ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା

ବୁର୍ଲା: ପଶ୍ଚିମ ଓଡ଼ିଶାର ଭାତ ହାଣ୍ଡି ବରଗଡ଼ ଜିଲ୍ଲାରେ ପୁଣି ଆତ୍ମହତ୍ୟା କରିଛନ୍ତି। ଅମ୍ବାଭୋନା ଥାନା ଅନ୍ତର୍ଗତ ଜୁନାନି ଗାଁର ଯୁବ ଚାଷୀ ହୃଦାନନ୍ଦ ଡିଲା (୩୫) ବିଷଖାଇ ଆତ୍ମହତ୍ୟା କରିଛନ୍ତି। କାଳ ବୈଶାଖୀ ଓ କରା ମାଡ଼ରେ ଚାଷ ଉଜୁଡ଼ି ଯିବାରୁ ହୃଦାନନ୍ଦ ଆତ୍ମହତ୍ୟା ବାଟ ବାଝି ନେଇଥିବା ଜଣାଯାଇଛି। ଭାଇ ଗୌରାଙ୍ଗ ଡିଲାଙ୍କ କହିବା ଅନୁସାରେ ହୃଦାନନ୍ଦ ନିଜର ଦୁଇ ଏକର ଜମିରେ ଧାନ ଚାଷ କରିଥିଲେ। ଗତ ବର୍ଷ ଚକଡ଼ା ପୋକ ଲାଗିବାରୁ ୭୦ଭାଗ ଫସଲ ନଷ୍ଟ ହୋଇଥିଲା। ଏଥର ଅଦିନିଆ ବର୍ଷା ଓ କରକା ମାଡ଼ରେ ପୁଣି ଧାନ ଚାଷ ନଷ୍ଟ ହୋଇଯାଇଛି। ଚାଷ ପାଇଁ ସେ କିଛି ଲୋକଙ୍କ ଠାରୁ ହାତ ଉଧାରି ବାବାଦକୁ ପ୍ରାୟ ୩୦ ହଜାର ଟଙ୍କା ଆଣିଥିଲେ। ଫସଲ ନଷ୍ଟ ହୋଇଯିବାରୁ ତାଙ୍କୁ ଋଣ ପରିଶୋଧ ଚିନ୍ତା ଘାରିଥିଲା। ଗତ ସୋମବାର ଦିନ ମାନସିକ ଚାପରେ ସେ ବିଷଖାଇ ଦେଇଥିଲେ। ପରିବାର ଲୋକେ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ଆଣିଥିଲେ।  ଆଶୁ ଚିକିତ୍ସା ବିଭାଗରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମେଡିକାଲ ପୁଲିସ୍‌ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଫାଣ୍ଡି ଅଧିକାରୀ ଗଣେଶ ବାରିକ କହିଛନ୍ତି।

ସମ୍ବନ୍ଧିତ ଖବର