ତୁଳସୀ ଅଛି, ସଞ୍ଜନା ନାହିଁ: ଅଗଣାରେ ଗଛ ମୂଳେ ପାଣି ଦେଇ ଘରକୁ ପଶିଲେ ମାଆ, ଆଉ…

କେନ୍ଦୁଝର: ଆଉ ଉଠିବନି, ଯେତେ ଡାକିଲେ ବି ଜମା ଉଠିବନି, ମାଆର କୋହଭରା କାନ୍ଦ ତା କାନରେ ପଡିବନି କି ଛାତି ଫଟା ଚିତ୍କାରରେ ସେ ଉଠି ବସିବନି। କାରଣ ସେ ଶୋଇ ଯାଇଛି, ନିଘୋଡ ନିଦରେ ଶୋଇଯାଇଛି। କର୍କଟ ସହ ଯୁଦ୍ଧ କରି ହାରିଯିବା ପରେ ସବୁଦିନ ପାଇଁ ଶେଷ ଶଯ୍ୟାରେ ଶୋଇପଡିଛି କୁନି ଝିଅ ସଞ୍ଜନା।

ଘର ଅଗଣାରେ ଏବେ ବି ବିଶ୍ୱାସର ତୁଳସୀ ଗଛ ବଞ୍ଚି ରହିଛି, ହେଲେ ଘର ଭିତରେ ଆଖିବୁଜି ଶୋଇ ପଡିଛି ବାପାମାଆଙ୍କ ଆଶାବିଶ୍ୱାସ। ଝିଅକୁ ବଞ୍ଚାଇବାକୁ ବାପାମାଆ ଗୁଣିଆ କଥାରେ ପଡ଼ି ଏଇ ତୁଳସୀ ଗଛ ଲଗାଇଥିଲେ। ଗୁଣିଆ କହିଥିଲା ଯେତେଦିନ ଯାଏଁ  ଏ ଗଛ ବଞ୍ଚି ଥିବ, ସେତେ ଦିନ ଯାଏଁ ତାଙ୍କ ଝିଅ ବଞ୍ଚି ରହିବ। ଆଉ ତାପରେ ବିଶ୍ୱାସର ବୃକ୍ଷ ମୂଳେ ପାଣି ଢାଳି ପୂଜିଥିଲେ ବାପାମାଆ। ଭାବିଥିଲେ ତୁଳସୀ ଗଛରୁ ବିଶ୍ୱାସର ପବନ ସଞ୍ଜନା ଦେହରେ ସଞ୍ଚରି ଯାଇ ତା ପାଇଁ ସଞ୍ଜିବନୀ ପାଲଟିବ। ହେଲେ ସେସବୁ ଭାବନା ଭୁଲ ହୋଇଗଲା।

କେନ୍ଦୁଝର ସଦର ବ୍ଲକ ଧାତିକା ଗାଁର ଶୁକ୍ର ମହାକୁଡ଼ଙ୍କ ୧୦ ବର୍ଷର ସାନ ଝିଅ ସଞ୍ଜନା କର୍କଟରେ ପୀଡିତ ଥିଲା। ସାରା ଦେହକୁ କର୍କଟର ଜୀବାଣୁ ସଂକ୍ରମିତ ହୋଇସାରିଥିବାରୁ ହାତ ଟେକି ଦେଇଥିଲେ ଡାକ୍ତର। ଆଉ ଡାକ୍ତର ଉପରୁ ଭରସା ତୁଟିବା ପରେ ତୁଳସୀ ଉପରେ ଭରସା କରିଥିଲେ ସଞ୍ଜନାର ପରିବାର। ତେବେ ୧୦ ତାରିଖ ସକାଳେ ଝିଅ ପାଇଁ ମାଆ ଘର ଅଗଣାରେ ତୁଳସୀ ମୂଳେ ମୁଣ୍ଡିଆ ମାରିଥିଲା ହେଲେ ଘର ଭିତରେ ପହଞ୍ଚିଲା ବେଳକୁ ଆଉ ସଞ୍ଜନା ନଥିଲା ସମସ୍ତଙ୍କୁ ପର କରି ସଞ୍ଜନା ସେପାରିକୁ ଚାଲି ଯାଇଥିଲା।

 

ସମ୍ବନ୍ଧିତ ଖବର