ବନ୍ଧୁକ ଚାଳନାରେ ନୂଆ ଅଧ୍ୟାୟ : ସ୍ୱର୍ଣ୍ଣ ଜିତିବାରେ ରାହି ପ୍ରଥମ ମହିଳା

ଜାକର୍ତା/ପାଲେମବାଙ୍ଗ : ଭାରତୀୟ ବନ୍ଧୁକ ଚାଳନା ଇତିହାସରେ ବୁଧବାର ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ରାହି ସର୍ନୋବତ୍‌ ଦେଶର ପ୍ରଥମ ମହିଳା ସୁଟର ହୋଇଛନ୍ତି। ଅଷ୍ଟାଦଶ ଏସୀୟ କ୍ରୀଡ଼ାର ୨୫ ମିଟର ଏୟାର ପିସ୍ତଲରେ ରାହି ଏହି ଐତିହାସିକ ସଫଳତା ଲାଭ କରିଛନ୍ତି। ୨୭ ବର୍ଷୀୟା ମହାରାଷ୍ଟ୍ର ସୁଟର ରାହି ଉତ୍କଣ୍ଠାପୂର୍ଣ୍ଣ ଟାଇବ୍ରେକରରେ ଥାଇଲାଣ୍ଡର ନଫାସ୍ୱାନ୍‌ ୟାଙ୍ଗପାଇବୁନଙ୍କୁ ୩-୨ରେ ହରାଇ ସ୍ୱର୍ଣ୍ଣିମ ସଫଳତା ପାଇଥିଲେ।

ଆଜି ନିର୍ଧାରିତ ପ୍ରଥମ ପାଞ୍ଚଟି ସଟ୍‌ ପରେ ରାହି ଓ ନଫାସ୍ୱାନ୍‌ି ପ୍ରତ୍ୟେକ ୩୪ ପଏଣ୍ଟ୍‌ରେ ରହିଥିଲେ। ଫଳରେ ବିଜେତା ନିର୍ଣ୍ଣୟ ପାଇଁ ସୁଟ୍‌ ଅଫ୍‌ର ସହାୟତା ନିଆଯାଇଥିଲା। ଏଥିରେ ମଧ୍ୟ ଉଭୟ ୫ଟିରୁ ୪ଟି ଲେଖାଏଁ ଲକ୍ଷ୍ୟ ସାଧନ କରିଥିଲେ। ଏହାପରେ ଦ୍ୱିତୀୟ ସୁଟ୍‌ ଅଫ୍‌ ହୋଇଥିଲା। ଏବଂ ଏଥିରେ ହିଁ ରାହି ବାଜି ମାରି ନେଇଥିଲେ। ସେ ତିିନିଟି ସଫଳ ସଟ୍‌ ମାରିଥିଲା ବେଳେ ନଫାସ୍ୱାନ୍‌ ମାତ୍ର ଦୁଇଟି ସଟ୍‌ରେ ସଫଳ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। କାଂସ୍ୟ ପଦକ ଦକ୍ଷିଣ କୋରିଆର କିମ୍‌ ମିନଜୁଙ୍ଗଙ୍କ ଖାତାକୁ ଯାଇଥିଲା। ସୌରଭ ଚୌଧୁରୀଙ୍କ ପରେ ଚଳିତ ଏସୀୟ କ୍ରୀଡ଼ାର ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତିବାରେ ରାହି ଦ୍ୱିତୀୟ ଏବଂ ସଂପୂର୍ଣ୍ଣ ଏସୀୟ କ୍ରୀଡ଼ା ଇତିହାସରେ ଷଷ୍ଠ ଭାରତୀୟ ହୋଇଥିଲେ।

ମଙ୍ଗଳବାର ଭଳି ବୁଧବାର ମଧ୍ୟ ପାଞ୍ଚଟି ପଦକ ଜିତିଥିଲା। ଆଜିର ପାଞ୍ଚ ପଦକ ପରେ ଭାରତର ମୋଟ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି। ସେଥିମଧ୍ୟରେ ରହିଛି ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୮ କାଂସ୍ୟ। ସେହିଭଳି ମହିଳା ଏକକ ଟେନିସ୍‌ରେ ଅଙ୍କିତା ରାଇନା ଏବଂ ପୁରୁଷ ଯୁଗଳରେ ରୋହନ ବୋପାନ୍ନା ଓ ଦିଭିଜ ସରଣ ପଦକ ପକ୍କା କରିଛନ୍ତି। ଲାଇଟେଓ୍ଵଟ୍‌ ଡବଲ ସ୍କଲ୍‌ରେ ଭାରତୀୟ ନୌ ଚାଳନା ଦଳ ଫାଇନାଲକୁ ଯାଇଛି।

ହକି: ହଂକଂକୁ ୨୬ ଗୋଲ୍‌ ଦେଲା ଭାରତ

ଭାରତୀୟ ହକି ଦଳ ଗୋଲ୍‌ ବର୍ଷା କରି ହଂକଂକୁ ୨୬-୦ରେ ହରାଇ ୮୬ ବର୍ଷ ତଳର କୀର୍ତ୍ତିମାନ ଭାଙ୍ଗିଥିଲା। ଏହା ମଧ୍ୟ ଭାରତୀୟ ଦଳର ସର୍ବବୃହତ୍‌ ଅନ୍ତର୍ଜାତୀୟ ବିଜୟ ଥିଲା। ଭାରତ ଏହି କ୍ରମରେ ୧୯୩୨ରେ ଆମେରିକାକୁ ୨୪-୧ରେ ହରାଇବାର ସଫଳତାକୁ ଟପିଥିଲା। ସେହିଭଳି ଉଷୁରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏସୀୟ କ୍ରୀଡ଼ା ଇତିହାସର ସର୍ବାଧିକ ଚାରିଟି କାଂସ୍ୟ ଜିତି ନେଇଥିଲା।

ସମ୍ବନ୍ଧିତ ଖବର