ଓଡ଼ିଶାକୁ ଗୁଜୁରାଟ ଭଳି ସହଯୋଗ କର: ପ୍ରଫୁଲ୍ଲ

ଭୁବନେଶ୍ୱର : ଆଜି ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଉଦ୍‌ଘାଟନ ଉତ୍ସବରେ ଜିଲ୍ଲାରୁ ମନ୍ତ୍ରୀ ଥିବା ପ୍ରଫୁଲ୍ଲ ସାମଲ ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ନିଜ ମନର କଥା କହିବାକୁ ହିନ୍ଦୀରେ କହିଥିଲେ। ଆଦାନୀ ଗ୍ରୁପ୍‌ ପକ୍ଷରୁ ମୁନ୍ଦ୍ରାରେ ସ୍ଥାପିତ ବୃହତ୍‌ ବନ୍ଦର ସହିତ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌ ଜରିଆରେ ଯେପରି ଗୁଜୁରାଟକୁ ସହଯୋଗ କରୁଛନ୍ତି ସେହିପରି ଓଡ଼ିଶାକୁ ମଧ୍ୟ ସହଯୋଗ କରିବା ଉଚିତ୍‌। ମନ୍ତ୍ରୀ ଶ୍ରୀ ସାମଲଙ୍କର ଏହି ବକ୍ତବ୍ୟ ସଭାରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ଗୌତମ ଆଦାନୀଙ୍କର କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଥିବା ଉତ୍ତମ ସମ୍ପର୍କକୁ ଲକ୍ଷ୍ୟ କରି ଶ୍ରୀ ସାମଲ ଏପରି କହିଥିବା ଆଲୋଚନା ହୋଇଥିଲା। ସେହିପରି ଧାମରା ବନ୍ଦର ପକ୍ଷରୁ ସ୍ଥାନୀୟ ନିଯୁକ୍ତି ଉପରେ ବିଶେଷ ଧ୍ୟାନ ଦିଆଯିବାକୁ ଶ୍ରୀ ସାମଲ ମତ ଦେଇଥିଲେ। ଆଦାନୀ ପକ୍ଷରୁ ସହଯୋଗ ଯୋଗାଇଦିଆଗଲେ ନିଜ ବିଭାଗ ଏମ୍‌ଏସ୍‌ଏମ୍‌ଇ ପକ୍ଷରୁ ଧାମରାରେ ଉଦ୍ୟୋଗ ବିକାଶ ଅନୁଷ୍ଠାନ ଆରମ୍ଭ କରାଯିବା ନେଇ ମନ୍ତ୍ରୀ ଶ୍ରୀ ସାମଲ ଘୋଷଣା କରିଥିଲେ। ମାତ୍ର ସ୍ଥାନୀୟ ନିଯୁକ୍ତିକୁ ଯେ ଧାମରା ବନ୍ଦର ଅଧିକ ଗୁରୁତ୍ୱ ନଦେବା ନେଇ ନିଜ ମନରେ ଥିବା ଅସନ୍ତୋଷକୁ ପରୋକ୍ଷରେ ସୂଚାଇ ଦେଇଥିଲେ ମନ୍ତ୍ରୀ।

ଧର୍ମେନ୍ଦ୍ରଙ୍କ ସଭାକୁ ଟକ୍କର ଦେବାକୁ ପୂର୍ଣ୍ଣ ପ୍ରୟାସ
ଗତବର୍ଷ ଜୁଲାଇ ୮ ରେ ଧାମରା ବନ୍ଦରରେ ୫ଏମ୍‌ଟି ବିଶିଷ୍ଟ ଏଲଏନ୍‌ଜି ଟର୍ମିନାଲ୍‌ ଓ ଅଢ଼େଇ ଏମ୍‌ଟି ବିଶିଷ୍ଟ ଏଲ୍‌ପିଜି ଟର୍ମିନାଲ୍‌ର ଭୂମିପୂଜନ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ପ୍ରାୟ ୮୦୦୦କୋଟି ଟଙ୍କାର ନିବେଶରେ ହେବାକୁ ଥିବା ଏହି ଦୁଇ ଟର୍ମିନାଲ୍‌ର ଭୂମିପୂଜନ ସମାରୋହରେ ମୁଖ୍ୟମନ୍ତ୍ରୀ କିମ୍ବା ସରକାରୀ ଦଳର କୌଣସି ନେତା ଯୋଗଦେଇନଥିଲେ। ମାତ୍ର ଧର୍ମେନ୍ଦ୍ରଙ୍କ ସେହି ସଭାଟି ବେଶ୍‌ ଆଡ଼ମ୍ବରପୂର୍ଣ୍ଣ ହୋଇଥିଲା। ବେଶ୍‌ ଜନସମାଗମ ମଧ୍ୟ ହୋଇଥିଲା। ତେଣୁ ସେହି ସଭାକୁ ଚେକ୍‌ ଦେବାକୁ ଆଜିର ସଭା ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ପ୍ରାୟ ଦଶ ହଜାରରୁ ଊର୍ଧ୍ୱ ଲୋକଙ୍କ ସମାଗମ ସହିତ ନାଚଗୀତ, ଆକର୍ଷଣୀୟ ମଞ୍ଚର ବ୍ୟବସ୍ଥା ହୋଇଥିଲା। ସଭାଟିକୁ ସରସ ସୁନ୍ଦର କରିବାକୁ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ସ୍ଥାନୀୟ ବିଧାୟକ ବେଶ୍‌ କସ୍‌ରତ୍‌ କରିଥିବା ଦୃଷ୍ଟିକୁ ଆସିଥିଲା।

୧୦୦ଗୁଣା ଅଧିକ ଭଲ ପାଇବା ଦେବୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶରେ ଏକ ନୂତନ ଧାରା ସୃଷ୍ଟି କରିଥିବା କହି ସ୍ଥାନୀୟ ବିଧାୟକ ବାବୁ ବ୍ୟୋମକେଶ ଓରଫ୍‌ ବାପି ତାଙ୍କୁ ବେଶ୍‌ ପ୍ରଶଂସା କରିଥିଲେ। ଆଜିର ସଭା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ସଭାକୁ ସଫଳ କରିବାକୁ ସେ ପୂର୍ଣ୍ଣପ୍ରାଣ ଦେଇ ଚେଷ୍ଟା କରିଥିଲେ। ସଭାରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ଦାଜ୍‌ ଖୁସି ଥିବା ଦେଖି ବାପି ବେଶ୍‌ ଉଲ୍ଲସିତ ମଧ୍ୟ ଥିଲେ। ଧାମରା ବନ୍ଦର ପୂର୍ବାପେକ୍ଷା ବର୍ତ୍ତମାନ ସ୍ଥାନୀୟ ଜନସାଧାରଣଙ୍କ ସୁଖଦୁଃଖରେ ଅଧିକ ଜଡ଼ିତ ହେଉଥିବା କହିଥିଲେ ସେ। ଧାମରା ବନ୍ଦର ଲୋକମାନଙ୍କୁ ଯେତିକି ଭଲପାଇବା ଦେବ, ଲୋକେ ତାହାର ୧୦୦ଗୁଣ ଅଧିକ ଭଲପାଇବା ଧାମରା ବନ୍ଦରକୁ ଫେରେଇବେ ବୋଲି ବାପି ପ୍ରକାଶ କରିଥିଲେ। ଏହାସହିତ ସମ୍ପୂର୍ଣ୍ଣ ସଭା ବାପିଙ୍କ ନିୟନ୍ତ୍ରଣରେ ଥିବା ପରିଲକ୍ଷିତ ହୋଇଥିଲା। ଜନସମାଗମ ସହିତ ମଞ୍ଚରେ ଦୁଇ ମିନିଟ୍‌ରୁ ଅଧିକ ଭାଷଣ ଦେଉଥିବା ନେତାଙ୍କୁ ବିରାମ ଦେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବାପିଙ୍କ ଦବ୍‌ଦବା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା।

ନବୀନଙ୍କ ପ୍ରଶଂସାରେ ଆଦାନୀ ଶତମୁଖ
କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସୁସମ୍ପର୍କ ଥିବା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀର ସମ୍ମାନ ପାଇଥିବାରୁ ଶ୍ରୀ ଆଦାନୀ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ତାଙ୍କ ନେତୃତ୍ୱରେ ରାଜ୍ୟରେ ଜାରି ରହିଥିବା ବିକାଶର ଧାରା ନିମନ୍ତେ ମଧ୍ୟ ଶ୍ରୀ ଆଦାନୀ ନବୀନଙ୍କୁ ବେଶ୍‌ ପ୍ରଶଂସା କରିଥିଲେ। ମୋଦିଙ୍କ ଘନିଷ୍ଠ ଭାବେ ଜଣାଶୁଣା ଆଦାନୀଙ୍କର ମୁଖ୍ୟମନ୍ତ୍ରୀଙ୍କୁ ଏପରି ମନଖୋଲା ପ୍ରଶଂସା ବେଶ୍‌ ଗୁରୁତ୍ୱ ବହନ କରୁଥିବା ପର୍ଯ୍ୟବେକ୍ଷକମାନେ ମତ ଦିଅନ୍ତି।

ନବୀନଙ୍କୁ ପୁନର୍ବାର ଜିତାଇବାକୁ ଆହ୍ଵାନ
ଆଜିର ସଭାକୁ ସରକାରୀ ଦଳର ନେତାମାନେ ସମ୍ପୂର୍ଣ୍ଣ ଅକ୍ତିଆରକୁ ନେଇଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଚାନ୍ଦବାଲି ଅଧ୍ୟକ୍ଷାଙ୍କ ସମେତ ସ୍ଥାନୀୟ ବିଜେଡ଼ି ନେତାମାନେ ମଞ୍ଚରେ ସମ୍ବର୍ନ୍ଧିତ କରିବା ସହିତ ସମଗ୍ର ଅଞ୍ଚଳରେ ବିଜେଡ଼ି ପତାକା ଓ ନେତାଙ୍କ ଉପସ୍ଥିତି ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଉତ୍ସବକୁ ଚର୍ଚ୍ଚାରେ ରଖିଥିଲା। କେବଳ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ଛାଡ଼ି ଜିଲ୍ଲାର ସବୁ ନେତା ମଞ୍ଚରେ ଉପସ୍ଥିତ ଥିଲେ। ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ତ’ କହୁ କହୁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ଜିତାଇବାକୁ ଅନୁରୋଧ କରିପକାଇଥିଲେ। ଏହା ସହିତ ବନ୍ଦରରେ ବିଭିନ୍ନ ସମସ୍ୟାକୁ ନେଇ ମନରେ ରହିଥିବା ରୋଷକୁ ମଧ୍ୟ ମଞ୍ଚାସୀନ ନେତାମାନେ ବିଭିନ୍ନ ବାଟରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର