ଓସିଏ ନିର୍ବାଚନ ପାଇଁ ବାଟ ଫିଟିଲା

ସମ୍ବିଧାନ ସଂଶୋଧନ କରିବାକୁ ପ୍ରଶାସନିକ ସମିତିର ନିର୍ଦେଶ, ସ୍କୁଲ୍‌, କଲେଜ, କ୍ଲବ୍‌ର ସଦସ୍ୟତା କାଏମ ରହିଲା

କଟକ: ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ନିର୍ବାଚନ ନିକଟ ଭବିଷ୍ୟତରେ ହେବା ସମ୍ଭାବନା ସୃଷ୍ଟି ହୋଇଛି। କାରଣ ନିର୍ବାଚନ ପାଇଁ ଆବଶ୍ୟକତା ଥିବା ସମ୍ବିଧାନ ସଂଶୋଧନ ଉପରେ ବିସିସିଆଇ ପଟୁ ସବୁଜ ସଙ୍କେତ ମିଳିଯାଇଛି। ଲୋଧା ସମିତି ସୁପାରିସକୁ ମାନିନେବାକୁ ଓସିଏ ସତ୍ୟପାଠ ଦେଇସାରିଥିଲେ ବି ସାଧାରଣ ବୈଠକର ବିବରଣୀକୁ ଗତମାସରେ ବିସିସିଆଇକୁ ପଠାଯାଇଥିଲା। ସମସ୍ତ ସ୍ୱୀକୃତିପ୍ରାପ୍ତ ଜିଲ୍ଲା ଓ ସଂସ୍ଥାମାନଙ୍କ ତାଲିକା ଦିଆଯାଇଥିଲା। ତେଣୁ ସେମାନଙ୍କ ମଧ୍ୟରୁ କିଏ ସଦସ୍ୟ ହୋଇପାରିବେ ଏବଂ କାହାର ଭୋଟ ଦେବା ଅଧିକାର ରହିବ ସେ ବିଷୟରେ ସ୍ପଷ୍ଟିକରଣ ମଗାଯାଇଥିଲା। ଏହାଉପରେ ବିସିସିଆଇ ପ୍ରଶାସନିକ ସମିତି ନିଜର ଜବାବ ଓସିଏ ନିକଟକୁ ପଠାଇ ଦେଇଛି। ତେଣୁ ଜବାବ ଗୁଡିକୁ ଭଲ ଭାବେ ଅନୁଧ୍ୟାନ କରିବା ପରେ ସାଧାରଣ ବୈଠକରେ ଆଲୋଚନା କରାଯିବ। ବୈଠକରେ ଏହା ପାରିତ ହୋଇଗଲେ ଜୁନ୍‌ ସୁଦ୍ଧା ନିର୍ବାଚନ ଶେଷ କରିବାକୁ ଚିନ୍ତା କରାଯାଉଥିବା କୁହାଯାଇଛି।

ପ୍ରଶାସନିକ ସମିତି ଦେଇଥିବା ଜବାବ ଅନୁସାରେ, ସ୍କୁଲ୍‌, କଲେଜ ଓ କ୍ଲବ୍‌ମାନଙ୍କର ସଦସ୍ୟତା କାଏମ୍‌ ରହିଥିଲା ବେଳେ ସେମାନେ ଭୋଟ ମଧ୍ୟ ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି। କେବଳ ନିର୍ବାଚନ ପାଇଁ ସମ୍ବିଧାନରେ ସଂଶୋଧନ କରିବା ଆବଶ୍ୟକତା ଥିବା କୁହାଯାଇଛି। ବିସିସିଆଇରୁ ଜବାବ ପାଇବା ପରେ ଖୁବ୍‌ଶୀଘ୍ର ଓସିଏ ପରିଚାଳନା ସମିତି ବୈଠକ ଡକାଯାଇ ସଂଶୋଧନ ଉପରେ ଆଲୋଚନା କରାଯିବ। ଯଦିଓ ଏନେଇ ଓସିଏ ପକ୍ଷରୁ ସ୍ପଷ୍ଟ ଭାବରେ କିଛି କୁହାଯାଇନାହିଁ, ତଥାପି ଲୋଧା ସମିତି ସୁପାରିସ ଅନୁସାରେ, ୯ବର୍ଷ କାର୍ଯ୍ୟକାଳ ଓ ୭୦ ବର୍ଷ ବୟସସୀମା ଇତ୍ୟାଦି ବଳବତ୍ତର ରହିଛି। ଏହାବ୍ୟତୀତ ଏକକ ସଦସ୍ୟତା ରଖିଥିବା ସଂଘମାନେ ରଣଜୀ କିମ୍ବା ଆନ୍ତର୍ଜାତିକ ଖେଳାଳିଙ୍କୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ବାଧ୍ୟତାମୂଳକ ବୋଲି ଦର୍ଶଯାଇଛି। ତେବେ ଓସିଏର ଏକକ ସଦସ୍ୟତା ନଥିବାରୁ ଏହି ନିମୟ ଲାଗୁ ହେବ ନାହିଁ।

ଏସବୁ ନିୟମାବଳିକୁ ତର୍ଜମା କଲେ ବର୍ତ୍ତମାନ ସୁଦ୍ଧା ଯେଉଁମାନେ ବି ଓସିଏର କର୍ମକର୍ତ୍ତା ରହିଆସିଛନ୍ତି, ସେମାନେ ସମସ୍ତେ  ନିର୍ବାଚନ ପାଇଁ ଅଯୋଗ୍ୟ ହେବେ। ଅର୍ଥାତ୍‌ ଓସିଏରେ ଏଥର ଆମୁଳଚୁଳ ପରିବର୍ତ୍ତନ ହେବା ନିଶ୍ଚିତ ହୋଇଯାଇଛି। ଏପରିକି ପରିଚାଳନା ସମିତିର ସଦସ୍ୟମାନେ ମଧ୍ୟ ଏଥିପାଇଁ ଅନୁପଯୁକ୍ତ ହୋଇଯାଇଛନ୍ତି। ତଥାପି ସମ୍ବିଧାନ ସଂଶୋଧନ ନହେବା ପର୍ଯ୍ୟନ୍ତ ନିର୍ବାଚନ କେବେ ହେବ ତାହା କହିହେବ ନାହିଁ। ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇଙ୍କ କହିବାନୁସାରେ, ପ୍ରଶାସନିକ ସମିତି ଦେଇଥିବା ଜବାବକୁ ଠିକ୍‌ ଭାବେ ବୁଝି ହେଉନାହିଁ। ତେଣୁ ଏହାକୁ ଟିକିନିକି ଭାବେ ଅନୁଧ୍ୟାନ କରିବାକୁ ଓସିଏର ଆଇନ୍‌ଜୀବୀମାନଙ୍କୁ ଆସନ୍ତା ସପ୍ତାହରେ ଡକାଯିବ। ପ୍ରତ୍ୟେକ ପଏଣ୍ଟକୁ ବୁଝିବା ପରେ ମେ’ ପ୍ରଥମ ସପ୍ତାହ ଆଡକୁ ସ୍ୱତନ୍ତ୍ର ସାଧାରଣ ବୈଠକ ଡକାଯିବ। ସେଠାରେ ଏସବୁକିଛି ପାରିତ ହେବା ପରେ ଜୁନ୍‌ ସୁଦ୍ଧା ନିର୍ବାଚନ ଶେଷ କରିବାକୁ ଚିନ୍ତା କରାଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର