ପରୀକ୍ଷାନିରୀକ୍ଷା ଜାରି ରହିବ: ଶାସ୍ତ୍ରୀ

ପୋର୍ଟ ଅଫ୍ ସ୍ପେନ୍: ଦ୍ବିତୀୟ ଥର ପାଇଁ ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ଭାରତୀୟ ଦଳ ପାଇଁ ସେ କରିଥିବା ଭବିଷ୍ୟତ ଯୋଜନା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ରବି ଶାସ୍ତ୍ରୀ। ତାଙ୍କର ପ୍ରାଥମିକ ଲକ୍ଷ୍ୟ ଯୁବ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ହେବ ବୋଲି ଶାସ୍ତ୍ରୀ କହିଛନ୍ତି। ସେହିଭଳି ଦଳ ଭିତରେ ପୂର୍ବବତ୍ ପରୀକ୍ଷାନିରୀକ୍ଷା ଜାରି ରହିବ ବୋଲି ମଧ୍ୟ ସେ ସ୍ପଷ୍ଟ କରି ଦେଇଛନ୍ତି। ୫୭ ବର୍ଷୀୟ ଶାସ୍ତ୍ରୀ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ବହୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ। ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଦାୟିତ୍ବ ଯେମିତି ସୁରୁଖୁରୁରେ ହସ୍ତାନ୍ତର ହୁଏ, ସେ ଦିଗରେ ମୁଁ ବିଶେଷ ଧ୍ୟାନ ଦେବି। ସୀମିତ ଓଭର କ୍ରିକେଟ୍‌ରେ ଏକ ବଳିଷ୍ଠ ଦଳ ଗଠନ ଉପରେ ମୋର ଅଧିକ ଜୋର ରହିବ। ଟେଷ୍ଟ ମ୍ୟାଚ୍ ପାଇଁ ମଧ୍ୟ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବ। ଆମକୁ ଆଉ ୩-୪ ଜଣ ଭଲ ବୋଲର ଚିହ୍ନଟ କରିବାକୁ ହେବ। ଆସନ୍ତା ୨୬ ମାସ ପରେ ଯେତେବେଳେ ମୋ କାର୍ଯ୍ୟକାଳ ସରିବ, ସେତେବେଳେ ଦଳରେ ଖୁସିର ବାତାବରଣ ଥିଲେ ବ୍ୟକ୍ତିଗତ ଭାବେ ମୁଁ ଆନନ୍ଦିତ ହେବି। ଏହି ଧାରା ଯେମିତି ଆଗକୁ ଜାରି ରହିବ, ସେ ବ୍ୟବସ୍ଥା ବି ଆମକୁ କରିବାକୁ ହେବ। ଦଳରେ ଏବେବି କେତେକ ଦିଗରେ ଉନ୍ନତି କରିବାର ଆବଶ୍ୟକତା ଅଛି ବୋଲି ଶାସ୍ତ୍ରୀ ସ୍ବୀକାର କରିଛନ୍ତି।

ସହକାରୀ ପ୍ରଶିକ୍ଷକ ବାଛିବାର ଦାୟିତ୍ବ ସିଏସିକୁ ମିଳୁ: କପିଳ
ମୁଖ୍ୟ ପ୍ରଶିକ୍ଷକ ବାଛି ସାରିବା ପରେ ମହାନ ଖେଳାଳି କପିଳ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ କ୍ରିକେଟ୍ ପରାମର୍ଶଦାତା ସମିତି (ସିଏସି) ଭାରତୀୟ କ୍ରିକେଟ୍‌ ଦଳର ସହକାରୀ ପ୍ରଶିକ୍ଷକ ନିଯୁକ୍ତି ଉପରେ ଆଖି ପକାଇଛି। ମୁଖ୍ୟ ପ୍ରଶିକ୍ଷକ ଭଳି ସହକାରୀ ପ୍ରଶିକ୍ଷକ ନିଯୁକ୍ତି ଦାୟିତ୍ବ ମଧ୍ୟ ସିଏସିକୁ ମିଳୁ ବୋଲି କପିଳ ଦାବି କରିଛନ୍ତି। ସେ କହିଛନ୍ତି ସହକାରୀ ପ୍ରଶିକ୍ଷକ ନିଯୁକ୍ତି ନେଇ ଆମେ ବିସିସିଆଇକୁ କେତେକ ପ୍ରସ୍ତାବ ଦେଇଛୁ। ଯଦି ଆମେ ସେହି କାମ ନ କରିବାକୁ, ଏହା ଠିକ୍ ହେବ ନାହିଁ। ଆମେ ସହକାରୀ ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟାର ଅଂଶବିଶେଷ ହେବାକୁ ଚାହୁଁ ବୋଲି ବିସିସିଆଇକୁ ଜଣାଇ ଦେଇଛୁ। ଶେଷ ନିଷ୍ପତ୍ତି କିନ୍ତୁ ବିସିସିଆଇ ନେବ। ସୂଚନାଯୋଗ୍ୟ ଯେ ସହକାରୀ ପ୍ରଶିକ୍ଷକ ନିଯୁକ୍ତି ଲାଗି ସାକ୍ଷାତକାର ପ୍ରକ୍ରିୟା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ତେବେ ସହକାରୀ ପ୍ରଶିକ୍ଷକ ନିଯୁକ୍ତିି କ୍ଷେତ୍ରରେ ସିଏସିକୁ ଦାୟିତ୍ବ ମିଳିବା ଦାବିକୁ ବିସିସିଆଇ ପ୍ରତ୍ୟାଖ୍ୟାନ କରିଦେଇଛି।

ସମ୍ବନ୍ଧିତ ଖବର