ଭଦୋଦରା: ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ମହିଳା ଦଳ ସୋମବାର ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ହାରିଯାଇଛି। ଫଳରେ ପ୍ରଥମ ଦୁଇ ମ୍ୟାଚ୍କୁ ଜିତିଥିବା ଭାରତ ୩-୦ରେ ଶୃଙ୍ଖଳା ପୋଛିନେଇଛି। ଶେଷ ମ୍ୟାଚ୍ ବିଜୟରେ ଭାରତୀୟ ସ୍ପିନର୍ମାନେ ହିଁ ପ୍ରମୁଖ ଭୂମିକା ତୁଲାଇଥିଲେ। ସୋମବାର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ୪୫.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୬ ରନ୍ କରିଥିଲା। ଦଳ ପକ୍ଷରୁ ହରମନପ୍ରୀତ କୌର ୩୮ ରନ୍ (୭୬ ବଲ୍, ୫ ଚୌକା) ଓ ଶିଖା ପାଣ୍ଡେ ୩୫ ରନ୍(୪୦ ବଲ୍, ୬ ଚୌକା)ଙ୍କ ଆଉ କୌଣସି ବ୍ୟାଟର୍ ସଫଳ ହୋଇନଥିଲେ। ଦକ୍ଷିଣ ଆଫ୍ରିକାର ମାରିଜାନ୍ କାପ୍ ୩ ଏବଂ ସବନିମ ଇସ୍ମାଇଲ ଓ ଆୟାବୋଙ୍ଗା ଖାକା ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବର ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ଦକ୍ଷିଣ ଆଫ୍ରିକା ୪୮ ଓଭରରେ ୧୪୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ମାରିଜାନ୍ କାପ୍ ୨୯, ସୁନେ ଲୁସ ୨୮ ଓ ତ୍ରିଶା ଚେଟି ୨୩ ରନ୍ କରିଥିଲେ। ଭାରତ ପକ୍ଷରୁ ଏକତା ବିସ୍ତ ୩ ଏବଂ ଦୀପ୍ତି ଶର୍ମା ଓ ରାଜେଶ୍ବରୀ ଗାଏକ୍ବାଡ ୨ ଲେଖାଏଁ ୱିକେଟ୍ ନେଇଥିଲେ। ମାନସୀ ଜୋଷୀ, ହରମନପ୍ରୀତ କୌର ଓ ଜେମିମା ରଦ୍ରିଗୁଏଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଏକତା ବିସ୍ତ ମ୍ୟାଚ୍ର ଏବଂ ମାରିଜାନ କାପ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମିତାଲିଙ୍କ କୀର୍ତ୍ତିମାନ
ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ ଏହି ମ୍ୟାଚ୍ରେ ନୂଆ କୀର୍ତ୍ତିମାନ କରିଛନ୍ତି। ତାଙ୍କ ନେତୃତ୍ବରେ ଭାରତ ୧୦୦ତମ ବିଜୟ ପାଇଛି। ୧୦୦ ଅନ୍ତର୍ଜାତୀୟ ବିଜୟ ଦେବାରେ ସେ ପ୍ରଥମ ଭାରତୀୟ ଏବଂ ବିଶ୍ବର ଦ୍ବିତୀୟ ଅଧିନାୟିକା ହୋଇଛନ୍ତି। ତାଙ୍କ ପୂର୍ବରୁ ଇଂଲଣ୍ଡର କାର୍ଲୋଟ ଏଡୱର୍ଡ ଏହି ସଫଳତା ପାଇଥିଲେ। ମିତାଲିଙ୍କ ନେତୃତ୍ବରେ ଭାରତ ୧୨୯ ଦିନିକିଆରୁ ୮୦, ୩୨ ଟ୍ବେଣ୍ଟି-୨୦ରୁ ୧୭ ଏବଂ ୬ ଟେଷ୍ଟ୍ରୁ ୩ ବିଜୟ ପାଇଛି। ଏହି ସବୁକୁ ମିଶାଇ ମିତାଲି ଶତକ ବିଜୟ ପୂରଣ କରିଛନ୍ତି। ଏଥିସହ ମିତାଲି ମଧ୍ୟ ଏହି ମ୍ୟାଚ୍ ଅବସରରେ ନିଜର ୨୦ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ପୂରଣ କରିଛନ୍ତି। ସେ ଏହା କରିବାରେ ସେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକର ଭାରତ ପାଇଁ ୨ ଦଶନ୍ଧିରୁ ଅଧିକ ଖେଳିଛନ୍ତି।