୧୨ ସୁଦ୍ଧା ୯୦% ଗ୍ରାହକଙ୍କୁ ବିଜୁଳି ଯୋଗାଣ ହେବ

ପୁରୀରେ ବିଜୁଳି ଭିତ୍ତିଭୂମି ସଜାଡ଼ିବାକୁ ୪୦୦୦ ଲୋକ ନିୟୋଜିତ

ଭୁବନେଶ୍ବର : ଆସନ୍ତା ୧୨ ତାରିଖ ସୁଦ୍ଧା ପୁରୀ ବାଦ୍ ଅବଶିଷ୍ଟ ବାତ୍ୟା ପ୍ରଭାବିତ ଜିଲ୍ଲାରେ ୯୦ ପ୍ରତିଶତ ବିଦ୍ୟୁତ ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଇ ଦିଆଯିବ। ପୁରୀରେ କିଛିଟା ସମୟ ଲାଗିବ। କିନ୍ତୁ ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ ଭିତ୍ତିଭୂମି ସଜାଡ଼ିବାକୁ ୪୦୦୦ ଲୋକ ନିୟୋଜିତ ଅଛନ୍ତି ବୋଲି ଶକ୍ତି ସଚିବ ହେମନ୍ତ ଶର୍ମା ଆଜି ସୂଚନା ଦେଇଛନ୍ତି।

ସଚିବାଳୟରେ ଗଣମାଧ୍ୟମକୁ ଶ୍ରୀ ଶର୍ମା କହିଲେ, ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିବା ପାଇଁ ଦ୍ରୁତ ଗତିରେ କାମ ଚାଲିଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଭୁବନେଶ୍ବରରେ ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୁରୀରେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ସମେତ ଓଡ଼ିଶାରୁ ପ୍ରାୟ ୪୦୦୦ କୁଶଳୀ ଓ ଅର୍ଦ୍ଧକୁଶଳୀ ଲୋକ ପୁରୀରେ କାମ କରୁଛନ୍ତି। କେରଳ ଓ କର୍ଣ୍ଣାଟକରୁ ମଧ୍ୟ ଅଧିକ ଲୋକ ପହଞ୍ଚିଛନ୍ତି। ଯଥାଶୀଘ୍ର ବିଦ୍ୟୁତ ଯୋଗାଣ ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି।

ଶ୍ରୀ ଶର୍ମା ଆହୁରି କହିଥିଲେ, ଏଲ୍‌ଟି ଲାଇନ୍‌ରେ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଟ୍ରାନ୍ସଫର୍ମର୍‌ ପର୍ଯ୍ୟନ୍ତ କାମ କରିବାକୁ ଆମର ମାନବ ସମ୍ବଳ ନିୟୋଜିତ ହୋଇଛନ୍ତି। ଗ୍ରାହକଙ୍କ ଘରକୁ ବିଦ୍ୟୁତ ପୁନଃସଂଯୋଗ ବେଳେ ସେମାନଙ୍କୁ ସହଯୋଗ ଯୋଗାଇ ଦେବା ପାଇଁ ଗତକାଲି ଠାରୁ ୨୦୦ ଆଇଟିଆଇ ଛାତ୍ରଙ୍କୁ ନି‌ୟୋଜିତ କରାଯାଇଛି। ଭୁବନେଶ୍ବରରେ ଯେଉଁ ସ୍ଥାନରେ ଭୂତଳ କେବୁଲ୍‌ ଥିଲା, ସେଠାରେ ମେ’ ୫ ଓ ୬ ତାରିଖରେ ବିଜୁଳି ସଂଯୋଗ ଦିଆଯାଇପାରିଥିଲା। ଭୁବ‌େନଶ୍ବରରେ ଅନ୍ୟ ଯେଉଁ ସ୍ଥାନରେ ଭୂତଳ କେବୁଲ୍‌ କାମ ଚାଲିଥିଲା, ସେଠାରେ କେବେ ସରିବ ସେ ନେଇ ନିର୍ଦ୍ଦିଷ୍ଟ ସମୟସୀମା ଖୁବ୍ ଶୀଘ୍ର ସ୍ଥିର ହେବ। ତେବେ ୧୨ ତାରିଖ ସୁଦ୍ଧା ଭୁବନେଶ୍ବରରେ ବିଜୁଳି ଯୋଗାଣ ସ୍ବାଭାବିକ ହେବ ବୋଲି ସଚିବ ଜୋର୍‌ ଦେଇଥିଲେ।

ସମ୍ବନ୍ଧିତ ଖବର