ଚର୍ଚାରେ ସଚିନ-ପାୱାର ଭେଟ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଶନିବାର ଏନ୍‌ସିପି ସୁପ୍ରିମୋ ତଥା ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍‌ସିଏ)ର ପୂର୍ବତନ ସଭାପତି ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ନିର୍ବାଚନୀ ଋତୁରେ ସଚିନ-ପାୱାର ଭେଟକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ତେବେ ଏହି ଭେଟ ରାଜନୈତିକ ନୁହେଁ ବରଂ କ୍ରିକେଟ୍ ପାଇଁ ହୋଇଥିବା ଜଣାପଡ଼ିଛି। ବିବାଦ ଘେରରେ ଥିବା ଏମ୍‌ସିଏର ପରିଚାଳନା ନେଇ ପାୱାର ଓ ସଚିନଙ୍କ ମଧ୍ୟରେ ସରଗରମ ଆଲୋଚନା ହୋଇଥିବା କୁହାଯାଉଛି। କଥା ସତ ହେଲେ ଖୁବ୍‌ଶୀଘ୍ର ସଚିନଙ୍କୁ ତାଙ୍କ ପ୍ରଶଂସକ କ୍ରିକେଟ୍ ପ୍ରଶାସକ ଦାୟିତ୍ବରେ ଦେଖି ପାରନ୍ତି। ସଚିନଙ୍କ ପୁରୁଣା ସାଥୀ ତଥା‌ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନା‌ୟକ ସୌରଭ ଗାଙ୍ଗୁଲି ପୂର୍ବରୁ ବେଙ୍ଗଲ କ୍ରିକେଟ୍ ସଂଘର ସଭାପତି ପଦ ଅଳଙ୍କୃତ କରି ସାରିଛନ୍ତି। ସଚିନ ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରି ଏମ୍‌ସିଏର ମଙ୍ଗ ଧରିବାର ଯଥେଷ୍ଟ ସମ୍ଭାବନା ରହିଛି। ଦେଶର ଅନ୍ୟତମ ଶକ୍ତିଶାଳୀ କ୍ରିକେଟ୍ ସଂଘ ଭାବେ ପରିଗଣିତ ଏମ୍‌ସିଏ ସଂପ୍ରତି ଏକ ଅସ୍ଥାୟୀ ସମିତି ଦ୍ବାରା ପରିଚାଳିତ ହେଉଛି। କିଛି ଦିନ ତଳେ ସଂଘର ବରିଷ୍ଠ ଚୟନ ସମିତିର ମୁଖ୍ୟ ଅଜିତ ଅଗରକରଙ୍କ ସହ ସଦସ୍ୟ ନିଲେଶ କୁଲକର୍ଣ୍ଣି, ସୁନୀଲ ମୋରେ ଓ ରବି ଠକର ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। ସଂଘର କ୍ରିକେଟ୍ ବିକାଶ ସମିତିର ସଦସ୍ୟ ଅମୋଲ ମଜୁମଦାର, ସାହିଲ କୁକ୍ରେଜା ଓ ୧୬ ବର୍ଷରୁ କମ୍ ଚୟନକର୍ତା ଅତୁଲ ରନାଡେ ମଧ୍ୟ ପଦ ଛାଡ଼ି ଦେଇଥିଲେ। ସଂଘର ଏଭଳି ସ୍ଥିତି ସଚିନଙ୍କୁ ବ୍ୟଥିତ କରିଥିଲା। ପାୱାରଙ୍କୁ ସାକ୍ଷାତକରି ସେ ଏହି ବିଷୟରେ ଆଲୋଚନା କରିଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର