ଲିଓନେଲ୍ ମେସିଙ୍କ ଭଳି ସାଂପ୍ରତିକ ଫୁଟ୍ବଲ୍ର ଅନ୍ୟତମ ମହାନାୟକ ହେଉଛନ୍ତି ପର୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲଡୋ। ଲୋକପ୍ରିୟତା ଏବଂ ସଫଳତା ଦୃଷ୍ଟିରୁ ମେସିଙ୍କଠାରୁ ହୁଏତ ସେ ଆହୁରି ଦୁଇ ପାଦ ଆଗରେ ରହିବେ। ସ୍ପେନ୍ର ପ୍ରତିଷ୍ଠିତ କ୍ଲବ୍ ରିଅଲ ମାଦ୍ରିଦ ଏବଂ ପର୍ତୁଗାଲ ଜାତୀୟ ଦଳ ପକ୍ଷରୁ ଅଗ୍ରଭାଗରେ ଖେଳୁଥିବା ରୋନାଲଡୋଙ୍କୁ ବିଶ୍ୱର ଶ୍ରେଷ୍ଠ ଖେଳାଳିର ମାନ୍ୟତା ମିଳେ। ଅନେକ ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଫୁଟ୍ବଲର ଉପାଧୀ ମଧ୍ୟ ଦିଅନ୍ତି। ସେ ପାଞ୍ଚଥର ବାଲାନ ଡି’ଓର ପୁରସ୍କାର ଜିତିଛନ୍ତି। ଯାହା ଏକ ୟୁରୋପୀୟ କୀର୍ତ୍ତିମାନ। ରୋନାଲଡୋ ମଧ୍ୟ ପାଞ୍ଚଟି ୟୁଫା ଚାମ୍ପିଅନ୍ସ ଲିଗ୍ ଟ୍ରଫି, ଗୋଟିଏ ୟୁଫା ୟୁରୋପୀୟ ଟ୍ରଫି ଜିତିଛନ୍ତି। ଗୋଲ୍ବର୍ଷା କରିବାରେ ସିଦ୍ଧହସ୍ତ ରୋନାଲଡୋ (୩୯୫) ୟୁରୋପର ପାଞ୍ଚଟି ଶ୍ରେଷ୍ଠ ଲିଗରେ ସର୍ବାଧିକ ଗୋଲ୍ ଦେବାର କୀର୍ତ୍ତିମାନ କରିଛନ୍ତି। ବରିଷ୍ଠସ୍ତରୀୟ କ୍ଲବ୍ ଏବଂ ଅନ୍ତର୍ଜାତୀୟ ଫୁଟବଲରେ ସେ ଅବିଶ୍ୱସନୀୟ ୬୫୦ ଗୋଲ୍ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପର୍ତୁଗାଲର ମାଦେରିଆ ଦ୍ୱୀପରେ ଜନ୍ମ ଗ୍ରହଣ କରିବା ସହ ସେଠାରେ ବଢ଼ିଥିବା ରୋନାଲଡୋ ପିଲାବେଳେ ହୃଦ୍ ରୋଗରେ ପୀଡ଼ିତ ଥିଲେ। ଛୋଟ କାଟିଆ କାମ କଲେ ମଧ୍ୟ ଅଚାନକ ତାଙ୍କ ହୃଦ୍ ସ୍ପନ୍ଦନ ବଢ଼ି ଯାଉଥିଲା। ସେଥିପାଇଁ ମାତ୍ର ୧୫ ବର୍ଷ ବୟସରେ ତାଙ୍କର ହୃଦୟ ଅସ୍ତ୍ରୋପଚାର ହୋଇଥିଲା। ଏହା ପରେ ଅବଶ୍ୟ ସେ ସ୍ପୋର୍ଟିଂ ସିପି ନାମକ ଏକ କ୍ଲବ୍ରେ ନିଜ ବରିଷ୍ଠସ୍ତରୀୟ ଫୁଟବଲ୍ ଜୀବନ ଆରମ୍ଭ କରିଥିଲେ। ୨୦୦୩ରେ ୧୮ ବର୍ଷ ବୟସରେ ମାଞ୍ଚେଷ୍ଟର ୟୁନାଇଟେଡ୍ ଦଳରେ ଯୋଗ ଦେବା ପରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା। ତେବେ ୨୦ ବର୍ଷର ହୋଇଥିଲା ବେଳେ ରୋନାଲଡୋ ବାପ ଛେଉଣ୍ଡ ହୋଇ ଯାଇଥିଲେ। ତାଙ୍କ ପିତା ଜୋସ୍ ଦିନିସ୍ ଆଭେଇରୋ ମାତ୍ରାଧିକ ମଦ୍ୟପାନ ପାଇଁ ୫୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ସେଥିପାଇଁ ମଦକୁ ରୋନାଲଡୋ ଘୃଣା କରନ୍ତି। ସେ ଆଦୌ ମଦ ପିଅନ୍ତି ନାହିଁ। ପିତାଙ୍କୁ ହରାଇବାର ୨ ବର୍ଷ ପରେ ଅର୍ଥାତ୍ ୨୨ ବର୍ଷ ସୁଦ୍ଧା ସେ ଫିଫା ବିଶ୍ୱକପ୍ ଖେଳିବା ସହ ବାଲାନ ଡି’ଓର ପୁରସ୍କାର ଜିତିବା ଏବଂ ବର୍ଷର ଶ୍ରେଷ୍ଠ ଖେଳାଳି ମନୋନୟନ ତାଲିକାରେ ସ୍ଥାନ ପାଇବାର ଅନନ୍ୟ ସଫଳତା ହାସଲ କରି ସାରିଥିଲେ। ୨୬ ଟ୍ରଫି ଜିତିଥିବା ରୋନାଲଡୋ ମଧ୍ୟ ଏକଦା ବିଶ୍ୱର ସବୁଠାରୁ ଦାମୀ ଖେଳାଳି ଥିଲେ। ପର୍ତୁଗାଲ ପକ୍ଷରୁ ସେ ମଧ୍ୟ ସର୍ବାଧିକ ୧୪୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ମଧ୍ୟ ନିଜ ଦେଶ ପକ୍ଷରୁ ସର୍ବାଧିକ ଗୋଲ୍ ଦେଇଛନ୍ତି। ହୃଦ୍ ରୋଗୀରୁ ସେ ଏବେ ହୃଦୟଜିତା ପାଲଟି ଯାଇଛନ୍ତି।
୨୦୦୮ରୁ ପର୍ତୁଗାଲ ଜାତୀୟ ଦଳର ଅଧିନାୟକ ଥିବା ରୋନାଲଡୋ ୨୦୧୬ରେ ନିଜ ଦେଶକୁ ପ୍ରଥମ ଥର ପାଇଁ ୟୁରୋପୀୟ କପ୍ ବିଜେତା କରାଇଥିଲେ। ୨୦୧୬ ଓ ୧୭ରେ ସେ ବିଶ୍ୱର ସବୁଠାରୁ ଦାମୀ ଖେଳାଳି ଥିଲେ। ସେହିଭଳି ୨୦୧୬, ୧୭, ୧୮ ଲଗାତାର ତିନି ବର୍ଷ ଧରି ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଖେଳାଳିର ମାନ୍ୟତା ସେ ଲାଭ କରିଛନ୍ତି। ୨୦୦୬, ୨୦୧୦ ଓ ୨୦୧୪ ତିନିଟି ବିଶ୍ୱକପ୍ ଖେଳିଥିବା ରୋନାଲଡୋ ୧୩ ବିଶ୍ୱକପ୍ ମ୍ୟାଚ୍ ଖେଳି ୩ ଗୋଲ୍ ଦେଇଛନ୍ତି। ୩୩ ବର୍ଷୀୟ ରୋନାଲ୍ଡୋଙ୍କର ୪ ସନ୍ତାନ ଥିଲା ବେଳେ ଏବେ ସେ ଅଭିନେତ୍ରୀ ଜର୍ଜିନା ରୋଡ୍ରିଗେ୍ଵଜଙ୍କୁ ପ୍ରେମ କରୁଛନ୍ତି।