କେନ୍ଦ୍ରାପଡ଼ାରେ ପୁଣି ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଗଣେଶ ମଲ୍ଲିକ ଆହତ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ପୁଲିସ୍ ସହ ଏନକାଉଣ୍ଟରରେ ଆଜି ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ସେ ହେଉଛି ଗଣେଶ ମଲ୍ଲିକ ଓରଫ ଜୁଲୁ। ତା’ର ଡାହାଣ ଗୋଡ଼ରେ ବାଜିଥିବାବେଳେ ଚିକିତ୍ସା ପାଇଁ ତାକୁ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗଣେଶ ନାମରେ କେନ୍ଦ୍ରାପଡ଼ା ସଦର ଥାନାରେ ୩ଟି ମାମଲା ରହିଥିବାବେଳେ ବାଲିଚନ୍ଦ୍ରପୁର, ବଡ଼ଚଣା, ଚଣ୍ଡିଖୋଲ ଥାନାରେ ୨୦ରୁ ଅଧିକ ମାମଲା ରହିଛି। ସେ ୫ ବର୍ଷ ହେଲା ପୁଲିସକୁ ଚକମା ଦେଖାଇ ଫେରାର ହୋଇ ବାହାରେ ବୁଲୁଥିଲା। ଗତକାଲି ସରସ୍ବତୀ ମେଲଣ ପାଇଁ ସେ ଘରକୁ ଆସିଥିବା ପୁଲିସ୍ ପାଖରେ ଖବର ପହଁଚିଥିଲା। ଏହାପରେ ସ୍ପେଶାଲ ସ୍କ୍ବାଡ୍ ଇନ୍ସପେକ୍ଟର ପ୍ରଦୀପ୍ତ କାନୁନଗୋ ଓ ସଦର ଆଇଆଇସି କାବୁଲି ବାରିକଙ୍କ ନେତୃତ୍ୱରେ ଦୁଇଟି ପୁଲିସ୍ ଟିମ୍ ବିଳମ୍ବିତ ରାତିରେ ତାର ଘରେ ଚଢ଼ାଉ କରି ନିରାଶ ହୋଇଥିଲେ। ତେବେ ଫୋରପୋଲ ଅଂଚଳରେ ସେ ବୁଲୁଥିବା ନେଇ ଖବର ପାଇ ପୁଲିସ୍ ତାକୁ ଧରିବାକୁ ଜାଲ ବିଛାଇଥିଲା। ଜୁଲୁ କଜଳ ରାସ୍ତାରେ ପୁଲିସ ହାବୁଡ଼ରେ ପଡ଼ିଯାଇଥିଲା। ସେ ପ୍ରଥମେ ପୁଲିସ୍ ଉପରକୁ ଗୋଟିଏ ରାଉଣ୍ଡ ଗୁଳି କରି ଦୌଡ଼ିବା ଆରମ୍ଭ କରିଦେଇଥିଲା। ଏହାପରେ, ପୁଲିସ୍ ପ୍ରଥମେ ଫାଙ୍କା ଗୁଳିଚାଳନା କରି ଚେତାବନୀ ଦେଇଥିଲେ ବି ସେ ଶୁଣି ନଥିଲା। ପୁଲିସର ଦ୍ବିତୀୟ ଗୁଳିରେ ଗଣେଶ ଜଖମ ହୋଇ ତଳେ ପଡି ଯାଇଥିଲା। ଭୋର ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଛି। ପୁଲିସ୍ ତାକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲା। ପ୍ରକାଶଥାଉକି, ଗତମାସ ୨୨ ତାରିଖରେ ରାଜନଗରରେ ପୁଲିସ୍ ବାବୁ ଓରଫ ସଂଜୟ ବିଶ୍ୱାଳକୁ ଏନକାଉଣ୍ଟର କରିଥିଲା। ୨୦୧୮ରେ କେନ୍ଦ୍ରାପଡ଼ା ପୁଲିସ୍ ୫ଟି ଏନକାଉଣ୍ଟର କରିଥିବା ବେଳେ ୨୦୧୯ର ଏହା ଦ୍ୱିତୀୟ ଏନକାଉଣ୍ଟର।

ସମ୍ବନ୍ଧିତ ଖବର