ଭୁବନେଶ୍ବର: ଗଣମାଧ୍ୟମ ଏକାଦଶ ଟାଟା ଷ୍ଟିଲ୍ ବନ୍ଧୁତ୍ବପୂର୍ଣ୍ଣ କପ୍ କ୍ରିକେଟ୍ ପ୍ରତିଯୋଗିତାର ଦ୍ବାଦଶ ସଂସ୍କରଣ ବିଜେତା ହୋଇଛି। ଶନିବାର ଆୟୋଜିତ ଏହି ପ୍ରତିଯୋଗିତାର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍ରେ ପ୍ରଶାସକ ଏକାଦଶକୁ ୨ ରନ୍ରେ ପରାସ୍ତ କରି ଗଣମାଧ୍ୟମ ଏକାଦଶ କ୍ରମାଗତ ସପ୍ତମ ଥର ପାଇଁ ବିଜେତା ଆଖ୍ୟା ହାତେଇ ନେଇଛି। ବିଜେତା ଗଣମାଧ୍ୟମ ଏକାଦଶ ଦଳ ଗୋଟିଏ ଦିନରେ ଦୁଇଟିଯାକ ମ୍ୟାଚ୍କୁ ସମାନ ୨ ରନ୍ ବ୍ୟବଧାନରେ ପରାସ୍ତ କରିବା ଉଳ୍ଲେଖନୀୟ ଥିଲା। ଟସ୍ ଜିତି ଗଣମାଧ୍ୟମ ଏକାଦଶ ପ୍ରଥମେ ବ୍ୟାଟିଂ କରିଥିଲା। ମନୋଜ ମହାପାତ୍ରଙ୍କ ୧୫ ବଲ୍ରୁ ୩୭ ରନ୍ ବଳରେ ଦଳ ନିର୍ଧାରିତ ୧୦ ଓଭରରେ ୬ ୱିକେଟ୍ ହରାଇ କରିଥିଲା ୬୧ ରନ୍। ରାମ ସ୍ବାମୀ ଓ ଦେବୀପ୍ରିୟ ବିଶ୍ବାଳ ୨ ଲେଖାଏଁ ୱିକେଟ୍ ପାଇଥିଲେ। ଜବାବରେ ଡିବି ସ୍ବାମୀଙ୍କ ୧୪ ରନ୍ ସତ୍ତ୍ବେ ବ୍ୟୁରୋକ୍ରାଟ୍ସ ଏକାଦଶ ୮ ୱିକେଟ୍ ହରାଇ ୫୯ ରନ୍ରେ ଅଟକି ଯାଇଥିଲା। ଫୈଜଲ୍ ଅଲ୍ଲୀ, ସୁକେଶ ବେହେରା ଓ ଅବ୍ଦୁଲ୍ ଅଜିଜ୍ ୨ ଲେଖାଏଁ ୱିକେଟ୍ ଦଖଲ କରି ଗଣମାଧ୍ୟମ ଏକାଦଶ ବିଜୟର କର୍ଣ୍ଣଧାର ସାଜିଥିଲେ। ମ୍ୟାଚ୍ରେ ବ୍ୟକ୍ତିଗତ ସର୍ବାଧିକ ସ୍କୋର୍ କରିଥିବା ମନୋଜ ମହାପାତ୍ରଙ୍କୁ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଦୁଇଟି ମ୍ୟାଚ୍ରେ ମୋଟ ୪୮ ରନ୍ କରିଥିବା ମନୋଜଙ୍କୁ ମଧ୍ୟ ପ୍ରତିଯୋଗିତାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ପୁରସ୍କାର ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାମାସ୍ବାମୀ (ବ୍ୟୁରୋକ୍ରାଟ୍ସ) ଶ୍ରେଷ୍ଠ ବୋଲର, ସମ୍ବିତ ଦାସ (ଟାଟା ଷ୍ଟିଲ୍) ଶ୍ରେଷ୍ଠ ୱିକେଟ୍ରକ୍ଷକ), ଜଗଦୀଶ ଦାସ (ଗଣମାଧ୍ୟମ ଏକାଦଶ) ଶ୍ରେଷ୍ଠ ଅଲ୍ରାଉଣ୍ଡର ଏବଂ ସୁକେଶ ବେହେରା (ଗଣମାଧ୍ୟମ ଏକାଦଶ) ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ଗ୍ରହଣ କରିଥିଲେ।
ଏହା ପୂର୍ବରୁ ପ୍ରଥମ ମ୍ୟାଚ୍ରେ ରାଜନେତା ଏକାଦଶକୁ ୭ ୱିକେଟ୍ରେ ବ୍ୟୁରୋକ୍ରାଟ୍ସ ଏବଂ ଆୟୋଜକ ଟାଟା ଷ୍ଟିଲ୍କୁ ୨ ରନ୍ରେ ଗଣମାଧ୍ୟମ ଏକାଦଶ ପରାସ୍ତ କରି ଫାଇନାଲ୍ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। ଟାଟା ଷ୍ଟିଲ୍ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ଅବ୍ଦୁଲ୍ ଅଜିଜ୍ (୧୬ ରନ୍, ୨ ୱିକେଟ୍) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଆୟୋଜକ ଟାଟା ଷ୍ଟିଲ୍ର ବରିଷ୍ଠ ଅଧିକାରୀ ସୁରେଶଦତ୍ତ ତ୍ରିପାଠୀ, ଆଶିଷ ମାଥୁର, ମଣିକାନ୍ତ ନାୟକ, ଏକେ ସାକ୍ସେନା, ଦେବାଶିଷ ଜେନା, ମନୀଷ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବିଧାୟକ ଅରୁଣ ସାହୁ, ପ୍ରିୟଦର୍ଶୀ ମିଶ୍ର ଓ ଆକାଶ ଦାସନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।