ଶୀତଳଷଷ୍ଠୀକୁ ଆଉ ୪ ଦିନ, ସରିଲା ୩୨ ଚକ ଓ ୨୦ ଅଖ

ଆଗେଇ ଚାଲିଛି ଗୁଜ ଓ କଣ୍ଟା କାମ

ପୁରୀ: ମେ ୨୮ରେ ଶୀତଳଷଷ୍ଠୀ। ଭଉଁରୀରେ ଚକଡ଼େରା ଅନୁକୂଳ ପରେ ଶୀତଳଷଷ୍ଠୀରେ ଚକଡେରା ଶେଷ ହେବାର ବିଧି ରହିଛି। ମଝିରେ ଆଉ ୪ ଦିନ ହାତରେ ଥିବାରୁ ଚକ ଓ ଅଖ କାମ ସମ୍ପୂର୍ଣ୍ଣ କରିବାକୁ ମହାରଣା ସେବକଙ୍କଠାରୁ ଆରମ୍ଭ କରି ‌ରୂପକାର, ‌ଓଝା, ଭୋଇ ସେବକମାନେ ଲାଗି ପଡ଼ିଛନ୍ତି। ଅଖ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିନ୍ଧ ତୁମ୍ବରେ ଅର,ପଇ ସଂଯୋଗକୁ ରଥଖଳାରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଇତି ମଧ୍ୟରେ ତିନି ରଥର ୪୨ ଚକରୁ ୩୨ଟି ଚକ କାମ ଶେଷ ହୋଇଛି। ‌ସେହି ଭଳି ୨୧ ଅଖରୁ ୨୦ଟି ଅଖକାମ ଶେଷ ହୋଇଛି। ତାଳଧ୍ବଜ ରଥର ୧୪ଟି ଚକରୁ ୧୧ଟି ଚକ ଶେଷ ହୋଇଥିବା ବେଳେ ବାକି ତିନି ଚକର ଅର ସଂଯୋଗ ଓ ପଇ ବିନ୍ଧ କାମ ଚାଲିଛି।

ନନ୍ଦିଘୋଷ ରଥର ୧୬ଟି ଚକରୁ ୧୧ଟି ଚକ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଦୁଇଟି ତୁମ୍ବରେ ଅର ସଂଯୋଗ କାମ ଚାଲିଛି। ଅନ୍ୟ ଦୁଇଟି ଚକରେ ପଇ ସଂଯୋଗ ସରି ବିଲେଇବାଡ଼ିଆ କାମ ଚାଲିଛି। ଦେବୀଦଳନ ରଥର ୧୦ଟି ଚକ ସମ୍ପୂର୍ଣ୍ଣ ହୋଇ ଅନ୍ୟ ଚକରେ ଅର-ପଇ ସଂଯୋଗ କାମ ଚାଲିଛି। ତାଳଧ୍ବଜ ରଥ ଓ ଦେବଦଳନ ରଥର ସମସ୍ତ ଅଖ ‌ଶେଷ ହୋଇଥିବାବେଳେ ନନ୍ଦିଘୋଷ ରଥର ୭ଟି ଅଖ ଶେଷ ହୋଇଛି। ଶେଷ ତଥା ଅଷ୍ଟମ ଅଖର ମାଠେଣି କାମ ବାକି ରହିଛି।

ଆଗେଇ ଚାଲିଛି ଗୁଜ ଓ କଣ୍ଟା କାମ
ପୁରୀ: ତିନି ରଥର ଗୁଜକାମ ରୂପକାର ସେବକମାନେ ଆଗେଇ ନେଇଛନ୍ତି। ଏ ଭିତରେ ତିନି ରଥର ୧୦ଟି ଲେଖାଁଏ, ୩୦ଟି ଗୁଜ କାମ ଶେଷ ହୋଇଛି। ବାକି ଗୁଜଗୁଡ଼ିକର ଖୋଦେଇ ଓ ଅଳଙ୍କାର କାମ ଆଗେଇ ଚାଲିଛି। କରତି ସେବକଙ୍କ ଦ୍ବାରା ଦୋଳବେଦୀଠାରେ ନନ୍ଦିଘୋଷ ରଥର ଗୟଳ ଚିରଟ ପୂର୍ବରୁ ବାରିସି କାମ ଚାଲିଛି। ଏହାପରେ ସୂତା କାମ କରାଯାଇ ଚିରଟ କାର୍ଯ୍ୟ କରାଯିବ। ସେପଟେ ‌ଦୋଳବେଦୀ କମାରଶାଳରେ ଓଝା ସେବକଙ୍କ ଦ୍ବାରା ତିନିରଥ ପାଇଁ ୨୦ ଏମଏମ ମୋଟେଇର ଅଖ କଣ୍ଟା ତିଆରି ଚାଲିଛି। ଏହାକୁ ଆଗପାତେଳି ଓ ଚଉରସ କଣ୍ଟା କୁହାଯାଏ। ଆଗପାତେଳି କଣ୍ଟା ତୁମ୍ବର ବାହ୍ୟ ଅଂଶରେ ଅର୍ଥାତ୍‌ ଅଖଦଣ୍ଡା ଓ କୁକୁଡ଼ାକୁ ଯୋଡ଼ିଥାଏ। ଚଉରସ କଣ୍ଟା ତୁମ୍ବର ଭିତର ଅଂଶ ଅର୍ଥାତ୍‌ ଅଖଦଣ୍ଡାରେ ବାଡ଼ିଆଯାଏ। ଏହା ଅଖ ଓ ଦଣ୍ଡାକୁ ସୁଦୃଢ଼ କରି ରଖେ। ସେହିଭଳି ଗରଗରା କଣ୍ଟା ପ୍ରସ୍ତୁତି ଚାଲିଛି। ଗରଗରା କଣ୍ଟା ଦଣ୍ଡା, ଅଖ ଓ ଗରଗରାକୁ ବାନ୍ଧି ରଖେ।

ସମ୍ବନ୍ଧିତ ଖବର