ଜୟପୁର: ଆଇପିଏଲ୍ର ଚଳିତ ଦ୍ବାଦଶ ସଂସ୍କରଣରେ ବିରାଟ କୋହଲିଙ୍କ ନିରାଶା ଜାରି ରହିଛି। ଦଳଗତ ଭାବେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ସଂଘର୍ଷ କରୁଥିବା ବେଳେ ମଙ୍ଗଳବାର ଚତୁର୍ଥ ପରାଜୟ ବରଣ କରିଛି। ନିଜ ନିଜ ପୂର୍ବ ମ୍ୟାଚ୍ରେ ହ୍ୟାଟ୍ରିକ୍ ପରାଜୟ ବରଣ କରିଥିବା ଦଳ ମଧ୍ୟରେ ହୋଇଥିବା ଏହି ମୁକାବିଲାରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍କୁ ଅଜିଙ୍କ୍ୟ ରାହାଣେଙ୍କ ରାଜସ୍ଥାନ ରୟାଲ୍ସ ୭ ୱିକେଟ୍ରେ ହରାଇ ଦେଇଛି। ଏଥି ସହିତ ଘରୋଇ ପରିବେଶରୁ ରୟାଲ୍ସର ବହୁ ପ୍ରତୀକ୍ଷିତ ବିଜୟ ଅଭିଯାନ ଆରମ୍ଭ ହୋଇଛି।
ଗୁରୁବାର ଜୟପୁରର ସବାଇ ମାନସିଂହ ଷ୍ଟାଡିୟମ୍ରେ ଟସ୍ ଜିତି ବ୍ୟାଟିଂ ପାଇଁ ଆମନ୍ତ୍ରିତ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ମଧ୍ୟ ବଡ଼ ସ୍କୋର୍ କରିପାରିନଥିଲା। ବିରାଟ କୋହଲି (୨୩, ୨୫ ବଲ୍, ୩ ଚୌକା) ତାଙ୍କ ସ୍ବାଭାବିକ ଟ୍ବେଣ୍ଟି-୨୦ ପାଳି ଖେଳି ନ ପାରି ବଲ୍ ପିଛା ରନ୍ କରିଥିଲେ। ଏବି ଡି’ଭିଲିୟର୍ସ (୧୩, ୯ ବଲ୍, ୨ ଚୌକା) ଏବଂ ସିମରନ୍ ହେଟମେୟର (୧, ୯ ବଲ୍) ସ୍ପିନରଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ଏହି ୩ ଜଣଙ୍କୁ ପ୍ୟାଭିଲିଅନ୍ ରାସ୍ତା ଦେଖାଇ ଦେଇଥିଲେ କର୍ଣ୍ଣାଟକୀ ଲେଗ୍ ସ୍ପିନର୍ ଶ୍ରେୟସ ଗୋପାଳ। ଏଥି ସହିତ ଗୋପାଳ ମଧ୍ୟ ଚମତ୍କାର ବୋଲିଂ ଚିତ୍ର (୪-୧-୧୨-୩) ପାଇଥିଲେ। ଗତବର୍ଷ ଏବି ଡି’ଭିଲିୟର୍ସଙ୍କୁ ଦୁଇ ଥର ଏବଂ କୋହଲିଙ୍କୁ ଥରେ ଆଉଟ୍ କରିଥିବା ଗୋପାଳ ଏଥର ଗୋଟିଏ ମ୍ୟାଚ୍ରେ ଉଭୟଙ୍କ ୱିକେଟ୍ ନେବା ତାଙ୍କ ଦକ୍ଷତାର କାହାଣୀକୁ ଆଗକୁ ନେଇଛି। ମଙ୍ଗଳବାର କିନ୍ତୁ ପାର୍ଥିବ ପଟେଲ୍ (୬୭, ୪୧ ବଲ୍, ୯ ଚୌକା, ୧ ଛକା) ଭଲ ପାଳି ଖେଳିବାରୁ ବାଙ୍ଗାଲୋର୍ ସମ୍ମାନଜନକ ୧୫୮ ରନ୍ କରିପାରିଥିଲା। ଅଷ୍ଟ୍ରେଲିଆ ଦାୟିତ୍ବ ଶେଷ ହେବା ପରେ ପ୍ରଥମ ମ୍ୟାଚ୍ ଖେଳିଥିବା ମାର୍କସ ଷ୍ଟୋଇନିସ୍ (୩୧*, ୨୮ ବଲ୍, ୨ ଚୌକା, ୧ ଛକା) ଏବଂ ନିମ୍ନକ୍ରମରେ ଆସିଥିବା ଇଂଲଣ୍ଡ ଅଲରାଉଣ୍ଡର୍ ମୋଇନ୍ ଅଲୀ (୧୮*, ୯ ବଲ୍, ୨ ଚୌକା, ୧ ଛକା) ଦଳକୁ ସହାୟକ ହୋଇଥିଲେ। ଷ୍ଟୁଆର୍ଟ ବିନ୍ନି ଏବଂ ବରୁଣ ଆରୋନଙ୍କୁ ଚଳିତ ଋତୁରେ ପ୍ରଥମ ଥର ଖେଳାଇଥିବା ରୟାଲ୍ସ ୭ ଜଣ ବୋଲରଙ୍କ ଜରିଆରେ ବୋଲିଂ କରି ବାଙ୍ଗାଲୋରକୁ ରୋକିବାରେ ସକ୍ଷମ ହୋଇଥିଲା।
ଜବାବରେ ଅଜିଙ୍କ୍ୟ ରାହାଣେ ଏବଂ ଜୋସ୍ ବଟଲର୍ ରାଜସ୍ଥାନକୁ ବଢ଼ିଆ ଆରମ୍ଭ ଦେଇଥିଲେ। ପାୱାର ପ୍ଳେରୁ ବିନା କ୍ଷତିରେ ୫୫ ରନ୍ ଆଦାୟ କରିବା ପରେ ଅଷ୍ଟମ ଓଭରରେ ୬୦ ରନ୍ରେ ଉଭୟ ଅଲଗା ହୋଇଥିଲେ। ରାହାଣେ ୨୦ ବଲରୁ ୪ ଚୌକା ସହାୟତାରେ ୨୨ ରନ୍ ଏବଂ ବଟଲର୍ ୪୩ ବଲରୁ ୮ ଚୌକା, ୧ ଛକା ସହାୟତାରେ ୫୯ ରନ୍ କରିଥିଲେ। ଉଭୟଙ୍କ ୱିକେଟ୍ ନେଇଥିଲେ ୟୁଜବେନ୍ଦ୍ର ଚହଲ। ଏହା ପରେ ଷ୍ଟିଭେନ୍ ସ୍ମିଥ୍ (୩୮, ୩୧ ବଲ, ୨ ଚୌକା, ୧ ଛକା) ଏବଂ ରାହୁଲ ତ୍ରିପାଠୀ (୩୪*, ୨୩ ବଲ, ୩ ଚୌକା, ୧ ଛକା)ଙ୍କ ପାଳି ଯଥେଷ୍ଟ ହୋଇଥିଲା। ଉମେଶ ଯାଦବଙ୍କୁ ଛକା ମାରି ରାହୁଲ ତ୍ରିପାଠୀ ମ୍ୟାଚ୍ ଶେଷ କରିଥିଲେ। ତଥାପି ବାଙ୍ଗାଲୋର୍ ବୋଲର ମାତ୍ର ଗୋଟିଏ ବଲ୍ ପୂର୍ବରୁ ହାରିବାରେ ସନ୍ତୁଷ୍ଟ ରହିଥିଲେ। ଚମତ୍କାର ବୋଲିଂ ପାଇଁ ଶ୍ରେୟସ୍ ଗୋପାଳ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିେବଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୨୦ ଓଭରରେ ୧୫୮/୪ (ପାର୍ଥିବ ପଟେଲ୍-୬୭, ବିରାଟ କୋହଲି-୨୩, ମାର୍କସ ଷ୍ଟୋଇନିସ-୩୧*, ମୋଇନ୍ ଅଲୀ-୧୮*, ଶ୍ରେୟସ ଗୋପାଳ-୩/୧୨, ଜୋଫ୍ରା ଆର୍ଚର-୧/୪୭)। ରାଜସ୍ଥାନ ରୟାଲ୍ସ ୧୯.୫ ଓଭରରେ ୧୬୪/୩ (ଜୋସ୍ ବଟଲର୍-୫୯, ଅଜିଙ୍କ୍ୟ ରାହାଣେ-୨୨, ଷ୍ଟିଭେନ୍ ସ୍ମିଥ୍-୩୮, ରାହୁଲ ତ୍ରିପାଠୀ-୩୪*, ୟୁଜବେନ୍ଦ୍ର ଚହଲ-୨/୧୭, ମହମ୍ମଦ ସିରାଜ-୧/୨୫)।
Sambad is now on WhatsApp
Join and get latest news updates delivered to you via WhatsApp
ମାଲିଙ୍ଗା ପୁଣି ମୋଡି ହେଲେ
ମୁମ୍ବାଇ, : ବିଳମ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇଥିବା ସିଂହଳୀ ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା ପୁଣି ମୁହଁ ମୋଡ଼ିଛନ୍ତି। ଆଇପିଏଲ୍ ଛାଡ଼ି ସେ ପୁଣି ଶ୍ରୀଲଙ୍କାର ଘରୋଇ କ୍ରିକେଟ୍ ଖେଳିବାକୁ ଯାଉଛନ୍ତି। ମୁମ୍ବାଇ ପାଇଁ ସମସ୍ତ ମ୍ୟାଚ୍ ଖେଳିବେ ବୋଲି ଶ୍ରୀଲଙ୍କା କ୍ରିକେ୍ଟ ବୋର୍ଡ ତାଙ୍କୁ ଛାଡ଼ି ଦେଇଥିଲେ ମଧ୍ୟ ବୁଧବାର ସେ ସ୍ବଦେଶ ଫେରିଯାଉଛନ୍ତି। ଏପ୍ରିଲ୍ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୪ ଦଳୀୟ ସୁପର୍ ପ୍ରଭିନସିଆଲ୍ ଦିନିକିଆ ପ୍ରତିଯୋଗିତାରେ ସେ ଗଲ୍ ଦଳର ନେତୃତ୍ବ ନେବେ। ମାଲିଙ୍ଗା ଆସନ୍ତାକାଲି (ବୁଧବାର) ପହଞ୍ଚୁଛନ୍ତି ବୋଲି କହିଛନ୍ତି ଶ୍ରୀଲଙ୍କା ଜାତୀୟ ଦଳର ମୁଖ୍ୟ ଚୟନକର୍ତା ଅଶାନ୍ତ ଡି’ ମେଲ୍। ଶ୍ରୀଲଙ୍କାର ଏହି ପ୍ରତିଯୋଗିତାକୁ ବିଶ୍ବକପ୍ ଚୟନ ପ୍ରକ୍ରିୟା ଭାବେ ନିଆଯାଉଥିବାରୁ ମାଲିଙ୍ଗାଙ୍କୁ ଆଇପିଏଲ୍ ଦଳ ତୁଳନାରେ ଜାତୀୟ ଦଳକୁ ଗୁରୁତ୍ବ ଦେବାକୁ ପଡ଼ିଛି। ସେ ମଧ୍ୟ ବିଶ୍ବକପ୍ରେ ଶ୍ରୀଲଙ୍କାର ନେତୃତ୍ବ ନେବା ସମ୍ଭାବନା ରହିଛି।
ଗାଙ୍ଗୁଲିଙ୍କୁ ବିସିସିଆଇ ନୋଟିସ୍
କୋଲକାତା,: ଦ୍ବୈତ ସ୍ବାର୍ଥ ପ୍ରସଙ୍ଗରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବିସିସିଆଇ ଲୋକପାଳ ତଥା ନୈତିକ ଅଧିକାରୀ ଡିକେ ଜୈନ ନୋଟିସ୍ ପଠାଇଛନ୍ତି। କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏବି)ର ସଭାପତି ପଦରେ ଥିଲେ ମଧ୍ୟ ସେ କିଭଳି ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ଉପଦେଷ୍ଠା ଦାୟିତ୍ବରେ ରହିଛନ୍ତି ସେ ନେଇ ଦୁଇ ଜଣ ବେଙ୍ଗଲୀ ପ୍ରଶଂସକ ଅଭିଯୋଗ କରିଥିଲେ। ଗାଙ୍ଗୁଲିଙ୍କଠାରୁ ସପ୍ତାହକ ଭିତରେ ଉତ୍ତର ମଗାଯାଇଛି। ସେ ନିଜ ପକ୍ଷ ରଖିବା ପରେ ଏ ପ୍ରସଙ୍ଗ ଆଗକୁ ବଢ଼ିବ ବୋଲି ଜୈନ ପ୍ରକାଶ କରିଛନ୍ତି। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଦାୟିତ୍ବ ନେବା ପୂର୍ବରୁ ଗାଙ୍ଗୁଲି ବିସିସିଆଇ ନିକଟରୁ ଅନୁମୋଦନ ନେଇଥିବାରୁ ଏ ପ୍ରସଙ୍ଗରେ ବିଶେଷ କିଛି ହେବାର ନାହିଁ ବୋଲି ବିଶ୍ବାସ କରାଯାଉଛି।