ଆଜି ପହଞ୍ଚିବ ଭାରତ

ଭୁବନେଶ୍ୱର ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ଲାଗି ୧୮ ଜଣିଆ ଭାରତୀୟ ଦଳ ବୁଧବାର ଅପରାହ୍ନରେ ଭୁବନେଶ୍ୱର ପହଞ୍ଚିବ। ପ୍ରତିଯୋଗିତା ଲାଗି ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ପ୍ରସ୍ତୁତି କରୁଥିବା ଭାରତୀୟ ଖେଳାଳିମାନେ ଆସନ୍ତାକାଲି ଅପରାହ୍ନ ୨ଟା ୫ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ସ୍ଥାନୀୟ ଟ୍ରାଇଡେଣ୍ଟ ହୋଟେଲକୁ ଯିବେ। ଏହି ସମ୍ମାନଜନକ ପ୍ରତିଯୋଗିତା ଅବସରରେ ତିନି ଜଣ ସ୍ଥାନୀୟ ଖେଳାଳି ବୀରେନ୍ଦ୍ର ଲାକ୍ରା, ଦୀପସାନ୍‌ ତିର୍କି ଓ ଅମିତ ରୋହି ଦାସ ମଧ୍ୟ ନିଜ ଯାଦୁ ଦେଖାଇବେ। ଭାରତୀୟ ଦଳ ତା’ର ଅଭିଯାନ ଗତଥରର ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ଡିସେମ୍ବର ପହିଲାରେ ଆରମ୍ଭ କରିବ। ସର୍ଦାର ସିଂହ ଏବଂ ପିଆର ଶ୍ରୀଜେସ୍‌ଙ୍କ ଅନୁପସ୍ଥିତିରେ ଯୁବ ତାରକା ମନପ୍ରୀତ ସିଂ ଦଳର ନେତୃତ୍ୱ ନେବେ।

ଭାରତୀୟ ଦଳ: ଆକାଶ ଅନିଲ ଚିଟ୍‌କେ ଓ ସୁଜର କାର୍‌କେରା (ଗୋଲ୍‌ରକ୍ଷକ), ହର୍‌ମନ୍‌ପ୍ରୀତ୍‌ ସିଂହ, ଅମିତ୍‌ ରୋହିଦାସ, ଦୀପ୍‌ସାନ୍‌ ତିର୍କି, ବରୁଣ କୁମାର, ବୀରେନ୍ଦ୍ର ଲାକ୍ରା ଓ ରୂପୀନ୍ଦର ପାଲ୍‌ ସିଂହ (ରକ୍ଷଣଭାଗ), ମନ୍‌ପ୍ରୀତ୍‌ ସିଂହ (ଅଧିନାୟକ), ଚିଙ୍ଗଲସାନା ସିଂହ (ଉପଅଧିନାୟକ), ଏସ୍‌କେ ଉଥପ୍ପା, ସୁମିତ୍‌, କୋଠାଲଜିତ୍‌ ସିଂହ (ମଧ୍ୟଭାଗ), ଏସ୍‌ଭି ସୁନୀଲ, ଆକାଶଦୀପ୍‌ ସିଂହ, ମନ୍‌ଦୀପ୍‌ ସିଂହ, ଲଲିତ ଉପାଧ୍ୟାୟ ଓ ଗୁର୍‌ଜାନ୍ତ ସିଂହ (ପୂରୋଭାଗ)।

ଆଉ ଅପେକ୍ଷା କରି ହେଉନିି: ବୀରେନ୍ଦ୍ର

ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ଘରୋଇ ପରିବେଶରେ ଖେଳିବାକୁ ଯାଉଥିବାରୁ ଭାରତୀୟ ଦଳର ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ବେଶ୍‌ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ମୁଁ ବହୁତ ରୋମାଞ୍ଚିତ ଅଛି। ଆଗ୍ରହର ସହ ଏହି ପ୍ରତିଯୋଗିତାକୁ ଅପେକ୍ଷା କରିଛି। ଆମେ ମ୍ୟାଚ୍‌ ଦେଖିବାକୁ ବହୁ ନିକଟତମ ବନ୍ଧୁ ଓ ପାରିବାରିକ ବନ୍ଧୁ କଳିଙ୍ଗ ଷ୍ଟାଡିୟମ୍‌ ଆସିବେ ବୋଲି ଆଶା କରୁଛି। ଓଡ଼ିଶାର ଲୋକମାନେ ହକି ପାଇଁ ଏକ ପ୍ରକାର ପାଗଳ। ଭୁବନେଶ୍ୱରରେ ମିଳୁଥିବା ସମର୍ଥନ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଭାରତୀୟ ଦଳ ପାଇଁ ସବୁବେଳେ ସ୍ୱତନ୍ତ୍ର ପଡ଼ିଆ ହୋଇ ରହି ଆସିଛି। ସେହିଭଳି ଭାରତୀୟ ଦଳର ୧୯ ବର୍ଷୀୟ ଓଡ଼ିଆ ସଦସ୍ୟ ଦୀପସାନ୍‌ ତିର୍କି କହିଛନ୍ତି ଯେ କଳିଙ୍ଗ ଷ୍ଟାଡିୟମରେ ଆମେ ବହୁତ ହକି ଇଣ୍ଡିଆ ଲିଗ୍‌ ମ୍ୟାଚ୍‌ ଖେଳିଛୁ। ହେଲେ ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ଏକ ଭିନ୍ନ ଆହ୍ଵାନ ହେବ। ଆମେ ନିଜ ନିଜ ଦାୟିତ୍ୱ ଭଲ ଭାବରେ ଜାଣିଛୁ। ଦଳୀୟ ଯୋଜନାକୁ କାର୍ଯ୍ୟକାରୀ କରିବା ଆମର ପ୍ରଥମ ଲକ୍ଷ୍ୟ ହେବ। ଅନ୍ୟ ପକ୍ଷରେ ଏହି ପ୍ରତିଯୋଗିତାରେ ଭାରତ ନିଶ୍ଚିତ ଭାବେ ଭଲ କରିବ ବୋଲି ଭାରତୀୟ ଦଳର ତୃତୀୟ ତଥା ଅନ୍ୟତମ ଓଡ଼ିଆ ସଦସ୍ୟ ଅମିତ ରୋହି ଦାସ କହିଛନ୍ତି। ସେ କହିଛନ୍ତି ଆମେ ଏହି ପ୍ରତିଯୋଗିତା ଲାଗି କଠିନ ପରିଶ୍ରମ କରିଛୁ। ବେଲଜିୟମ ଏବଂ ଏସିଆ କପ୍‌ରେ ଭଲ କରିଥିବାରୁ ଆମ ମନୋବଳ ବି ଉଚ୍ଚରେ ରହିଛି।

ଟ୍ରାଇଡେଣ୍ଟ୍‌ରେ ଭାରତ, ସ୍ୟାଣ୍ଡି’ସ୍‌ ଟାଓ୍ଵାରରେ ଅଷ୍ଟ୍ରେଲିଆ

ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ଲାଗି ଭାରତୀୟ ହକି ଦଳ ବୁଧବାର ଭୁବନେଶ୍ୱର ପହଞ୍ଚିବ। ସେହିଭଳି ଆର୍ଜେଣ୍ଟିନା, ଜର୍ମାନି ଓ ନେଦରଲାଣ୍ଡ ୨୭ରେ ପହଞ୍ଚିବେ। ଏହାର ପୂର୍ବଦିନ ଅର୍ଥାତ୍‌ ୨୬ ତାରିଖରେ ଅଷ୍ଟ୍ରେଲିଆ, ବେଲଜିୟମ୍‌, ଇଂଲଣ୍ଡ ଭୁବନେଶ୍ୱରରେ ପାଦ ଥାପିବେ। ଅନ୍ୟ ପକ୍ଷରେ ଭାରତ ପହଞ୍ଚିବାର ମାତ୍ର ଦୁଇ ଦିନ ପରେ ଅର୍ଥାତ୍‌ ୨୪ ତାରିଖରେ କୋରିଆ ଦଳ ପହଞ୍ଚି ଏଠାରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବ। ବିଶ୍ୱ ହକି ଲିଗ ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ନଥିବା କୋରିଆ ସ୍ଥାନୀୟ ଦଳ ପୂର୍ବତଟ ରେଳବାଇ ବିପକ୍ଷରେ ଏହି ଦୁଇଟି ମ୍ୟାଚ୍‌ ଖେଳିବ। ଶେଷ ଦଳ ଭାବେ ସ୍ପେନ୍‌ ୨୮ ତାରିଖରେ ଭୁବନେଶ୍ୱରରେ ପାଦ ଥାପିବ। ଏହି ଦଳଗୁଡ଼ିକ ମଧ୍ୟରୁ ଭାରତ ଏବଂ ଜର୍ମାନି ଖେଳାଳି ଟ୍ରାଇଡେଣ୍ଟ ହୋଟେଲରେ ରହିବେ। ସେହିଭଳି ଆର୍ଜେଣ୍ଟିନା, ଇଂଲଣ୍ଡ, ନେଦରଲାଣ୍ଡ ଏବଂ ସ୍ପେନ୍‌ ଭଳି ଚାରିଟି ଦଳ ମେ ଫେୟାରରେ ଅବସ୍ଥାନ କରିବେ। ଗତ ଥରର ବିଜେତା ଅଷ୍ଟ୍ରେଲିଆ, ବେଲଜିୟମ ସ୍ୟାଣ୍ଡି’ସ୍‌ ଟାଓ୍ଵାର ହୋଟେଲ ଏବଂ ଅଭ୍ୟାସ ମ୍ୟାଚ୍‌ ଖେଳିବାକୁ ଆସୁଥିବା କୋରିଆ ସ୍ୱସ୍ତି ପ୍ରିମିୟମ୍‌ରେ ରହିବ।

ସମ୍ବନ୍ଧିତ ଖବର