ବିଧବା ବୃଦ୍ଧାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରେ ଏକ ଜଘନ୍ୟ ଦୁଷ୍କର୍ମ ଘଟଣା ଘଟି ଯାଇଛି। ଜଣେ ୬୭ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ସଂପର୍କୀୟ ପୁତୁରା ଦୁଇ ଦୁଇଥର ଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଏକ ବାଡ଼ି ପୂରାଇ ଦେଇଥିଲା। ଘଟଣାରେ ବୃଦ୍ଧା ଜଣକ ଗୁରୁତର ହୋଇ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ୍‌ ସୂତ୍ରରୁ ପ୍ରକାଶ ଗୁରୁବାର ସଂଧ୍ୟା ୫ରୁ୬ଟା ମଧ୍ୟରେ ଅଭିଯୁକ୍ତ ଜଗଦୀଶ ବାଦି (୪୨) ପୁଅବୋହୂଠାରୁ ଅଲଗା ଏକ ଘରେ ଏକାକୀ ରହୁଥିବା ଉକ୍ତ ବିଧବା ବୃଦ୍ଧାଙ୍କ ଘରକୁ ମଦ ନେଇ ଯାଇଥିଲା। ସେଠାରେ ଉଭୟ ମଦ୍ୟପାନ କରିଥିଲେ। ଏହାପରେ ସେ ବୃଦ୍ଧାଙ୍କୁ ଯୌନ ସଂପର୍କ ରଖିବାକୁ କହିଥିଲା। ସେ ମନା କରିବାରୁ ବଳପୂର୍ବକ ଦୁଇଥର ଦୁଷ୍କର୍ମ କରିଥିଲା। ଏହାପରେ ଅସହାୟ ବୃଦ୍ଧା ଜଣକ ତାକୁ କିଛି ଗାଳି ମନ୍ଦ କରିଥିବାରୁ ଅମଣିଷ ପାଲଟି ଯାଇଥିବା ଜଗଦୀଶ ଏକ ବାଡ଼ି ବୃଦ୍ଧାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରି ଦେଇଥିଲା। ବୃଦ୍ଧା ଜଣକ ରକ୍ତ ଜୁଡୁବୁଡୁ ହୋଇ ଅଚେତ ହୋଇ ପଡ଼ିଥିଲେ। ଅଭିଯୁକ୍ତ ତାଙ୍କୁ ଛାଡ଼ି ଘରକୁ ଚାଲି ଯାଇଥିଲା। ସୌଭାଗ୍ୟବଶତଃ ରାତିରେ କେହି ବୃଦ୍ଧାଙ୍କୁ ଖୋଜିବାକୁ ଆସି ଘରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କୁ ରାତାରାତି ଆଣି କୁଚିଣ୍ଡା ଥାନାରେ ଭର୍ତ୍ତି କରା ଯାଇଥିଲା। ଶୁକ୍ରବାର ସକାଳେ ବୃଦ୍ଧାଙ୍କ ଚେତା ଫେରିବା ପରେ ପୁଲିସ୍‌ ତାଙ୍କଠାରୁ ଘଟଣା ସଂପର୍କରେ ଶୁଣି ଅଭିଯୁକ୍ତ ଜଗଦୀଶକୁ ଗିରଫ କରିଥିଲା। ସଂଧ୍ୟାରେ ତାକୁ କୋର୍ଟ ଚାଲାଣ କରା ଯାଇଥିବା କୁଚିଣ୍ଡା ଏସ୍‌ଡିପିଓ ରାଜକିଶୋର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ପୀଡ଼ିତା ବୃଦ୍ଧାଙ୍କ ଅବସ୍ଥା ସ୍ଥିର ଥିବାବେଳେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର