ଦ୍ରୁତତମ ୬୦୦୦ ରନ୍‌ କ୍ଲବ୍‌ରେ ସ୍ମିଥ୍‌

ସିଡ୍‌ନି: ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଏଠାରେ ଚାଲିଥିବା ପଞ୍ଚମ ଆସେସ୍‌ ଟେଷ୍ଟର ଶୁକ୍ରବାର ଦ୍ୱିତୀୟ ଦିବସରେ ଅପରାଜିତ ୪୪ ରନ୍‌ର ପାଳି ଖେଳିବା ଅବସରରେ ୬୦୦୦ ରନ୍‌ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍‌ସମ୍ୟାନ୍‌ କ୍ଲବ୍‌ରେ ନିଜ ନାମକୁ ଯୋଡ଼ିଛନ୍ତି। ସ୍ମିଥ୍‌ ଶୁକ୍ରବାର ୨୬ ରନ୍‌ କରିଥିଲା ବେଳେ ୬୦୦୦ ରନ୍‌ ଅତିକ୍ରମ କରିଥିଲେ। ୨୮ ବର୍ଷ ବୟସ୍କ ସ୍ମିଥ୍‌ ୧୧୧ ପାଳି (୬୧ ଟେଷ୍ଟ)ରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲା ବେଳେ େଓ୍ଵଷ୍ଟଇଣ୍ଡିଜ୍‌ର କିମ୍ବଦନ୍ତୀ ବ୍ୟାଟ୍‌ସମ୍ୟାନ୍‌ ଗ୍ୟାରି ସୋବର୍ସଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ସୋବର୍ସ ଓ ସ୍ମିଥ୍‌ଙ୍କ ୬୦୦୦ ରନ୍‌ ଟେଷ୍ଟ କ୍ରିକେଟ୍‌ରେ ଦ୍ୱିତୀୟ ଦ୍ରୁତତମ କୀର୍ତିମାନ। କେବଳ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ ଦ୍ରୁତତମ ୬୦୦୦ ରନ୍‌ କରିବାର କୀର୍ତିମାନ ନିଜ ନାମରେ ଅତୁଟ ରଖିଛନ୍ତି। ବ୍ରାଡ୍‌ମ୍ୟାନ୍‌ ମାତ୍ର ୬୮ ପାଳିରୁ ହିଁ ୬୦୦୦ ଟେଷ୍ଟ ରନ୍‌ ପୂରଣ କରିଥିଲେ। ସ୍ମିଥ୍‌ ଦ୍ୱିତୀୟ ଅଷ୍ଟ୍ରେଲୀୟ ଭାବେ ଏହି କ୍ଲବ୍‌ରେ ସାମିଲ ହୋଇଛନ୍ତି। ସ୍ମିଥ୍‌ ଚଳିତ ବର୍ଷ ଆସେସ୍‌ ଶୃଙ୍ଖଳାର ଏପର୍ଯ୍ୟନ୍ତ ଖେଳିଥିବା ୮ ପାଳିରୁ ୬୪୮ ରନ୍‌ କରି ସାରିଲେଣି। ସେମଧ୍ୟରେ ୨ ଅପରାଜିତ ଶତକ ଓ ଗୋଟିଏ ଦ୍ୱିଶତକ ସାମିଲ ଥିଲା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ହାରାହାରି ୧୬୨ରେ ରହିଛି। ଯଦି ଶନିବାର ସ୍ମିଥ୍‌ ଶତକ ହାସଲ କରନ୍ତି, ତେବେ ଗୋଟିଏ ଆସେସ୍‌ ଶୃଙ୍ଖଳାରେ ଜଣେ ଅଷ୍ଟ୍ରେଲୀୟ ଖେଳାଳି ଭାବେ ୪ ଶତକ ଜମାଇବାରେ ବ୍ରାଡ୍‌ମ୍ୟାନ୍‌ଙ୍କ କୀର୍ତିମାନର ସମକକ୍ଷ ହେବେ।

ସମ୍ବନ୍ଧିତ ଖବର