ଟ୍ବେଣ୍ଟି-୨୦ରେ ବି ଦକ୍ଷିଣ ଆଫ୍ରିକାଠୁ ହାରିଲା ଅଷ୍ଟ୍ରେଲିଆ

କାରାରେ (ଗେଲ୍‌ଡକୋଷ୍ଟ୍‌): ଦକ୍ଷିଣ ଆଫ୍ରିକା ନିକଟରୁ ଦିନିକିଆ ଶୃଙ୍ଖଳା ହାରିଥିବା ଅଷ୍ଟ୍ରେଲିଆ ଏକମାତ୍ର ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ମଧ୍ୟ ପରାସ୍ତ ହେଲା। ଶନିବାର ଟ୍ବେଣ୍ଟି-୨୦ ମ୍ୟାଚ୍‌ ପୂର୍ବରୁ ପ୍ରବଳ ବର୍ଷା ଦାଉ ସାଧିଥିଲା। ହେଲେ ପ୍ରାୟ ଦେଢ଼ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଯାହା ଫଳରେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ୧୦ ଓଭର ବିଶିଷ୍ଟ ଖେଳାଯାଇଥିଲା। ଏଥିରେ ଟସ୍‌ ଜିତି ଅଷ୍ଟ୍ରେଲିଆ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ତେବେ କ୍ବିଣ୍ଟନ ଡି କକ୍‌ (୨୨), ହେଣ୍ଡ୍ରିକ୍ସ (୧୯), ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ (୨୭), କ୍ଲାସେନ୍‌ (୧୨) ଓ ଡେଭିଡ୍‌ ମିଲର (୧୧)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ବଳରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍‌ ହରାଇ ୧୦୮ ରନ୍‌ କରିଥିଲା। ଅଷ୍ଟ୍ରେଲିଆର ସଫଳ ବୋଲର ଭାବେ ନାଥନ୍‌ କୁଲ୍‌ଟର ନିଲେ ଓ ଆଣ୍ଡରୁ ଟାଇ ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ଲୁଙ୍ଗି ଏନ୍‌ଗିଡି (୨/୧୬), କ୍ରିସ୍‌ ମୋରିସ୍‌ (୨/୧୨) ଓ ଫେଲୁକ୍ବାୟୋ (୨/୨୧)ଙ୍କ ଚମତ୍କାର ବୋଲିଂ ନିକଟରେ ହାର୍‌ ମାନି ଅଷ୍ଟ୍ରେଲିଆ ୭ ୱିକେଟ୍‌ ବିନିମୟରେ ୮୭ ରନ୍‌ରେ ଅଟକିଗଲା। ଗ୍ଲେନ୍‌ ମ୍ୟାକ୍ସୱେଲ୍‌ (୩୮) ଓ କ୍ରିସ୍‌ ଲିନ୍‌ (୧୪) କେବଳ ଦୁଇ ଅଙ୍କ ପହଞ୍ଚିପାରିଥିଲେ। ହେଲେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌କୁ ୨୧ ରନ୍‌ରେ ହାରିଗଲା। ତାବ୍ରିଜ୍‌ ସାମ୍‌ସି (୨-୦-୧୨-୧) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର