ରାଉରକେଲାରୁ ଅପହୃତ ୨ ବାଳିକା ଓ ୩ ବାଳକ ଉଦ୍ଧାର

ବାମରା : ରାଉରକେଲାରୁ ଅପହୃତ ହୋଇଥିବା ୩ ଜଣ ବାଳକ ଏବଂ ୨ ଜଣ ବାଳିକାଙ୍କୁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ପୁଲିସ୍‌ ଉଦ୍ଧାର କରିଛି। ଉକ୍ତ ୫ ଜଣଙ୍କୁ ଅପହରଣ କରି ଆଣିଥିବା ଦୁଇ ଜଣ ଯୁବକ ଫେରାର ହୋଇଯାଇଛନ୍ତି। ବାମରା ରେଳ ଷ୍ଟେସନ୍‌ରେ ଏମାନେ କୌଣସି ଟ୍ରେନ୍‌ରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ ଏବଂ କେଚ୍ଛୁପାଣି ଗାଁରେ ପହଞ୍ଚିଥିଲେ। ଏ ବାବଦରେ ବୁଝାବୁଝି କରି ଟାଂଗରମୁଣ୍ଡା ଗାମରକ୍ଷୀ ପ୍ରଶାନ୍ତ କୁମାର ସେମାନଙ୍କୁ ନିଜ ଘରକୁ ନେଇ ଯାଇଥିଲେ ଏବଂ ପରେ ଉଚ୍ଚକାପାଟ ସରପଞ୍ଚଙ୍କ ମାଧ୍ୟମରେ ଗୋବିନ୍ଦପୁର ପୁଲିସ୍‌କୁ ସୂଚନା ଦିଆଯାଇଥିଲା।

୫ ଜଣଙ୍କ ମଧ୍ୟରୁ ଜଣେ ୮ ବର୍ଷର ବାଳିକା କହିଛି ଯେ ସକାଳ ୧୦ଟା ସମୟରେ ଦୁଇ ଜଣ ଯୁବକ ସେମାନଙ୍କୁ ବିସ୍କୁଟ୍‌, ଚକଲେଟ ଦେଇ ନେଇଯିବା ପରେ ଛୁରି ଦେଖାଇ ଟ୍ରେନ୍‌ରେ ବସିବାକୁ କହିଥିଲେ। କିଛି ଯାତ୍ରୀ ଏହି ଘଟଣା ଉପରେ ସଂଦେହ କରିଥିଲେ ଏବଂ ସେମାନଙ୍କୁ ନଜରରେ ରଖିଥିଲେ। ବାମରା ଷ୍ଟେସନ୍‌ରେ ଟ୍ରେନ୍‌ରେ ଅଟକିଥିବା ବେଳେ ସେମାନେ ଦୌଡ଼ି ପଳାଇଥିଲେ ଏବଂ ଉକ୍ତ ଯୁବକମାନେ ମଧ୍ୟ ଫେରାର ହୋଇଯାଇଥିଲେ। ସମସ୍ତେ ହିନ୍ଦୀ ଓ ସାଦ୍ରି ଭାଷାରେ କଥାବାର୍ତ୍ତା କରୁଛନ୍ତି। ଏମାନଙ୍କ ମଧ୍ୟରେ ଉକ୍ତ ୮ ବର୍ଷିଆ ବାଳିକା ବ୍ୟତୀତ ଆଉ ଜଣେ ୭ ବର୍ଷର ଥିବା ସହ ୫ ବର୍ଷର ଜଣେ ବାଳକ ଏବଂ ୬ ବର୍ଷର ଦୁଇ ଜଣ ବାଳକ ଅଛନ୍ତି।

ଦୁଇ ଝିଅ ଓ ଦୁଇ ପୁଅଙ୍କ ପିତାମାତା ତୁଲେ ନାଏକ ଓ ଫଳ ନାଏକ ବୋଲି ଜଣାପଡ଼ିଛି। ଆଉ ଜଣେ ବାଳକର ପିତାଙ୍କ ନାଁ ମଇନାର ନାଏକ, ମାତାଙ୍କ ନାମ କୁନ୍ତି ନାଏକ ବୋଲି ସୂଚନା ମିଳିଛି। ବଡ଼ ଝିଅ ୮ ବର୍ଷର ସୁନିତା ନିଜ ଘର ନାଟେଲ ବସ୍ତି, ପାହାଡ଼ପୁର, ଜାମଟୋଲା, ରାଉରକେଲା ବୋଲି କହିଛି। ତେବେ, ସେମାନେ କୌଣସି ସ୍କୁଲରୁ ଚାଲି ଆସିଥାଇପାରନ୍ତି ବୋଲି ମଧ୍ୟ ସଂଦେହ ହୋଇଛି। ଗୋବିନ୍ଦପୁର ପୁଲିସ୍‌ ସେମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର