ଝୁମିଲା ଓ୍ଵାଙ୍ଖ୍‌ଡେ

ମୁମ୍ବାଇ: ବିଶ୍ୱର ସବୁଠାରୁ ଚର୍ଚିତ ତଥା ଧନୀ କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌ର ଏକାଦଶ ସଂସ୍କରଣ ଶନିବାର ସଂଧ୍ୟାରେ ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟିତ ହୋଇଯାଇଛି। ମୁମ୍ବାଇର ଓ୍ଵାଙ୍ଖ୍‌ଡ଼େ ଷ୍ଟାଡିୟମରେ ବଲିଉଡ୍‌ ଅଭିନେତ୍ରୀ ଏବଂ ଅଭିନେତାଙ୍କ ମନଲୋଭା ନୃତ୍ୟ ସହ ଭାରତୀୟ ସଂଗୀତ ଜଗତର ଲୋକପ୍ରିୟ ତାରକାଙ୍କ ଶ୍ରୁତି ମଧୁର କଣ୍ଠସ୍ୱରରେ ଆରମ୍ଭ ହୋଇଛି ଚଳିତ ବର୍ଷର ଆଇପିଏଲ୍‌। ଉଦ୍‌ଘାଟନୀ ଉତ୍ସବର ମନ୍ତ୍ରମୁଗ୍ଧକର ମାହୋଲରେ ମାସାଧିକ କାଳ ଚାଲିବାକୁ ଥିବା କ୍ରିକେଟ୍‌ ଲଢ଼େଇର ଶୁଭାରମ୍ଭ ହୋଇଛି। ରଙ୍ଗବେରଙ୍ଗ ସାଜସଜା, ନାନା ପ୍ରକାର ବାଦ୍ୟଯନ୍ତ୍ରର ନିଆରା ସ୍ୱର, ଆଖି ଝଲସେଇ ଦେଲା ଭଳି ଆତସବାଜୀ ଏବଂ ସତରଙ୍ଗୀ ଲେଜର ଲାଇଟର ଝଲମଲ ଆଲୋକରେ ଓ୍ଵାଙ୍ଖ୍‌ଡେ ଯେମିତି ପୂରା ଝଲସି ଥିଲା। ବିଶ୍ୱର ବଛା ବଛା ତଥା ଶ୍ରେଷ୍ଠ କ୍ରିକେଟ୍‌ ତାରକାଙ୍କ ଉପସ୍ଥିତିରେ କ୍ରିକେଟ୍‌ ଏବଂ ଗ୍ଲାମର ଏକପ୍ରକାର ଫେଣ୍ଟାଫେଣ୍ଟି ହୋଇ ଯାଇଥିଲା। ଶନିବାରର ମୁମ୍ବାଇ ଇଣ୍ଡିଆନ୍‌ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍‌ ପୂର୍ବରୁ ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ଶ୍ରୀଲଙ୍କା ସୁନ୍ଦରୀ ଜାକଲିନ୍‌ ଫର୍ନାଣ୍ଡିସ୍‌ ଓ ଦକ୍ଷିଣ ଭାରତ ତଥା ବଲିଉଡ୍‌ ଚଳଚ୍ଚିତ୍ର ଦୁନିଆର ଜଣାଶୁଣା ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଚିତ୍ତାକର୍ଷକ ନୃତ୍ୟ ପରିବେଶକୁ ପୂରା ରଙ୍ଗୀନ କରି ଦେଇଥିଲା। ତା’ ସହ ପଂଜାବୀ ପପ୍‌ ଗାୟକ ମିକା ସିଂହଙ୍କ ହିଟ୍‌ ନମ୍ବରରେ ପୂରା ଷ୍ଟାଡିୟମ୍‌ ଯେମିତି ନାଚି ଉଠିଥିଲା। ଏହି ତିନି ଜଣଙ୍କ ସହ ସୁପରଷ୍ଟାର ହ୍ରିତିକ ରୋଶନ ମଧ୍ୟ ନିଜ ଯାଦୁ ଦେଖାଇଥିଲେ। ଶନିବାର ସଂଧ୍ୟାରେ ଚଳିତ ଆଇପିଏଲ୍‌ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହେଲା ବୋଲି ପ୍ରଥମେ ଲିଗ୍‌ର ମୁଖ୍ୟ ରାଜୀବ ଶୁକ୍ଳା ଘୋଷଣା କରିଥିଲେ। ଏହା ପରେ ନୂଆ ପିଢ଼ିର ନାୟକ ବରୁଣ ଧାଓ୍ଵନଙ୍କ ମନମତାଣିଆ ନାଚରୁ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହୋଇଥିଲା। ଏହା ପରେ ଡ୍ୟାନ୍‌ସିଂ ଷ୍ଟାର ପ୍ରଭୁ ଦେବା ନିଜ ଧମାକାଦାର ନୃତ୍ୟ ଜରିଆରେ ମଞ୍ଚରେ ଏକପ୍ରକାର ନିଆଁ ଲଗାଇ ଦେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଓ୍ଵାଙ୍ଖ୍‌ଡେ ଦର୍ଶକଙ୍କୁ ସମ୍ବୋଧିତ କରିବା ପରେ ପାଲିଙ୍କିରେ ଚଢ଼ି ପଡ଼ିଆରେ ପ୍ରବେଶ କରିଥିଲେ ବାହୁବଳୀ ଚଳଚ୍ଚିତ୍ରର ସୁନ୍ଦରୀ ନାୟିକା ତମନ୍ନା। ତାଙ୍କ ନାଚକୁ ମିକାଙ୍କ ହିଟ୍‌ ନମ୍ବର ଓ୍ଵାଙ୍ଖ୍‌ଡ଼େ ମାହୋଲକୁ ଯେମିତି ମନ୍ତ୍ରମୁଗ୍ଧ କରି ଦେଇଥିଲା। ଏହା ପୂର୍ବରୁ ଲିଗ୍‌ର ଆଠଟି ଯାକ ଦଳର ଅଧିନାୟକ ଖେଳୁଆଡ଼ ମନୋଭାବର ଶପଥ ପାଠ କରିଥିଲେ। ନବେ ଦଶକର ହିଟ୍‌ ଗୀତ ‘ଏକ୍‌ ଦୋ ତିନ୍‌’ରେ ଜ୍ୟାକ୍‌ଲିନ୍‌ ନୃତ୍ୟ କରିବା ପରେ ଶେଷରେ ମଞ୍ଚକୁ ଆସିଥିଲେ ହ୍ରିତିକ୍‌। ନିଜ ନୃତ୍ୟ ଦକ୍ଷତା ପାଇଁ ପରିଚିତ ହ୍ରିତିକଙ୍କ ଜବରଦସ୍ତ ପରିବେଷଣ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ସହ ଟେଲିଭିଜନ୍‌ ପରଦାରେ ଆଇପିଏଲ୍‌ ଉଦ୍‌ଘାଟନୀର ମଜା ନେଉଥିବା କୋଟି କୋଟି କ୍ରିକେଟ୍‌ ପ୍ରେମୀଙ୍କ ମନ କିଣି ନେଇଥିଲା। ସେ ଧୁମ୍‌ ଚଳଚ୍ଚିତ୍ରର ଚର୍ଚିତ ଗୀତ ସହ ‘କହୋ ନା ପ୍ୟାର ହେ’ର ଏକପଲ କା ଜିନା ଗୀତରେ ନୃତ୍ୟ କରିଥିଲେ। ଏହି ଅବସରରେ ବିସିସିଆଇ ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସନିକ ସମିତିର ସଦସ୍ୟ ଡାଏନା ଇଦୁଲଜୀ, ବିସିସିଆଇ କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା, କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ଏବଂ କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ଚାରିଆଡ଼େ ଉତ୍ସାହ ଓ ଉନ୍ମାଦନା

ଏବି ଡି’ଭିଲିୟର୍ସ
ଏବେ ସର୍ବତ୍ର ଉତ୍ସାହ ଓ ଉନ୍ମାଦନା। ଆଇପିଏଲ୍‌ର ଏହା ଏକାଦଶ ସଂସ୍କରଣ ହୋଇପାରେ କିନ୍ତୁ ଆର୍‌ସିବି ସହିତ ମୋର ଅଷ୍ଟମ ଋତୁର ସମ୍ପର୍କ କାରଣରୁ ସାଧାରଣ ଭାବେ ମୋଠାରୁ ଆଶା ବଢ଼ିଯାଇଛି। ପ୍ରତି ବର୍ଷ ଆଇପିଏଲ୍‌ ବଡ଼ ଏବଂ ଉଜ୍ୱଳ ହେବାରେ ଲାଗିଛି। ଏହା ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା। ଦକ୍ଷିଣ ଆଫ୍ରିକାରୁ ବିମାନରେ ଭାରତ ଆସିବା ମଧ୍ୟରେ ଉତ୍ସାହ ଭରି ରହିଥିଲା। ଆର୍‌ସିବିରେ ନବ ନିଯୁକ୍ତ କ୍ୱିଣ୍ଟନ୍‌ ଡି’କକ୍‌ ମୋ ସହିତ ଥିଲେ। ଆମେ ଏକ ଚଳଚ୍ଚିତ୍ର ଚୟନ କରିବା ପୂର୍ବରୁ ସେଲ୍‌ଫି ପାଇଁ ଲୋକେ ଆମକୁ ଘେରିଯାଇଥିଲେ। ଏପରିକି ଜଣେ ପ୍ରଶଂସକ କ୍ୱିଣ୍ଟନ୍‌ଙ୍କ ପାନୀୟକୁ ଆମ ଉପରେ ଅଜ୍ଞାତରେ ଢ଼ାଳି ଦେଇଥିଲେ। କୋଲ୍‌କାତାରେ ଦଳୀୟ ହୋଟେଲ୍‌ରେ ପହଞ୍ଚିବା ପରେ ସ୍ନାୟୁ ସକିି୍ରୟ ହୋଇ ଉଠିଥିଲା। ରବିବାର କେକେଆର୍‌ ସହିତ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବାକୁ ଦଳ ସେଠାରେ ପ୍ରସ୍ତୁତି ଚଳାଇଥିଲା। ଆରସିବିର ୨୦୧୮ ଦଳ ଯୁବ-ଅଭିଜ୍ଞ, ନୂଆ ପୁରୁଣାଙ୍କୁ ନେଇ ବେଶ ସନ୍ତୁଳିତ ରହିଛି। ଆଶା ଏଥର ଟ୍ରଫି ବିଜେତା ହୋଇପାରିବୁ। ଦଳ ପାଇଁ ନିଶ୍ଚିତ ଏକ କଷ୍ଟକର ଆରମ୍ଭ କୁହାଯାଇପାରିବ। ତଥାପି ଗତବର୍ଷ ଆମେ ଇଡେନ୍‌ ଗାର୍ଡେନସରେ ୪୯ ରନ୍‌ରେ ଅଲ୍‌ ଆଉଟ୍‌ ହେବା କଥାକୁ କେହି ମନେ ପକାଇ ନଥିଲେ। ଏବେ ଭଲ ଖେଳିବାକୁ ସମସ୍ତେ ବ୍ୟାକୁଳ। ଶକ୍ତି, ସାମର୍ଥ୍ୟ ଓ ସାହସ ସହିତ ବଲ୍‌ ଓ ବ୍ୟାଟ୍‌ର ସଂଘର୍ଷକୁ ଅପେକ୍ଷା।

ମୁଁ କିଛି ସପ୍ତାହ ତଳେ ୩୪ତମ ଜନ୍ମଦିନ ପାଳିଥିଲେ ମଧ୍ୟ ଭାରତରେ କ୍ରିକେଟ୍‌ ଖେଳିବାକୁ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମଣିଛି। ଏହା ମନ ଭିତରେ ଉତ୍ସାହ, ଉନ୍ମାଦନାକୁ ସଂକ୍ରମଣ ଭଳି ଖେଳାଇ ଦେଇଛି। ନିଜକୁ ନିଜେ ଶାନ୍ତ ରହିବାକୁ ମଧ୍ୟ କହିଛି। କାରଣ ଦଳର ଜଣେ ବରିଷ୍ଠ ଖେଳାଳିଭାବେ ନିଜ ଭାବନାକୁ ରୋକିବାକୁ ହେବ। ଦଳର ପ୍ରଶିକ୍ଷକ ଜ୍ୟାକ୍‌ କାଲିସ ରଣ କୌଶଳ ପ୍ରସ୍ତୁତ କରିଛନ୍ତି। ଯିଏକି ମୋ ଖେଳ ଜୀବନ ସାରା ସହଯୋଗ କରି ଆସିଛନ୍ତି। ଆମ ଅଧିନାୟକ ବିରାଟ କୋହଲିଙ୍କୁ ଦେଖିବା ପରେ ମଧ୍ୟ ଶାନ୍ତ ଓ ସାବଲୀଳ ଅନୁଭବ ହୋଇଥିଲା। ଉତ୍ସାହକୁ ଜାରି ରଖି ଏବେ ପାର୍ଟି ଆରମ୍ଭ ହେବାକୁ ଅପେକ୍ଷା କରୁଛି। (ଟିସିଏମ୍‌)

ସମ୍ବନ୍ଧିତ ଖବର