ସରୋଜ ମହାସୁଆର ସମ୍ମାନ: ରଘୁନାଥ ଶ୍ରେଷ୍ଠ ଯୁବ କ୍ରିକେଟର୍‌, ନିର୍ମଳ ଶ୍ରେଷ୍ଠ ଅମ୍ପାୟାର୍‌

ଭୁବନେଶ୍ୱର: ଉଦିତ ଯୁବ ବ୍ୟାଟ୍‌ସମ୍ୟାନ୍‌ ରଘୁନାଥ ମଲ୍ଲ ଏବଂ ଅଭିଜ୍ଞ ଅମ୍ପାୟାର୍‌ ନିର୍ମଳ କୁମାର ମିଶ୍ରଙ୍କୁ ଚଳିତ ବର୍ଷର ‘ସରୋଜ ମହାସୁଆର ସ୍ମ୍‌ୃତି ସମ୍ମାନ’ ପ୍ରଦାନ କରାଯିବ। ୧୫ ବର୍ଷ ଧରି ପ୍ରଦାନ କରାଯାଉଥିବା ଏହି ସମ୍ମାନର ଯୁବ କ୍ରିକେଟର୍‌ ବର୍ଗ ଲାଗି ରଘୁନାଥ ଏବଂ ଶ୍ରେଷ୍ଠ ଅମ୍ପାୟାର୍‌ ଭାବେ ନିର୍ମଳଙ୍କୁ ମନୋନୀତ କରାଯାଇଛି। ସରୋଜ ମହାସୁଆର ସ୍ମୃତି କମିଟି ଏବଂ କିଛି ବରିଷ୍ଠ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ପୁରସ୍କାର କମିଟି ଉପରୋକ୍ତ ଦୁଇ ଜଣଙ୍କ ନାମକୁ ମନୋନୀତ କରିଥିଲେ। ସେପ୍ଟେମ୍ବର ୬ ତାରିଖ (ଗୁରୁବାର) ସରୋଜ ବାବୁଙ୍କ ଷୋଡ଼ଶ ଶ୍ରାଦ୍ଧଦିବସରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍‌ କ୍ଲବ୍‌ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ସ୍ମୃତି କମିଟି ଆବାହକ ମନୋଜ ମହାପାତ୍ର ଜଣାଇଛନ୍ତି।

ଭାରତୀୟ ଯୁବ ଦଳର ଦ୍ୱାର ଦେଶରେ ପହଞ୍ଚିଥିବା ରଘୁନାଥ ୨୦୧୩-୧୪ ଋତୁରୁ ଓଡ଼ିଶା ପାଇଁ ଘରୋଇ କ୍ରିକେଟ୍‌ ଖେଳୁଛନ୍ତି। କିନ୍ତୁ ରାଜ୍ୟର ଏକମାତ୍ର ଖେଳାଳି ଭାବେ ଲଗାତାର ୪ ବର୍ଷ ପୂର୍ବାଞ୍ଚଳ ଆଞ୍ଚଳିକ କ୍ରିକେଟ ଏକାଡେମି (ଜେଡ୍‌ସିଏ) ଲାଗି ମନୋନୀତ ହୋଇଛନ୍ତି। ନିଜ ଖେଳ ଜୀବନରେ ଅନ୍ୟୁନ ପ୍ରତି ଋତୁରେ ଶତକ ହାସଲ କରୁଥିବା ରଘୁନାଥ ଗତ ବର୍ଷ କୁଚ୍‌ ବେହାର ଟ୍ରଫିରେ ଓଡ଼ିଶା ଦଳର ନେତୃତ୍ୱ ନେବା ସହିତ ମୋଟ ୪୯୨ ରନ୍‌ ସଂଗ୍ରହ କରିଥିଲେ। ତାମିଲନାଡୁ ବିପକ୍ଷରେ ୧୭୫, ସୌରାଷ୍ଟ୍ର ବିପକ୍ଷରେ ୧୧୦* ଓ ୬୮* ରନ୍‌ ସବୁଠାରୁ ଉଲ୍ଲେଖନୀୟ ଥିଲା। ହିମାଚଳ ପ୍ରଦେଶର ଉନ୍ନାଠାରେ ଜୋନାଲ୍‌ ପ୍ରତିଯୋଗିତାରେ ପୂର୍ବାଞ୍ଚଳ ପାଇଁ ଶକ୍ତିଶାଳୀ ଉତ୍ତରାଞ୍ଚଳ ବିପକ୍ଷରେ ୧୩୦, ଉତ୍ତରପୂର୍ବାଞ୍ଚଳ ବିପକ୍ଷରେ ୧୨୬ ରନ୍‌ କରିବା ସହିତ ସର୍ବୋଚ୍ଚ ରନ୍‌ ସଂଗ୍ରହକାରୀ ଭାବେ ବାଙ୍ଗାଲୋର୍‌ସ୍ଥିତ ଜାତୀୟ କି୍ରିକେଟ୍‌ ଏକାଡେମିକୁ ଡାକରା ପାଇଥିଲେ। ତେବେ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଲାଗି ଘୋଷିତ ଦଳରୁ ସେ ଅଳ୍ପକେ ବଞ୍ଚିତ ହୋଇଥିଲେ। ପୂର୍ବରୁ ୨୦୧୬-୧୭ ଋତୁରେ ମଧ୍ୟ ଓଡ଼ିଶାର ଉପ ଅଧିନାୟକ ଭାବେ ଧୃବ ପାଣ୍ଡବ ଟ୍ରଫିରେ ପ୍ରତିନିଧିତ୍ୱ କରିଥିଲେ। ସେହି ଋତୁରେ ତାଙ୍କ ବ୍ୟାଟ୍‌ରୁ ୨ ଶତକ ଏବଂ ଗୋଟିଏ ୯୯* ରନ୍‌ ମିଳିଥିଲା। କେନ୍ଦ୍ରାପଡ଼ାର ନେତୁଆ ନିବାସୀ ନିର୍ମଳ ଚନ୍ଦ୍ର ଏବଂ ସରୋଜବାଳା ମଲ୍ଲଙ୍କ ପୁତ୍ର ରଘୁନାଥ ଭୁବନେଶ୍ୱର ପ୍ରଗତି ସ୍ପୋର୍ଟିଂରେ ଏବେ ପ୍ରଶିକ୍ଷକ କିଶୋର ମାଣିଆ ଏବଂ ଟୁନା ସାହୁଙ୍କ ମାର୍ଗଦର୍ଶନରେ ଖେଳ ଜୀବନ ଗଢ଼ିଛନ୍ତି। ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ କ୍ରିକେଟ୍‌ ଅମ୍ପାୟାରିଂକୁ ନୂଆ ସ୍ତରକୁ ନେଇଥିବା ନିର୍ମଳ କୁମାର ମିଶ୍ର ବୃତ୍ତିରେ ଶିକ୍ଷକତା କରନ୍ତି। ୨୦୦୬ରେ ଓସିଏ ପ୍ୟାନେଲ୍‌ ଅମ୍ପାୟାର ହେବା ପୂର୍ବରୁ ସେ ୨୦୦୨ରେ ରାଜ୍ୟ ପ୍ୟାନେଲ୍‌ ଫୁଟ୍‌ବଲ୍‌ ରେଫରି ଭାବେ ନିଜକୁ ପ୍ରତିଷ୍ଠା କରିଥିଲେ। ଖେଳ ଲେଖକ ଭାବେ ବିଶେଷ ଖ୍ୟାତି ଆଣିଥିବା ନିର୍ମଳ କ୍ଲବ୍‌ କ୍ରିକେଟ୍‌ଠାରୁ ଆରମ୍ଭ କରି ପୂର୍ବାଞ୍ଚଳ, ବିଶ୍ୱବିଦ୍ୟାଳୟ, ସର୍ବଭାରତୀୟ କ୍ରିକେଟ୍‌ ପ୍ରତିଯୋଗିତା, ଅନ୍ତଃଜିଲ୍ଲା କଳାହାଣ୍ଡି କପ୍‌, ଓଡ଼ିଶା ପ୍ରିମିୟର୍‌ ଲିଗ୍‌, କିଟ୍‌ ପ୍ରିମିୟର୍‌ ଲିଗ୍‌, ହାଇଟେକ୍‌ ପ୍ରିମିିୟର୍‌ ଲିଗ୍‌, ଆପୋଲୋ କପ୍‌, ରାଜ୍ୟ ମହିଳା ପ୍ରତିଯୋଗିତା, ଜୋନାଲ୍‌ ଏକାଡେମି ଟ୍ରାଏଲ୍‌ସ ଆଦିର ସୁଚାରୁ ପରିଚାଳନାରେ ଲମ୍ବା ତାଲିକା ରଖିଛନ୍ତି। ନିମାପଡ଼ା ଅଣ୍ଢିଆ ଶାସନରେ ରହୁଥିଲେ ମଧ୍ୟ ନିର୍ମଳ ମିଶ୍ର ନିୟମିତ ଭାବେ ଭୁବନେଶ୍ୱର ଓ କଟକରେ ମ୍ୟାଚ୍‌ ପରିଚାଳନା କରିବା ଖେଳ ପ୍ରତି ତାଙ୍କ ଭଲ ପାଇବାର ପ୍ରମାଣ ଦେଇଛି। କ୍ରିକେଟ୍‌ର ନିୟମ୍‌ ସମ୍ପର୍କରେ ଅଗାଧ ଜ୍ଞାନ ରଖିଥିବା ନିର୍ମଳ ଜଣେ ନିର୍ମଳ, ନିର୍ବିବାଦୀୟ, ସ୍ପଷ୍ଟବାଦୀ ଅମ୍ପାୟାର ଭାବେ ଆୟୋଜକ ଓ ପ୍ରଶଂସକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି।

ସୂଚନାଯୋଗ୍ୟ, ଶ୍ରେଷ୍ଠ ଯୁବ କ୍ରିକେଟ୍‌ର ପୁରସ୍କାରକୁ ପୂର୍ବରୁ ୨୦୦୪ରେ ଦୀପକ ମଙ୍ଗରାଜ, ୨୦୦୫ରେ ପରେଶ ପଟେଲ, ୨୦୦୬ରେ ଆତିଶ ଜେନା, ୨୦୦୭ରେ ଆଲୋକ ସାହୁ-ଆଲୋକ ମଙ୍ଗରାଜ, ୨୦୦୮ରେ ହଳଧର ଦାସ, ୨୦୦୯ରେ ବସନ୍ତ ମହାନ୍ତି, ୨୦୧୦ରେ ନଟରାଜ ବେହେରା, ୨୦୧୧ରେ ସୌମେନ୍ଦ୍ର ଦାସ, ୨୦୧୨ରେ ମାଧୁରୀ ମେହେଟା, ୨୦୧୩ରେ ରୋସନାରା ପରବିନ୍‌, ୨୦୧୪ରେ ସ୍ୱାଗତିକା ରଥ, ୨୦୧୫ରେ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ, ୨୦୧୬ରେ ରଂଜିତ ସିଂହ, ୨୦୧୭ରେ ପ୍ରୀତ୍‌ ସିଂହ କଁଓ୍ଵରଙ୍କୁ ପ୍ରଦାନ କରାଯାଇଥିଲା। ସେହିଭଳି ଶ୍ରେଷ୍ଠ ଅମ୍ପାୟାର ପୁରସ୍କାରକୁ ବିଗତ ବର୍ଷ ଗୁଡିକରେ ଅରୁଣ କୁମାର ବାସା, ସୁବ୍ରତ ଦାସ, ମାରିଓ ଫ୍ରାନସିସ୍‌, ବିଭୂ ଶତପଥୀ, ପରାସର ବିଶ୍ୱାଳ, ଚଣ୍ଡୀପ୍ରସନ୍ନ ମହାପାତ୍ର, ଅସିତ ପଟ୍ଟନାୟକ, ପବିତ୍ର ପ୍ରଧାନ, ଶରତ କୁମାର ସାହୁ ପାଇଥିଲେ। ସୂଚନାଯୋଗ୍ୟ, ଜଣାଶୁଣା ଅମ୍ପାୟାର ସରୋଜ ମହାସୁଆର ୨୦୦୨ ମସିହାରେ କଟକରେ ଅନ୍ତଃଜିଲା ପ୍ରତିଯୋଗିତାର ଏକ ମ୍ୟାଚ୍‌ ପରିଚାଳନା କରି ଭୁବନେଶ୍ୱର ଫେରୁଥିବା ବେଳେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର