଦ୍ରାପଡ଼ା ଝିଅ ସୁକନ୍ୟା ପଶ୍ଚିମବଙ୍ଗରୁ ଖେଳୁଥିଲା ବେଳେ ଯାଜପୁର ଝିଅ ସ୍ମାଗତିକା ତାଙ୍କ କର୍ମସଂସ୍ଥାନ ଭାରତୀୟ ରେଳବାଇ ପକ୍ଷରୁ ଏବେ ଖେଳୁଛନ୍ତି। ପୂର୍ବରୁ ପୂର୍ବାଞ୍ଚଳ ଓ ଅନ୍ତଃଜୋନ୍‌ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପାଇଁ ପ୍ରିୟଙ୍କା ଜାତୀୟ ୧୯ ବର୍ଷରୁ କମ୍‌ ମହିଳା ପ୍ରଶିକ୍ଷଣ ଶିବିର ପାଇଁ ମଧ୍ୟ ମନୋନୀତ ହୋଇଥିଲେ। ଏବେ ଭାରତୀୟ ଦଳରେ ସାମିଲ ହୋଇଥିବାରୁ ଓଡ଼ିଶା କ୍ରିକେଟ୍‌ ସଂଘର କାର୍ଯ୍ୟକାରୀ ସମିତି ଅଧ୍ୟକ୍ଷ ଧୀରେନ ପଲାଇ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଉଭୟ ଭାରତ ଓ ବାଂଲାଦେଶ ‘ଏ’ ଦଳ ଏହି ଶୃଙ୍ଖଳାରେ ୩ ଲେଖାଏଁ ଦିନିକିଆ ଓ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବେ। ଦିନିକିଆ ମ୍ୟାଚ୍‌ ଡିସେମ୍ବର ୨, ୫ ଓ ୭ ତାରିଖରେ ହୁବ୍‌ଲିରେ ଖେଳାଯିବାକୁ ଥିଲା ବେଳେ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ୧୨, ୧୪ ଓ ୧୬ ତାରିଖରେ ବେଲ୍‌ଗମ୍‌ରେ ଖେଳାଯିବ। ତେବେ ପ୍ରିୟଙ୍କା ଓ ସୁକନ୍ୟା ଦିନିକିଆ ଦଳରେ ସାମିଲ ହୋଇଥିଲା ବେଳେ ସ୍ୱାଗତିକାଙ୍କୁ ଟେ୍ଵଣ୍ଟି-୨୦ ଦଳରେ ସ୍ଥାନ ମିଳିଛି। ଅନୁଜା ପାଟିଲ ଉଭୟ ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି। ସୀମିତ ଓଭର ଶୃଙ୍ଖଳା ପୂର୍ବରୁ ଉଭୟ ଦଳ ଚଳିତ ମାସ ୨୬ ଓ ୨୮ ତାରିଖରେ ଅଲୁର୍‌ରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବାର ସୂଚୀ ରହିଛି। ମହିଳା କ୍ରିକେଟ୍‌କୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ବିସିସିଆଇ ତା’ର ଉନ୍ନୟନ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଥମ ଥର ଲାଗି ‘ଏ’ ଦଳକୁ ସାମିଲ କରି ଶୃଙ୍ଖଳା ଆୟୋଜନ କରିଛି।

ସମ୍ବନ୍ଧିତ ଖବର