କଟକ: ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ପୁଣି ପରାସ୍ତ ହୋଇଛି। ବରୋଦା ବିପକ୍ଷ ମ୍ୟାଚ୍ରେ ଓଡ଼ିଶା ୫୭ ରନ୍ରେ ହାରିଥିଲା ବେଳେ ପ୍ରତିଯୋଗିତାରେ ଚଳିତ ବର୍ଷ ଦଳର ଏହା ତୃତୀୟ ପରାଜୟ। ବରୋଦା ପ୍ରଥମେ ବ୍ୟାଟିଂ କରି ୩୧୭ ରନ୍ କରିଥିଲା। ଦୀପକ ହୁଦା ୫୨, କ୍ରୁନାଲ ପାଣ୍ଡ୍ୟା ୮୪ ଓ ସ୍ୱପ୍ନିଲ୍ ସିଂହ ୫୬ ରନ୍ କରି ବରୋଦାକୁ ବଡ଼ ସ୍କୋର୍ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉର୍ଭିଲ୍ ପଟେଲ୍ ୨୯, କେଦାର ଦେବଧର ୧୬, ୟୁସୁଫ୍ ପଠାନ୍ ୨୮, ବିଷ୍ଣୁ ସୋଲାଙ୍କି ୨୨* ରନ୍ର ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଓଡ଼ିଶା ପାଇଁ ଅଭିଷେକ ରାଉତ ୨, ସୂର୍ଯ୍ୟକାନ୍ତ ପ୍ରଧାନ, ଦୀପକ ବେହେରା, ପ୍ରୟାସ ସିଂହ ଓ ଜୟନ୍ତ ବେହେରା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ୩୧୮ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶା ମଧ୍ୟ ବିସ୍ଫୋରକ ଆରମ୍ଭ କରିଥିଲା। କିନ୍ତୁ ତୃତୀୟ ଓଭରରେ ରାଜେଶ ଧୂପର (୧୩) ଆଉଟ୍ ହୋଇ ଓଡ଼ିଶାକୁ ପ୍ରାରମ୍ଭିକ ଝଟ୍କା ଦେଇଥିଲେ। ତାଙ୍କ ପଛକୁ ଅନୁରାଗ ଷଡ଼ଙ୍ଗୀ (୧୧), ସନ୍ଦୀପ ପଟ୍ଟନାୟକ (୧୧), ଶୁଭ୍ରାଂଶୁ ସେନାପତି (୭), ଅଭିଷେକ ରାଉତ (୧୮) ଜଣକ ପରେ ଜଣେ ଆଉଟ୍ ହୋଇ ଦଳକୁ ବିପର୍ଯ୍ୟୟ ମୁହାଁ କରିଥିଲେ। ୮୭ ରନ୍ରେ ପ୍ରଥମ ୫ ଓ୍ଵିକେଟ୍ ଚାଲିଯିବା ପରେ ମଧ୍ୟକ୍ରମରେ ବିପ୍ଳବ ସାମନ୍ତରାୟ ଓ ପ୍ରୟାସ ସିଂହ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ। ଉଭୟ ଷଷ୍ଠ ଓ୍ଵିକେଟରେ ୯୦ ରନ୍ ଯୋଡ଼ିଥିଲେ। ୪୫ ବଲ୍ରେ ଅର୍ଧଶତକ (୫୧) ଅର୍ଜନ କରିବା ପରେ ପ୍ରୟାସ ସିଂହ ରନ୍ ଆଉଟ ହୋଇଯାଇଥିଲେ। ତାଙ୍କ ପଛକୁ ଅର୍ଧଶତକ ହାସଲ କରିଥିବା ବିପ୍ଳବ ୭୪ ରନ୍ରେ ନିଜ ଓ୍ଵିକେଟ ହରାଇଥିଲେ। ନିମ୍ନ ଭାଗରେ ଦୀପକ ବେହେରା (୩୧) ଓ ସୂର୍ଯ୍ୟକାନ୍ତ ପ୍ରଧାନ (୨୩) କିଛି ବଡ଼ ସଟ୍ ଖେଳିବା ସହ ଦଳକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ବି ତାହା ପର୍ଯ୍ୟାପ୍ତ ନଥିଲା। ଶେଷରେ ଓଡ଼ିଶା ୪୬.୪ ଓଭରରେ ୨୬୦ ରନ୍ କରି ସମସ୍ତ ଓ୍ଵିକେଟ ହରାଇଥିଲା। ଅତିତ୍ ସେଠ୍, ଲୁକମନ୍ ମେରିଓ୍ଵାଲା ଓ ନିନାଦ ରାଥବା ୨ ଲେଖାଏଁ, ରିଶି ଆରୋଥ, ସ୍ୱପ୍ନିଲ୍ ସିଂହ ଓ କ୍ରୁନାଲ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।
୭ ଦଳୀୟ ଗ୍ରୁପ୍ରେ ଓଡ଼ିଶା ତୃତୀୟ ପରାଜୟ ସହ ଷଷ୍ଠ ସ୍ଥାନକୁ ଖସିଯାଇଛି। ହରିଆନା ବିପକ୍ଷ ଶେଷ ମ୍ୟାଚ୍ ପୂର୍ବରୁ ଓଡ଼ିଶା ମୋଟ ୮ ପଏଣ୍ଟ ପାଇ ନକ୍ଆଉଟ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି। ଅନ୍ୟପକ୍ଷରେ ଓଡ଼ିଶାକୁ ପରାସ୍ତ କରି ବରୋଦା (୧୬) ପଏଣ୍ଟ ତାଲିକାର ଶୀର୍ଷକୁ ଲମ୍ଫ ଦେଇଛି। କର୍ଣ୍ଣାଟକ (୧୪) ଶୀର୍ଷରୁ ଦ୍ୱିତୀୟକୁ ଖସିଛି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର