୯୮୨୮.୫୬ କୋଟିର ବ୍ୟୟମଞ୍ଜୁରି ବିଲ୍‌ ପାରିତ

ଭୁବନେଶ୍ୱର: ଆଜି ଗୃହରେ ୨୦୧୭-୧୮ ବର୍ଷ ପାଇଁ ୯୮୨୮ କୋଟି ୫୬ ଲକ୍ଷ ୬୨ ହଜାର ଟଙ୍କାର ବ୍ୟୟମଞ୍ଜୁରି ବିଲ୍‌ ପାରିତ ହୋଇଛି। ଅତିରିକ୍ତ ବଜେଟ୍‌ ଉପରେ ହୋଇଥିବା ପାଖାପାଖି ୪ ଘଣ୍ଟାର ଆଲୋଚନାରେ ଉଭୟ ଶାସକ ଓ ବିରୋଧୀ ଦଳରୁ ୧୪ଜଣ ବିଧାୟକ ଅଂଶଗ୍ରହଣ କରିଥିଲେ। ସରକାରଙ୍କ ସଫଳତା ସଂପର୍କରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ବଖାଣିଥିଲେ ହେଁ ଗତ ତିନିବର୍ଷ ଧରି ଖୋଲାବଜାରରୁ ଋଣ ଆଣୁଥିବା ସେ ସ୍ୱୀକାର କରିଥିଲେ।

ଆଲୋଚନା ଶେଷରେ ଅର୍ଥ ମନ୍ତ୍ରୀ କହିଲେ ଯେ ଏହି ଅତିରିକ୍ତ ବଜେଟ ମୂଳ ବଜେଟର ପ୍ରାୟ ୯.୨ ପ୍ରତିଶତ। ମୂଳ ବଜେଟ ସହିତ ଅତିରିକ୍ତ ବଜେଟକୁ ମିଶାଇଲେ ମୋଟ ପୁଞ୍ଜି ବିନିଯୋଗ ରାଜ୍ୟର ସକଳ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୫.୫ ପ୍ରତିଶତକୁ ଟପିଯିବ। କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ବରାଦ ମୋଟ ୬୮୧୨ କୋଟି ୭୫ ଲକ୍ଷ ଟଙ୍କା ମଧ୍ୟରୁ ଭିତ୍ତିଭୂମି ଏବଂ ଗ୍ରାମ୍ୟ ଉନ୍ନୟନକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ ବିଜୁ ପକ୍କାଘର ପାଇଁ ୨୨୭୩ କୋଟି ୪ ଲକ୍ଷ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୭୧୪ କୋଟି ଆଦି ବ୍ୟୟବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ଶେଷ ସୁଦ୍ଧା ରାଜସ୍ୱ ଆଦାୟ ଗତବର୍ଷ ଏହି ସମୟ ତୁଳନାରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଥିବା ମନ୍ତ୍ରୀ କହିଥିଲେ। ଅବଶ୍ୟ ଆଇଓସିଏଲ୍‌ଠାରୁ ବକେୟା ଓ ଏ ବର୍ଷର ଭାଟ୍‌ ଆଦାୟ ସହିତ ଖଣି ରାଜସ୍ୱ ବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ସୂଚନାଯୋଗ୍ୟ ଯେ, ଆଗାମୀ ଦିନରେ ପୌର ନିର୍ବାଚନକୁ ଆଖି ଆଗରେ ରଖି ସହରାଞ୍ଚଳ ଭିତ୍‌ିଭୂମି ଉନ୍ନୟନ ‘ଉନ୍ନତି’ ପାଇଁ ୨୫୮ କୋଟି ୭୭ ଲକ୍ଷ, ସହରାଞ୍ଚଳ ଜଳଯୋଗାଣ ବାବଦରେ ୧୧୧ କୋଟି ୧୯ ଲକ୍ଷ ଏବଂ ଓଡ଼ିଶା ସମନ୍ଵିତ ପରିମଳ ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ସହରାଞ୍ଚଳ ପରିମଳ ନିମନ୍ତେ ୧୦୯ କୋଟି ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର