‘ନୋ’ ବଲ୍‌ ନମିଳିବାରୁ ସନ୍‌ରାଇଜର୍ସ କ୍ଷୁବ୍ଧ

ହାଇଦ୍ରାବାଦ : ଆଇପିଏଲ୍‌ର ଅମ୍ପାୟାରିଂ ମାନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ରବିବାରର ଚେନ୍ନାଇ ସୁପରକିଙ୍ଗ୍ସ-ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ର ନିର୍ଣ୍ଣାୟକ ମୋଡ଼ରେ ଏକ ‘ନୋ’ ବଲ୍‌ ନ ମିଳିବାକୁ ନେଇ ହାଇଦ୍ରାବାଦ ଆନୁଷ୍ଠାନିକ ଭାବେ ପ୍ରତିବାଦ କରିଛି।  ଏହି ଘଟଣା ହାଇଦ୍ରାବାଦ ପାଳିର ସପ୍ତଦଶ ଓଭରରେ ଘଟିଥିଲା।  ସାର୍ଦୁଲ ଠାକୁର ଅଣ୍ଟାଉପରକୁ ଏକ ଫୁଲ ଟସ୍‌ ପକାଇଥିଲେ।  ନିୟମ ଅନୁସାରେ ସ୍କୋୟାର ଲେଗ୍‌ ଅମ୍ପାୟାର ବିନିତ କୁଲକର୍ଣ୍ଣି  ଏହାକୁ ନୋ’ ବଲ୍‌ ଡାକିବା କଥା। ହେଲେ ସେ ଏହା କରି ନଥିଲେ। କିମ୍ବା ଟିଭି ଅମ୍ପାୟାରଙ୍କ ସହ ଏଥିନେଇ କୌଣସି ବିଚାର ବିମର୍ଷ କରି ନଥିଲେ।  ହାଇଦ୍ରାବାଦ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ କୁଲକର୍ଣ୍ଣିଙ୍କ ନିଷ୍ପତ୍ତିରେ ଚକିତ ହୋଇ ଯାଇଥିଲେ। ହେଲେ ପଡ଼ିଆ ଭିତରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ନଥିଲେ। କୁଲକର୍ଣ୍ଣିଙ୍କ ସେହି ଭୁଲ ଯୋଗୁଁ କିନ୍ତୁ ହାଇଦ୍ରାବାଦ ବିଜୟରୁ ବଞ୍ଚିତ ହୋଇଥିଲା। ୧୮୩ ରନ୍‌ର ପିଛା କରି ମାତ୍ର ୪ ରନ୍‌ ପଛରେ ରହିଯାଇଥିଲା। ନୋ’ ବଲ୍‌ ମିଳିଥିଲେ ଏକ ଅତିରିକ୍ତ ରନ୍‌ ସହ ହାଇଦ୍ରାବାଦକୁ ଫ୍ରି ହିଟ୍‌ ମଧ୍ୟ ମିଳି ଥାଆନ୍ତା। ଯାହାର ଲାଭ ଉଠାଇ ଏହି ଦଳ ପରାଜୟକୁ ଟାଳି ପାରି ଥାଆନ୍ତା। ମ୍ୟାଚ୍‌ ପରେ ହାଇଦ୍ରାବାଦ ଦଳର ପ୍ରବନ୍ଧକ ମ୍ୟାଚ୍‌ ରେଫରି ସୁନୀଲ ଚର୍ତୁବେଦୀଙ୍କୁ ଭେଟି ଏଥିନେଇ ନିଜ ପ୍ରତିବାଦ ମଧ୍ୟ ଜଣାଇଥିଲେ। ସେପଟେ ହାଇଦ୍ରାବାଦ ସମର୍ଥକ ଟ୍ଵିଟରରେ କୁଲକର୍ଣ୍ଣିଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର