୩୦ରୁ ଦ୍ବିତୀୟ ଓଡ଼ିଶା ମେଡ୍ ଏକ୍ସପୋ

ଭୁବନେଶ୍ବର : ଆସନ୍ତା ୩୦ତାରିଖରୁ ସୋଆ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସରେ ଓଡ଼ିଶା ମେଡ୍ ଏକ୍ସପୋର ଦ୍ବିତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ ଦେଶ ତଥା ଦେଶ ବାହାରୁ ଶହେରୁ ଅଧିକ ଔଷଧ କମ୍ପାନି ଏଥିରେ ସାମିଲ ହେବେ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଥିବା ବିଭିନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପର୍କରେ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ଜନସାଧାରଣ ଜାଣିବାର ସୁଯୋଗ ପାଇବେ। ରାଜ୍ୟର ସରକାରୀ ଓ ବେସରକାରୀ ଡାକ୍ତରଖାନାମାନଙ୍କୁ ଏକ୍ସପୋକୁ ଆମନ୍ତ୍ରଣ କରାଯିବ ବୋଲି କହିଛନ୍ତି ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେ୍ରାଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଡା.ମନୋଜ ସାହୁ।

ମଙ୍ଗଳମ୍ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଆଜି ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା.ସାହୁ କହିଲେ, ଏହିସବୁ ଅତ୍ୟାଧୁନିକ ଜ୍ଞାନକୌଶଳ ରୋଗୀଙ୍କ ‌ଚିକିତ୍ସାରେ ଲଗାଇବା ହେଉଛି ଏହି ଏକ୍ସପୋର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟରେ ଅନେକ ଡାକ୍ତର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଘଟୁଥିବା ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପର୍କରେ ଅଜ୍ଞ। ଏହି ଏକ୍ସପୋ ସେମାନଙ୍କ ପାଇଁ ସହାୟକ ହୋଇପାରିବ। ଡାଏଗ୍ନୋଷ୍ଟିକ୍, ଥେରାପ୍ୟୁଟିକ୍ସ, ପାରାମେଡିକାଲ, ବାଇଓମେଡିକାଲ ଓ ଷ୍ଟେରିଲାଇଜେନସ୍ ସଂପର୍କରେ ଜାଣିବାର ସୁଯୋଗ ପାଇବେ। ଆସନ୍ତାମାସ ୨ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ଚାଲିବ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସୋଆ ବିଶ୍ବବିଦ୍ୟାଳୟର ଉପ-ନିର୍ଦେଶକ ଶଶାଙ୍କ ଶେଖର ମିଶ୍ର, ମଙ୍ଗଳମ୍‌ର ନିର୍ଦେଶକ ଶ୍ରୀକାନ୍ତ ସାମଲ, ଆଇଏମ୍‌ଏ ଭୁବନେଶ୍ବରର ସଂପାଦକ ଡା.ମାଗୁଣି ବେହେରା, ଡା.ଜୟନ୍ତ କୁମାର ଦାସ ଓ ଡା.ଏସ୍.ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର