ସେହବାଗ ଛୁଆ ଖେଳାଇ‌େଲ, ହେଡେନ୍ ରାଗିଲେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଭାରତ ଗସ୍ତ ଅବ୍ୟବହିତ ପୂର୍ବରୁ ଦୁଇ ଦେଶର ମହାନ ଖେଳାଳିମାନେ କଥା କଟା କଟିରେ ବ୍ୟସ୍ତ ‌ହୋଇଗଲେଣି। ଶୃଙ୍ଖଳାର ପ୍ରସାରଣ ଅଧିକାର କିଣିଥିବା ଷ୍ଟାର ସ୍ପୋର୍ଟସର ପ୍ରଚାର ବିଜ୍ଞାପନକୁ ନେଇ ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ଏବଂ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ମାଥ୍ୟୁ ହେଡେନ୍ ମୁହାଁ ମୁହିଁ ହୋଇଛନ୍ତି। ଏହି ବିଜ୍ଞାପନରେ ସେହବାଗ ସବୁଜ ରଙ୍ଗର ବ୍ଲେଜର ପିନ୍ଧି ହଳଦିଆ ଜର୍ସିରେ ଥିବା କେତେକ ପିଲାଙ୍କୁ ଖେଳାଉଥିବା ଦେଖିବାକୁ ମିଳୁଛି। ଏହି ଦୁଇ ରଙ୍ଗ ଅଷ୍ଟ୍ରେଲିଆର ଦଳୀୟ ପୋଷାକର ରଙ୍ଗକୁ ଦର୍ଶାଉଥିବାରୁ ହେଡେନ୍ ଏଥିନେଇ ଉତ୍ତେଜିତ ହୋଇ ଯାଇଛନ୍ତି। ସେହବାଗଙ୍କୁ ସେ ପରୋକ୍ଷ ଚେତାବନୀ ଦେଇଛନ୍ତି। ଏହି ଦୃଶ୍ୟ ମଧ୍ୟ ଭାରତର ଅଷ୍ଟ୍ରେଲିଆ ଗସ୍ତରେ କଙ୍ଗାରୁ ଅଧିନାୟକ ଟିମ୍ ପେନ୍ ଭାରତୀୟ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କୁ ଦେଇଥିବା ଛୁଆ ଖେଳାଇବା ପ୍ରସ୍ତାବକୁ ‌ମନେ ପକାଇ ଦେଇଛି। ବୀରୁଙ୍କୁ ଚେତାବନୀ ଦେଇ ହେଡେନ୍ ଟ୍ବିଟ୍ କରିଛନ୍ତି ଯେ ଅଷ୍ଟ୍ରେଲିଆକୁ ‌ନ୍ୟୁନ ମନେ କରିବାର ଭୁଲ କରନି ବୀରୁ! ମନରଖେ କାହା ପାଖରେ ବିଶ୍ବକପ୍ ଟ୍ରଫି ଅଛି, ଆଉ କିଏ ତାହା ସହ ଖେଳୁଛି। ଷ୍ଟାର ସ୍ପୋର୍ଟସ କିନ୍ତୁ ସେହବାଗ ଅଭିନୀତ ଭିଡିଓକୁ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରି ସମସ୍ତଙ୍କର ଛୁଆ ଖେଳାଇବା ବାଲା ଦରକାର ବୋଲି ଲେଖିଛି। ଏହି ଭିଡିଓକୁ କିନ୍ତୁ ଭାରତୀୟ କ୍ରିକେଟ୍ ପ୍ରେମୀ ବେଶ୍ ପସନ୍ଦ କରୁଛନ୍ତି। ୨୪ ତାରିଖରୁ ବିଶାଖାପାଟଣାରେ ଆରମ୍ଭ ହେଉଥିବା ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ଅବସରରେ ଛୁଆ ଖେଳାଇବା ଏକ ବଡ଼ ପ୍ରସଙ୍ଗ ହେବାକୁ ଯାଉଛି ବୋଲି ସେମାନଙ୍କ ମଧ୍ୟରୁ ଅନେକ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର