ରିପୋର୍ଟ ୨୦୧୭ : ୧୨୬୭ ହତ୍ୟା ମାମଲା, ୬୪୩ରେ ଚାର୍ଜସିଟ୍‌

କଟକ : ରାଜ୍ୟରେ ୨୦୧୭ ମସିହାରେ ମୋଟ ୧୨୬୭ ହତ୍ୟା ମାମଲା ପଂଜିକୃତ ହୋଇଛି। ସେଗୁଡ଼ିକ ମଧ୍ୟରୁ ୬୯୭ ପୁରୁଷ ଓ ୫୪୯ ମହିଳାଙ୍କ ହତ୍ୟା ମାମଲା ଅନ୍ତର୍ଭୁକ୍ତ। ତେବେ ଏଗୁଡ଼ିକ ମଧ୍ୟରୁ କେବଳ ୬୪୩ ମାମଲାକୁ ଚାର୍ଜସିଟ୍‌ କରାଯାଇଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବର୍ଷ ୮୪.୪ ପ୍ରତିଶତ ହତ୍ୟା ମାମଲାକୁ ପୁଲିସ୍‌ ଚିହ୍ନଟ କରିବାରେ ସଫଳ ହୋଇଥିବାବେଳେ ୧୫୮୯ଜଣ ଅଭିଯୁକ୍ତ ଗିରଫ ହୋଇଥିବା କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ରେ ମୋଟ ୧୩୨୮ ହତ୍ୟା ମାମଲା ରୁଜୁ ହୋଇଥିଲାବେଳେ ସେଥିମଧ୍ୟରୁ ୬୮୩ ପୁରୁଷ ଓ ୬୫୯ ମହିଳାଙ୍କ ହତ୍ୟା ମାମଲା ରହିଛି। ତେଣୁ ଏହି ବର୍ଷ ତୁଳନାରେ ୨୦୧୭ରେ ହତ୍ୟା ମାମଲାରେ ହ୍ରାସ ଘଟିଥିବା ଜଣାପଡ଼ିଛି। ୨୦୧୭ରେ ୩୦୬ ଯୌତୁକ ଜନିତ ହତ୍ୟା, ୧୧୫ ବ୍ୟକ୍ତିଗତ ଶତୃତା, ୭୧ଟି ପ୍ରେମ ଜନିତ ହତ୍ୟାକାଣ୍ଡ, ୫୦ ସମ୍ପତ୍ତି ବିବାଦ ସମ୍ପର୍କିତ ହତ୍ୟାକାଣ୍ଡ, ୩୨ଟି ଅନ୍ୟାନ୍ୟ କାରଣ ଜନିତ ହତ୍ୟାକାଣ୍ଡ ରେକର୍ଡଭୁକ୍ତ କରାଯାଇଛି। କିନ୍ତୁ ୨୦୧୭ରେ କୌଣସି ସାମ୍ପ୍ରଦାୟିକ ହତ୍ୟାକାଣ୍ଡ ପଂଜିକୃତ ହୋଇନଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଏହି ବର୍ଷ ଉଗ୍ରବାଦୀ କାର୍ଯ୍ୟକଳାପ ଯୋଗୁଁ ୫ଟି ହତ୍ୟାକାଣ୍ଡ ହୋଇଥିବାବେଳେ ୨୦୧୬ରେ ୧୧ଟି ହତ୍ୟା ହୋଇଥିଲା। ଅନ୍ୟପକ୍ଷରେ ଗତବର୍ଷ ହୋଇଥିବା ୬୪୩ ଚାର୍ଜସିଟ୍‌ ବାଦ୍‌ ଆଉ ୩୮୧ ମାମଲା ଚାର୍ଜସିଟ୍‌ ହେବା ଅପେକ୍ଷାରେ ରହିଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର