ୟୁଥ୍‌ ଅଲିମ୍ପିକ୍ସ: ହକି ସେମିରେ ଭାରତ ବାଳିକା

ବୁଏନ୍‌ସ ଏୟାର୍ସ (ଆର୍ଜେଣ୍ଟିନା): ବାଳକଙ୍କ ସହ ତାଳ ଦେଇ ଭାରତୀୟ ବାଳିକା ଦଳ ୟୁଥ୍‌ ଅଲିମ୍ପିକ୍ସ ୫ ଏସ୍‌ ହକି ସେମିଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଉଭୟ ଦଳ କ୍ବାର୍ଟର ଫାଇନାଲ୍‌ରେ ସମାନ ପ୍ରତିଦ୍ବନ୍ଦ୍ବୀ ପୋଲାଣ୍ଡକୁ ପରାସ୍ତ କରିଛନ୍ତି। ବାଳକ ଦଳ ୪-୨ରେ ଜିତିଥିଲା ବେଳେ ବାଳିକା ଦଳ ୩-୦ ଗୋଲ୍‌ର ଏକପାଖିଆ ବିଜୟ ହାସଲ କରିଛି। ଲାଲ୍‌ରେମ୍‌ସିଆମି (୧୦ମ ମିନିଟ୍‌), ଅଧିନାୟିକା ସାଲିମା ଟେଟେ (୧୪ ମିନିଟ୍‌) ଏବଂ ବଲ୍ଜିତ୍‌ କୌର (୧୪ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ବାଳିକା ଦଳକୁ ସେମିଫାଇନାଲ୍‌ ପହଞ୍ଚାଇଥିଲେ।

ଲକ୍ଷ୍ୟଙ୍କୁ ରୌପ୍ୟ: ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ପୁରୁଷ ଏକକ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। କନିଷ୍ଠ ଏସୀୟ ବିଜେତା ଲକ୍ଷ୍ୟ ଫାଇନାଲ୍‌ରେ ୪୨ ମିନିଟ୍‌ ସଂଘର୍ଷ କରିବା ସତ୍ତ୍ବେ ପ୍ରତିଦ୍ବନ୍ଦ୍ବୀ ଲି ସିଫେଙ୍ଗ୍‌ଙ୍କ ନିକଟରୁ ସିଧାସଳଖ ୧୫-୨୧, ଓ ୧୯-୨୧ରେ ହାରି ଯାଇଥିଲେ। ପୂର୍ବରୁ ଏସୀୟ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ସିଫେଙ୍ଗ୍‌ଙ୍କୁ ପରାସ୍ତ କରିଥିବା ଲକ୍ଷ୍ୟ କିନ୍ତୁ ଏଠାରେ ସେହି ସଫଳତା ‌େଦାହାରାଇ ପାରିନଥିଲେ। ବରଂ ସିଫେଙ୍ଗ୍‌ ଏସୀୟ ପ୍ରତିଯୋଗିତା ପରାଜୟର ମଧୁର ପ୍ରତିଶୋଧ ନେଇଗଲେ। ତେବେ ଚଳିତ ୟୁଥ୍‌ ଅଲିମ୍ପିକ୍ସରେ ଏହା ଭାରତର ଚତୁର୍ଥ ରୌପ୍ୟ ପଦକ ଥିଲା। ଭାରତ ୩ ସ୍ବର୍ଣ୍ଣ ପଦକ ମଧ୍ୟ ଏହି ପ୍ରତିଯୋଗିତାରୁ ହାସଲ କରିସାରିଛି।

ସମ୍ବନ୍ଧିତ ଖବର