ସାଲେପୁର ଦୁଷ୍କର୍ମ ମାମଲା : ୯ ଦିନ ସଂଘର୍ଷର ଅନ୍ତ, ଆଖିବୁଜିଲେ ପୀଡ଼ିତା

କଟକ : ୯ ଦିନ ଧରି ଜୀବନ ସହ ସଂଘର୍ଷ କରୁଥିବା ଦୁଷ୍କର୍ମ ପୀଡ଼ିତା ସାଲେପୁରର ନାବାଳିକା ଆଖି ବୁଜିଛନ୍ତି। ଆରମ୍ଭରୁ କୋମାରେ ଥିବା ଏହି ନାବାଳିକା କଟକ ବଡ଼ମେଡ଼ିକାଲର ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ ଘଟିଛି ବୋଲି ଆଜି ଅପରାହ୍ନ ୪ଟା ବେଳେ ଡାକ୍ତରମାନେ ବିଧିବଦ୍ଧ ଘୋଷଣା କରିଛନ୍ତି।

ଗତ ୨୧ ତାରିଖ ଦିନ ୬ ବର୍ଷର ଏହି ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ଏକ ସ୍କୁଲ୍‌ ଘର ଭିତରେ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା। ଅତ୍ୟନ୍ତ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୧୩ ଜଣିଆ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ। କିନ୍ତୁ ଲଗାତର ଭାବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟୁଥିଲା। ଶେଷରେ ପୀଡ଼ିତା ଆଜି ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।

ଡାକ୍ତରଙ୍କ କହିବା ଅନୁଯାୟୀ, ପୀଡ଼ିତାଙ୍କର ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍‌ରେ ହେଉ ନଥିବାବେଳେ ଅମ୍ଳଜାନ ପ୍ରବାହ ମଧ୍ୟ ବନ୍ଦ ହୋଇଯାଇଥିଲା। ତେଣୁ ପ୍ରଥମ ଦିନରୁ ସେ କୋମାରେ ରହିଥିଲେ। ପ୍ରଥମ ଦୁଇ ଦିନ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିବାପରେ ତୃତୀୟ ଦିନଠୁ ସ୍ଥିତି ଗୁରୁତର ହେବାରେ ଲାଗିଥିଲା। ମସ୍ତିଷ୍କକୁ ଅମ୍ଳଜାନ ପ୍ରବାହ ବନ୍ଦ ହୋଇଯିବାରୁ ଏହାର ପ୍ରଭାବରେ ଫୁସ୍‌ଫୁସ୍‌, କିଡ୍‌ନି ଓ ଅନ୍ୟାନ୍ୟ ଅଙ୍ଗଗୁଡ଼ିକ ସଂକ୍ରମଣ ହୋଇଥିଲା। ରକ୍ତଚାପ ଓ ହୃଦ୍‌ସ୍ପନ୍ଦନରେ ମଧ୍ୟ ସ୍ଥିରତା ଆସୁନଥିଲା। ଦୁଇ ଦିନ ତଳେ ହଠାତ୍‌ ତାଙ୍କର ହୃଦ୍‌ସ୍ପନ୍ଦନ ହ୍ରାସ ପାଇଥିଲା। ଶୁକ୍ରବାରଠୁ ବ୍ରେନ୍‌ ଷ୍ଟେମ୍‌ ଠିକ୍‌ରେ କାମ କରୁନଥିଲାବେଳେ ଶନିବାର ଏହା ମଧ୍ୟ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା। ଆଲୋକ ଓ ଯନ୍ତ୍ରଣାର ପ୍ରଭାବ ଅନୁଭୂତ ହେଉନଥିଲା। କିଛିଦିନ ତଳେ ତାଙ୍କୁ କ୍ଷୀର ପିଇବାକୁ ଦିଆଯାଇଥିଲେ ବି ତାହା ମଧ୍ୟ ବାହାରି ଆସିଥିଲା। ତେଣୁ ସଂପୂର୍ଣ୍ଣ କୋମା ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା। ଏପରି ସ୍ଥିତିରେ ଆଜି ଅପରାହ୍ନ ପ୍ରାୟ ୪ଟା ବେଳକୁ ତାଙ୍କର ପଲ୍ସ କାଉଣ୍ଟିଂ ବନ୍ଦ ହୋଇଯାଇଥିଲା। ହୃଦ୍‌ଘାତ ଯୋଗୁଁ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ରିପୋର୍ଟ ଦେଇଥିଲେ।

ପୀଡ଼ିତାଙ୍କ ମୃତ୍ୟୁ ପରେ ରବିବାର ସଂଧ୍ୟାବେଳେ ପୁଲିସ୍‌ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବା ସହ ମହାପ୍ରୟାଣ ଆମ୍ବୁଲାନ୍ସରେ ମରଶରୀରକୁ ସାଲେପୁର ନିଆଯାଇଥିଲା।

ଘଟଣା ଅନୁସାରେ, ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ଫୋଗଳ ଜଗନ୍ନାଥପୁରରେ ଏହି ୬ ବର୍ଷର ନାବାଳିକାକୁ ଦୁଷ୍କର୍ମର ଶିକାର ହୋଇଥିଲେ। ସେହି ରାତି ପ୍ରାୟ ସାଢ଼େ ସାତଟା ବେଳେ ସେ ଘରୁ ଚକୋଲେଟ୍‌ କିଣିବାକୁ ବାହାରକୁ ବାହାରିଥିଲା। ହେଲେ ସେହି ସମୟରେ ପାଓ୍ଵାରକଟ୍‌ ହୋଇଥିବାରୁ ଏହାର ସୁଯୋଗ ନେଇ ପଡ଼ିଶା ଘରର ଅଭିଯୁକ୍ତ ମହମ୍ମଦ ମୁସାକ୍‌ ଚକୋଲେଟ୍‌ ପ୍ରଲୋଭନ ଦେଖାଇ ନିକଟସ୍ଥ ସ୍କୁଲ୍‌ ଘରକୁ ଟେକି ନେଇଥିଲା। ସେଠାରେ ଦୁଷ୍କର୍ମ କରିବା ପରେ ମାରିଦେବାକୁ ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯିବା ସହ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ୍‌କୁ ପଠାଯାଇଥିଲା।

ଅନ୍ୟପକ୍ଷରେ, ପୁଲିସ ଅଭିଯୁକ୍ତ ମୁସାକ୍‌କୁ ଗିରଫ କରିଥିଲା। ପୂର୍ବରୁ ଅଭିଯୁକ୍ତ ବିରୋଧରେ ଆଇପିସିର ୩୦୭, ୩୭୬ ଦଫା ସହ ପୋକ୍‌ସୋ ଆଇନ୍‌ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଆଜି ନାବାଳିକାର ମୃତ୍ୟୁ ପରେ ପୁରୁଣା ମାମଲାରେ ହତ୍ୟା ଅଭିଯୋଗ (ଦଫା ୩୦୨) ଯୋଡ଼ା ଯାଇଛି। ଏହି ମାମଲାକୁ ରେଡ୍‌ଫ୍ଲାଗ୍‌ ମାନ୍ୟତା ଦେବାକୁ ପ୍ରସ୍ତାବ ଦେବା ସହ ସେହି ଅନୁଯାୟୀ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ୪ ସପ୍ତାହ ମଧ୍ୟରେ ତଦନ୍ତ ଶେଷ କରି ଚାର୍ଜସିଟ୍‌ ଦାଖଲ କରିବାକୁ ଉଦ୍ୟମ କରାଯାଉଛି ବୋଲି ଅତିରିକ୍ତ ଏସ୍‌ପି କୃତ୍ତିବାସ ଜେନା କହିଛନ୍ତି।

ଅନ୍ୟପଟେ ପୀଡ଼ିତାଙ୍କ ଗାଁରେ ଆଜି କୌଣସି ପ୍ରକାର ଅଘଟଣ ଏଡ଼ାଇବାକୁ ଦୁଇ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ପୀଡ଼ିତାଙ୍କ ବାପା ଓ ଭଉଣୀ ଅଭିଯୁକ୍ତକୁ ଫାଶୀ ଦେବାକୁ ଦାବି କରିଛନ୍ତି।

ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର : ସାଲେପୁରରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର