‘କାଳିଆ’ ଯୋଜନା : ୧୨ ଲକ୍ଷ ଚାଷୀଙ୍କ ତାଲିକା ପ୍ରସ୍ତୁତ
ପୁରୀରେ ସମାବେଶ ପାଇଁ ବ୍ୟାପକ ପ୍ରସ୍ତୁତି, ପ୍ରତି ନିର୍ବାଚନମଣ୍ଡଳୀରୁ ଆସିବେ ଚାଷୀ
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ଆସନ୍ତା ୨୫ ତାରିଖରୁ ଟଙ୍କା ବଣ୍ଟା ଆରମ୍ଭ େହବ। ପ୍ରାଥମିକ ପର୍ଯ୍ୟାୟରେ ୧୨ ଲକ୍ଷ ଚାଷୀଙ୍କ ତାଲିକା ଚୂଡ଼ାନ୍ତ ହୋଇଛି। ଗୋଟିଏ ଦିନରେ ଏ ସମସ୍ତ ଚାଷୀଙ୍କ ଆକାଉଣ୍ଟ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯିବ। ସେହିଦିନ ପୁରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ ହେଉଥିବା ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅର୍ଥ ପ୍ରଦାନ ପ୍ରକ୍ରିୟାର ଶୁଭାରମ୍ଭ କରିବେ। ସରକାରୀ ଭାବେ ଏହି ସମାବେଶ ଆୟୋଜନ କରାଯାଉଥିଲେ ବି ଏହାକୁ ସଫଳ କରିବା ପାଇଁ ଶାସକ ଦଳର ସବୁ ବିଧାୟକ ଅଣ୍ଟା ଭିଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁରୀ ମାଳତୀପାଟପୁର ନିକଟସ୍ଥ ରାହାଙ୍ଗିଣିଆଠାରେ ହେବାକୁ ଥିବା ଏହି ସମାବେଶରେ ଏକ ଲକ୍ଷ ଚାଷୀଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ନିର୍ବାଚନମଣ୍ଡଳୀରୁ ଯେପରି ଚାଷୀ ପ୍ରତିନିଧି ଏଥିରେ ଯୋଗ ଦେବେ, ସେଥି ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଶାସକ ଦଳର ପ୍ରତି ବିଧାୟକ ନିଜ ନିଜ ଅଞ୍ଚଳରୁ ଚାଷୀଙ୍କୁ ଏହି ସମାବେଶକୁ ଆଣିବେ। ବିଧାୟକଙ୍କ ତତ୍ତ୍ବାବଧାନରେ ଚାଷୀମାନେ ଆସୁଥିଲେ ବି କୌଣସି ସ୍ଥାନରେ ଦଳୀୟ ପତାକା ବ୍ୟବହାର ହେବ ନାହିଁ କିମ୍ବା ଦଳୀୟ ସ୍ଲୋଗାନ୍ ଦିଆ ଯିବ ନାହିଁ େବାଲି ସତର୍କ କରିଦିଆଯାଇଛି।ପ୍ରତି ଜିଲ୍ଲା ନିମନ୍ତେ ‘କାଳିଆ’ ଯୋଜନା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ମଧ୍ୟ ଏହାର ତଦାରଖ କରୁଛନ୍ତି। ଏହି ସମାବେଶରେ ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଉପସ୍ଥିତ ରହିବେ।
ସୂଚନାଯୋଗ୍ୟ, ‘କାଳିଆ’ ଯୋଜନାରେ ସାମିଲ୍ ହେବା ଲାଗି ୬୬ ଲକ୍ଷ େଲାକ ସବୁଜ ଫର୍ମରେ ଆବେଦନ କରିଛନ୍ତି। ଆବଶ୍ୟକ ତନଖି କରି ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଚାଷୀଙ୍କ ତାଲିକା ପ୍ରକାଶ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ ପାଇଁ ଜାନୁଆରି ୨୫ ତାରିଖରୁ ଫେବ୍ରୁଆରି ୫ ତାରିଖ ମଧ୍ୟରେ ପଞ୍ଚାୟତ ସ୍ତରରେ ଚିଠା ତାଲିକା ପ୍ରକାଶ ପାଇବ। ଏହା ଛଡ଼ା ନିର୍ଦ୍ଧାରିତ ଫର୍ମରେ ମଧ୍ୟ ଆବେଦନ ଓ ଅଭିଯୋଗ ଗ୍ରହଣ କରାଯିବ। ଏହି ଯୋଜନାରେ ସମସ୍ତ ଯୋଗ୍ୟ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷକମାନଙ୍କୁ ସହାୟତା ଦିଆଯାଉଛି। ପାଞ୍ଚଟି କିସ୍ତିରେ ଚାଷୀମାନଙ୍କୁ ୨୫ ହଜାର ଟଙ୍କା ମିଳିବ। ଏକାଧିକ ଦରଖାସ୍ତ, ଧନୀ କୃଷକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବର୍ତ୍ତମାନ ସେବାରତ ଥିବା ସରକାରୀ ଓ ସାଧାରଣ ଆୟୋଗ ଆଦିର କର୍ମଚାରୀଙ୍କ ନାମ କାଳିଆ ଯୋଜନାର ତାଲିକାରୁ ବାଦ୍ ଦେବା ପାଇଁ ନୀରିକ୍ଷକ ଓ ଅନୁସନ୍ଧାନକାରୀ ଅଧିକାରୀମାନଙ୍କୁ ସମବାୟ ବିଭାଗ ନିେର୍ଦଶ େଦଇଛି।