ଆଜି ୪ଟି ସ୍ଥାନରେ ୪୦ ଡିଗ୍ରି ଟପିଲା ପାରଦ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଆଜି ତାତିରେ ସିଝିଛି । ଆଜି କିଛି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି । ଆଜି ରାଜ୍ୟର ଟିଟିଲାଗଡ, ଭବାନୀପାଟଣା, ତାଳଚେର ଓ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ଟିଟିଲାଗଡ଼ ଓ ତାଳଚେରର ତାପମାତ୍ରା ୪୧ ଡିଗ୍ରି ରହିଛି । ସେହିପରି ଭବାନୀପାଟଣା ଓ ମାଲକାନଗିରିରେ ତାପମାତ୍ରା ଆଜି ୪୦.୫ ଡିଗ୍ରୀ ରହିଛି | ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତାକାଲି(ମେ ୧୨) ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବ।

୧୩ ତାରିଖ ଦିନ ପବନର ବେଗ କମିବ। କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୪ ତାରିଖ ପରଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ୧୮ ତାରିଖ ବେଳକୁ ଭୁବନେଶ୍ବର ତା‌ପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଓ ତା’ ପରେ ପୁଣି କ୍ରମଶଃ ବଢ଼ିବ।

ଅତ୍ୟଧିକ ଆର୍ଦ୍ରତା ହେତୁ ଉପକୂଳ ଅଞ୍ଚଳରେ ତାପମାତ୍ରା ପ୍ରାୟ ୫ ଡିଗ୍ରି ସେଲ୍‌ସିୟସ ଅଧିକ ଅନୁଭୂତ ହେବ। ଉତ୍ତର-ପଶ୍ଚିମାଞ୍ଚଳ‌ର କେତେଗୁଡ଼ିଏ ସ୍ଥାନରେ ୧୮ ତାରିଖରେ ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିବ। ସେହିପରି ମାଲ୍‌କାନାଗିରି, କଳାହାଣ୍ଡି, ବଲାଙ୍ଗୀର, ଗଜପତି, ବୌଦ୍ଧ ଓ ତାଳଚେରରେ ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର