ଓଡ଼ିଶା କ୍ରୀଡ଼ାକୁ ‘ୟୁନିଲାଇଟ୍‌’ର ଆଲୋକ:ପ୍ରତ୍ୟାଶାଙ୍କୁ ୨ ଲକ୍ଷ, ରାଖାଲଙ୍କୁ ୭୫ ହଜାର

ଭୁବନେଶ୍ୱର/କଟକ: ଓଡ଼ିଶା କ୍ରୀଡ଼ାକୁ ଆଶାର ଆଲୋକ ଦେଖାଇଛି ୟୁନିଲାଇଟ୍‌ ରିଇନ୍‌ସୁରାନ୍‌ସ ବ୍ରୋକର୍ସ ପ୍ରାଇଭେଟ୍‌ ଲିମିଟେଡ୍‌। ରାଜ୍ୟର ଉଦୀୟମାନ ଖେଳାଳିମାନଙ୍କୁ ନିୟମିତ ଭାବେ ପ୍ରୋତ୍ସାହିତ କରିବାର ପ୍ରତିଶ୍ରୁତି ରଖିଛି ଏହି ମୁମ୍ବାଇରେ ଅବସ୍ଥାପିତ ସଂସ୍ଥା। ପ୍ରଥମ ଦଫାରେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ପହଁରାଳି ପ୍ରତ୍ୟାଶା ରାୟ ଏବଂ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ରାଖାଲ ସେଠୀଙ୍କୁ ପ୍ରୋତ୍ସାହିତ କରିଛି ଏହି ସଂସ୍ଥା। ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଘୋଷଣା କରିଛନ୍ତି ଏହାର ମହାପ୍ରବଂଧକ ଶତ୍ରୁଜିତ୍‌ ମହାନ୍ତି। ଓଡ଼ିଆଙ୍କ ପରିଚାଳିତ ଏହି ସଂସ୍ଥା ପୂର୍ବତନ ରଣଜୀ ଖେଳାଳି ବିଶ୍ୱଜିତ ମହାନ୍ତିଙ୍କ ନିର୍ଦେଶନାରେ ରହିଛି। ଓଡ଼ିଶାରେ କୌଣସି ବ୍ୟବସାୟିକ ସ୍ୱାର୍ଥ ନଥିଲେ ମଧ୍ୟ ରାଜ୍ୟର ଉଦୀୟମାନ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ଲାଗି ଆମେ ବିଶେଷ ଆଗ୍ରହ ଦେଖାଇଛୁ ବୋଲି କହିଥିଲେ ଶ୍ରୀ ମହାନ୍ତି। ପ୍ରୋତ୍ସାହନ ରାଶି ଗ୍ରହଣ ପରେ ପ୍ରତ୍ୟାଶା ମଧ୍ୟ ଢେର ଉତ୍ସାହିତ ହୋଇଛନ୍ତି।

ୟୁନିଲାଇଟ୍‌ ମୋତେ ପ୍ରାୟୋଜିତ କରୁଥିବାରୁ ମୁଁ ବହୁତ ଗର୍ବିତ। ଜଣେ ଓଡ଼ିଆ କ୍ରୀଡ଼ାବିତ୍‌ ପାଇଁ ଏତେ ଜଣ ସହାୟତାର ହାତ ବଢ଼ାଇବା ନିଶ୍ଚିତ ଭଲ କଥା। ଏହା ମୋତେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ। ଏବେ ଚାପ ରହିବ ନାହିଁ ବୋଲି ମୁଁ କହିପାରିିବି ନାହିଁ। କାରଣ ଚାପ ଆମ ପାଇଁ ଜୀବନ ଭଳି। ଚାପକୁ ନେବା ଓ ଛାଡ଼ିବା ଆମ କାମ। ଆସନ୍ତା ଜାତୀୟ କନିଷ୍ଠ ବର୍ଗରେ ମୁଁ ମୋ ନିଜ ସମ୍ମାନ ମୁତାବକ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି। ଗତବର୍ଷ ମୁଁ ଆଶାଜନକ ପ୍ରଦର୍ଶନ କରିପାରିନଥିଲି। ସ୍ୱର୍ଣ୍ଣ ପଦକ ଜିତିବାକୁ ଏଥର ଚେଷ୍ଟା କରିବି। ଖେଳ ଜୀବନରେ କିନ୍ତୁ ମୋ ଶେଷ ଲକ୍ଷ୍ୟ ହେବ ଅଲିମ୍ପିକ୍‌ରେ ଭାଗନେବା ନୁହେଁ, ଭାରତ ପାଇଁ ୬ଟି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବା ବୋଲି ଶେଷରେ କହିଥିଲେ ପ୍ରତ୍ୟାଶା। ଏହି ପ୍ରୋତ୍ସାହନ ପ୍ରଦାନ ଉତ୍ସବରେ ୟୁନିଲାଇଟ୍‌ର ଉପଦେଷ୍ଠା ବିଭୂ ତ୍ରିପାଠୀଙ୍କ ସହିତ ପ୍ରତ୍ୟାଶାଙ୍କ ପିତାମାତା ରଜତ ରାୟ ଏବଂ ଚାରୁଶ୍ରୀ ବେହୁରା ମଧ୍ୟ ଉପସ୍ଥିତ ଥିଲେ।

କଟକରେ ଗୁରୁବାର ୟୁନିଲାଇଟ୍‌ ପକ୍ଷରୁ ପାରା ଆଥ୍‌ଲେଟ ରାଖାଲ କୁମାର ସେଠୀଙ୍କୁ ଏକ ବର୍ଷ ପାଇଁ ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ବୋସ୍‌ ପଡ଼ିଆରେ ପିଭିଆର୍‌ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତା ଅବସରରେ ସଂସ୍ଥା ପକ୍ଷରୁ ମହା ପ୍ରବନ୍ଧକ ଶତ୍ରୁଜିତ ମହାନ୍ତି ଏହି ଘୋଷଣା କରିଥିଲେ। ରାଖାଲ ପାରା ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲା ବେଳେ ବିଶ୍ୱ ହ୍ଵିଲ୍‌ଚେୟାର ଫେନ୍ସିଂରେ ମଧ୍ୟ ସଫଳତା ପାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ ୧୦ ପଦକ ଜିତିସାରିଛନ୍ତି। ଏତେସବୁ ସଫଳତା ସତ୍ତ୍ୱେ ସରକାରୀ ପ୍ରୋତ୍ସାହନ ମିଳିପାରୁନଥିବାରୁ ସେ ଏକ ଚା’ ଦୋକାନ ଖୋଲି ଗୁଜୁରାଣ ମେଣ୍ଟାଉଥିଲେ। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ୟୁନିଲାଇଟ୍‌ ସଂସ୍ଥା ପକ୍ଷରୁ ତାଙ୍କୁ ପ୍ରେତ୍ସାହନ ରାଶି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ୭୫ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଆଗକୁ ମଧ୍ୟ ଭିନ୍ନକ୍ଷମ ଖେଳାଳିମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସଂସ୍ଥା କାର୍ଯ୍ୟ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରୋତ୍ସାହନ ପାଇବା ପରେ ରାଖାଲ ‘ସମ୍ବାଦ’କୁ ଧନ୍ୟବାଦ ଜଣାଇବା ସହିତ ଆଗକୁ ଭିନ୍ନକ୍ଷମ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ଦିଗରେ ସେ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି।

ସମ୍ବନ୍ଧିତ ଖବର