ଭୁବନେଶ୍ବର: ବେଙ୍ଗାଲୁରୁର ସାଇ କ୍ୟାମ୍ପସ୍ରେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଭାରତୀୟ ମହିଳା ହକି ଜାତୀୟ ଶିବିର। ଏହି ଶିବିର ପାଇଁ ହକି ଇଣ୍ଡିଆ ଶନିବାର ଏକ ୩୩ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଏଥିରେ ଯୋଗଦେବାକୁ ୬ ଜଣ ଓଡ଼ିଆ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ହେଲେ ଦୀପ୍ଗ୍ରେସ୍ ଏକ୍କା, ସୁନିତା ଲାକ୍ରା, ରଶ୍ମିତା ମିଞ୍ଜ୍ (ସମସ୍ତେ ଡିଫେଣ୍ଡର୍), ଲିଲିମା ମିଞ୍ଜ୍, ନମିତା ଟପ୍ପୋ (ଉଭୟ ମିଡ୍ଫିଲ୍ଡର) ଓ ଅନୁପା ବାର୍ଲା (ଫରୱାର୍ଡ)। ସମସ୍ତ ଖେଳାଳି ୧୨ ତାରିଖ ଦିନ ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନେଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଏହି ତିନି ସପ୍ତାହ ବିଶିଷ୍ଟ ଶିବିର ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଶିବରରେ ବିଶେଷକରି ଖେଳାଳିମାନଙ୍କ ଶକ୍ତି ଓ ସାମର୍ଥ୍ୟ, ଦକ୍ଷତା ସାଙ୍ଗକୁ ଶାରୀରିକ ସୁସ୍ଥତା ସ୍ତର ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ମାରିନେ କହିଛନ୍ତି। ଘୋଷିତ ୩୩ ଜଣିଆ ଦଳରେ ୩ ଜଣ ଗୋଲ୍ରକ୍ଷକ, ୯ ଜଣ ଡିଫେଣ୍ଡର୍, ୧୧ ଜଣ ମିଡ୍ଫିଲ୍ଡର ଏବଂ ୧୦ ଜଣ ଫରୱାର୍ଡ ଖେଳାଳିଙ୍କୁ ସୁଯୋଗ ମିଳିଛି।