ସିଲି ପଏଣ୍ଟ୍‌: ସଚିନଙ୍କ ସ୍ୱପ୍ନର ଭାରତ

ମୁମ୍ବାଇ: ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବେ ନୂଆ ଭାରତର ପରିକଳ୍ପନା କରିଛନ୍ତି। ଭାରତକୁ କ୍ରୀଡ଼ାପ୍ରେମୀ ରାଷ୍ଟ୍ରରୁ କ୍ରୀଡ଼ାବିତ୍‌ ରାଷ୍ଟ୍ରରେ ପରିବର୍ତନ ଲାଗି ଆହ୍ଵାନ ଦେଇଛନ୍ତି। ଖେଳକୁ ବିଦ୍ୟାଳୟସ୍ତରରୁ ବାଧ୍ୟତାମୂଳକ କରିବାକୁ ସେ ମଧ୍ୟ ଆହ୍ଵାନ ଦେଇଛନ୍ତି। ‘ଖେଳକୁ ବାଲ୍‌ବାଡ଼ିରୁ ଆରମ୍ଭ କରାଯିବା ଉଚିତ୍‌। ଏହା ମୋ ସ୍ୱପ୍ନ’ ବୋଲି କହିଛନ୍ତି ଏହି ବ୍ୟାଟିଂ କିମ୍ବଦନ୍ତୀ। ହିମାଚଳପ୍ରଦେଶର ଧର୍ମଶାଳା ଷ୍ଟାଡିୟମ୍‌ରେ ଖେଳ ମହାକୁମ୍ଭର ଶୁଭାରମ୍ଭ କରିବା ଅବସରରେ ସଚିନ ଏଭଳି ମତ ଦେଇଛନ୍ତି। ପୂର୍ବତନ ବିସିସିଆଇ ମୁଖ୍ୟ ତଥା ଲୋକସଭା ସାଂସଦ ଅନୁରାଗ ଠାକୁରଙ୍କ ମାନସପୁତ୍ର ଭାବେ ହିମାଚଳ ପ୍ରଦେଶରେ ‘ଖେଲ ମହାକୁମ୍ଭ’ ଆରମ୍ଭ କରାଯାଇଛି। ପଞ୍ଚାୟତସ୍ତରରୁ ଖେଳକୁ ପ୍ରୋତ୍ସାହିତ କରିବାକୁ ଏହାର ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ସଚିନ ମଧ୍ୟ ସିବିଏସ୍‌ଇକୁ ଅଭିନନ୍ଦନ ଜଣାଇଥିଲେ। ନିକଟରେ ସିବିଏସ୍‌ଇ ନବମ ଶ୍ରେଣୀଠାରୁ କ୍ରୀଡ଼ାକୁ ବାଧ୍ୟତାମୂଳକ ବିଷୟ ଭାବେ ଅନ୍ତର୍ଭୁକ୍ତ କରିଛି। ସଚିନଙ୍କ ମତରେ ଖେଳ ହି ଜୀବନଶୈଳୀରେ ପରିବର୍ତନ ଆଣିଥାଏ ଏବଂ ଲୋକଙ୍କୁ ସ୍ୱାସ୍ଥ୍ୟବାନ ରଖିଥାଏ। ମହିଳାମାନେ ମଧ୍ୟ ଅଧିକରୁ ଅଧିକ ସଂଖ୍ୟାରେ ଖେଳକୁ ଆସିବାକୁ ସେ ଆଶା ପ୍ରକାଶ କରିଥିଲେ। ଛାତ୍ରମାନଙ୍କୁ ଆହ୍ଵାନ ଦେଇ ସେ କହିଥିଲେ, କଠିନ ପରିଶ୍ରମର ବିକଳ୍ପ ନାହିଁ। ପିଲାମାନେ କୌଣସି କାଣ୍ଟଛାଣ୍ଟ ବାଟରେ ସଫଳତା ପାଇବା ଉଚିତ୍‌ ନୁହେଁ। ଯୁବ କ୍ରୀଡ଼ାବିତ୍‌ମାନେ ଭଲ ଖେଳାଳି ଏବଂ ଭଲ ମଣିଷ ହେବା ଆବଶ୍ୟକ। ଏହି ତାରକା କ୍ରିକେଟ୍‌ର କହିଥିଲେ ମୁଁ ଥରେ ବିଦ୍ୟାଳୟ କ୍ରିକେଟ୍‌ରେ ୨୪ ରନ୍‌ କରିବା ପରେ ଜଣେ ଗଣମାଧ୍ୟମ ପ୍ରବଂଧକ କହିଥିଲେ, ସେ ଅତିରିକ୍ତ ରନ୍‌କୁ ତାଙ୍କ ନାମରେ ଯୋଡ଼ି ୩୦ କରିଦେଲେ ଖବରକାଗଜରେ ବାହାରିପାରିବ। ମୋ ନାମ ବାହାରିଯାଇଥିଲା ଏବଂ ପ୍ରଶିକ୍ଷକ ପରେ ଏହା ଜାଣି ପାରିଥିଲେ। ସେ କିନ୍ତୁ ତାଗିଦରେ କହିଥିଲେ, ଖବରକାଗଜରେ ନାମ ବାହାରିବାକୁ ହେଲେ ରନ୍‌ କରିବାକୁ ପଡ଼ିବ। ଯୁବ ଖେଳାଳିମାନଙ୍କୁ ଉପଦେଶ ଦେଇ ସଚିନ କହିଥିଲେ, ଠକିବା ଅପେକ୍ଷା ଜିତିବା ଜୁରୁରୀ। କିନ୍ତୁ ପରାଜୟକୁ ନେଇ ବ୍ୟଥିତ ହୋଇଯିବା ଠିକ୍‌ ନୁହେଁ। ଏହି ଅବସରରେ ଅନୁରାଗ ଠାକୁର ଖେଲ ମହାକୁମ୍ଭ ସମ୍ପର୍କରେ ସୂଚନା ଦେଇଥିଲେ। ହିମାଚଳପ୍ରଦେଶର ୫୦୦୦ ଗାଁ ଓ ୮୦୦ ପଞ୍ଚାୟତରେ ଖେଲ ମହାକୁମ୍ଭ ଚାଲିବ। ଶ୍ରେଷ୍ଠ ଖେଳାଳିମାନଙ୍କୁ ମନୋନୀତ କରାଯାଇ ଆସନ୍ତା ୫ ବର୍ଷ ଭିତରେ ସେମାନଙ୍କ ତାଲିମ ପାଇଁ ୧ କୋଟି ଟଙ୍କା ଖର୍ଚ କରାଯିବ। ଏହି କାର୍ଯ୍ୟକ୍ରର ଟି-ସାର୍ଟ ଓ ବିଷୟବସ୍ତୁ ସଂଗୀତକୁ ସଚିନ ଓ ଅନୁରାଗ ମଧ୍ୟ ଶୁକ୍ରବାର ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର