ଶରତ ଓ ଅଶ୍ବିନୀଙ୍କ ପ୍ରାର୍ଥିତ୍ବକୁ ବିରୋଧ, ସମ୍ବଲପୁର କଂଗ୍ରେସ କମିଟିର ୧୪ କର୍ମକର୍ତ୍ତାଙ୍କ ଇସ୍ତଫା

ସମ୍ବଲପୁର : ସମ୍ବଲପୁରରେ କଂଗ୍ରେସ ପକ୍ଷରୁ ଲୋକସଭା, ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଥିବା ଯଥାକ୍ରମେ ଶରତ ପଟ୍ଟନାୟକ ଏବଂ ଡ‌ା. ଅଶ୍ବିନୀ ପୂଜାହାରୀଙ୍କୁ ବିରୋଧ କରାଯାଇଛି। ପରିସ୍ଥିତି ଏପରି ହୋଇଛି ପ୍ରାର୍ଥିତ୍ବକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟିର ପ୍ରାୟ ୧୪ କର୍ମକର୍ତ୍ତା ନିଜ ପଦରୁ ଇସ୍ତଫା ଦେବାକୁ ପଛାଇ ନାହାନ୍ତି।

ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଭାବରେ ଅଶ୍ବିନୀ ଗୁରୁଙ୍କ ନାମ ଘୋଷଣା କରାଯାଇ ଅନ୍ତିମ ମୁହୂର୍ତ୍ତରେ ତାଙ୍କ ଟିକେଟ କାଟି ଦିଆଗଲା। ସମ୍ବଲପୁର ଜିଲ୍ଲା ବାହାରର ୨ ବ୍ୟକ୍ତି ଅର୍ଥାତ ସୋନପୁରର ଡା.ଅଶ୍ବିନୀ ପୂଜାହାରୀ ଏବଂ ବଲାଙ୍ଗୀରର ଶରତ ପଟନାୟକଙ୍କୁ କିଭଳି ଟିକେଟ ଦିଆଗଲା ସେ ନେଇ ପ୍ରଶ୍ନ କରାଯାଇଛି। ଉଭୟଙ୍କୁ ଟିକେଟ ଦିଆଯିବାରେ ବ୍ୟାପକ ଅର୍ଥ କାରବାର ହୋଇଥିବା ପିସିସି ସଂପାଦକ ଦୁଲାଲ ପ୍ରଧାନ ଅଭିଯୋଗ କରିଛନ୍ତି।

ଇସ୍ତଫା ଦେଇଥିବା ବ୍ୟକ୍ତି ମାନେ ହେଲେ ସମ୍ବଲପୁର ଜିଲ୍ଲା କଂଗ୍ରେସର ଉପସଭାପତି ପ୍ରେମପ୍ରକାଶ ସାହାଣୀ, ନିରଞ୍ଜନ ତ୍ରିପାଠୀ, ବିଜୟ ଭୂୟାଁ, ସାଧାରଣ ସମ୍ପାଦକ ତ୍ରିଲୋଚନ ପୁରୋହିତ, ସହର କଂଗ୍ରେସ ସଭାପତି ଲାଲମୋହନ ସାଠିଆ, ସମ୍ପାଦକ ଗୋପାଳ ପଣ୍ଡା, ସାଙ୍ଗଠନିକ ସମ୍ପାଦକ ନିୟତି ସେନ, ହରିଶ୍ଚନ୍ଦ୍ର ବାଲି, ଥମାସ ନେଚେରି, ସରୋଜ ମିଶ୍ର, ବୁର୍ଲା କଂଗ୍ରେସର ଶିବବ୍ରତ ପ୍ରଧାନ, ବରୁଣ ଦେହେରି ପ୍ରମୁଖ ରହିଛନ୍ତି। ନାମାଙ୍କନ ଦାଖଲର ଅନେକ ପୂର୍ବରୁ କଂଗ୍ରେସ ବିଧାନସଭା ପ୍ରାର୍ଥୀ ଭାବରେ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁଙ୍କ ନାମ ଘୋଷଣା କରାଗଲା। ପରଦିନ ସୋନପୁର ଜିଲ୍ଲା ଅଧିବାସୀ ତଥା ଭିମ୍‌ସାର ନିର୍ଦେଶକ ପଦରୁ ଇସ୍ତଫା ଦେଇଥିବା ଡା.ଅଶ୍ବିନୀ ପୂଜାହାରୀଙ୍କ କଂଗ୍ରେସରେ ଯୋଗଦାନ ପରେ ତାଙ୍କୁ ବିଧାନସଭା ପ୍ରାର୍ଥୀ କରାଗଲା। ବଲାଙ୍ଗୀର ଲୋକସଭା ଆସନରୁ ଲଗାତାର ପରାଜିତ ହୋଇଥିବା ଶ୍ରୀ ପଟ୍ଟନାୟକଙ୍କୁ ସମ୍ବଲପୁରରେ ଥଇଥାନ କରାଗଲା।

ତାଙ୍କ ପ୍ରାର୍ଥିତ୍ବକୁ ପୂର୍ବରୁ ମଧ୍ୟ ସମ୍ବଲପୁର କଂଗ୍ରେସର ଏକ କମିଟି ବିରୋଧ କରିଥିଲା। ହାଇକୋର୍ଟ ବେଞ୍ଚ ସମ୍ବଲପୁର ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଏ ନେଇ ସମ୍ବଲପୁର ଏବଂ ବଲାଙ୍ଗୀର ମଧ୍ୟରେ ବିବାଦ ଲାଗିଥିବାଜବେଳେ ବଲାଙ୍ଗୀରର ଜଣେ ବ୍ୟକ୍ତି ପ୍ରାର୍ଥୀ ହେଲେ କଂଗ୍ରେସ ଦୁର୍ବଳ ହେବ ବୋଲି ଦଳର ଏହି କର୍ମକର୍ତ୍ତା କହିଛନ୍ତି। ଆସନ୍ତାକାଲି ୪ ତାରିଖ ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ତାରିଖ। ଏହାର କିଛି ଘଣ୍ଟା ପୂର୍ବରୁ ୩ ତାରିଖ ସଂଧ୍ୟାରେ ସମ୍ବଲପୁର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଏହା ବିରୋଧରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟର ପ୍ରାୟ ୫୦ରୁ ଅଧିକ କର୍ମକର୍ତ୍ତା ଉପସ୍ଥିତ ଥାଇ ବୈଠକ କରିଥିଲେ।

ସମ୍ବନ୍ଧିତ ଖବର