ସୀମାନ୍ତ ଗାଁରେ ପଶୁଛି ଆନ୍ଧ୍ର:ପାଲଟା ଜବାବ ଦେବାକୁ ଦମ୍‌ ଅଛି କି?

କୋରାପୁଟ: ଓଡ଼ିଶା ଛାତି ଚିରି ପଶିଗଲା ଆନ୍ଧ୍ର। ଓଡ଼ିଶା ମାଟିରେ ଠିଆ ହୋଇ ପାଳିଲା ଜନ୍ମଭୂମି କାର୍ଯ୍ୟକ୍ରମ। ଭତ୍ତା, ଛତା ବାଣ୍ଟି ଦେଖାଇଲା ଦମ୍‌। ହେଲେ ଓଡ଼ିଶାର ଏମିତି ଦମ୍‌ ଦେଖାଇଲା ପରି ସାହସ ଅଛି ତ ? ଆନ୍ଧ୍ର କବ୍‌ଜାରେ ଥିବା ଓଡ଼ିଶାର ଗାଁ ଭିତରେ ପଶି ଓଡ଼ିଶା ସରକାର ଉତ୍କଳ ଦିବସ ପାଳନ କରିପାରିବେ କି ? ସେଠାରେ ନିଜ ଯୋଜନା ସଂପର୍କରେ ଗଳା ଫଟାଇ କହି ପାରିବେ କି ?
ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଛି କୋରାପୁଟିଆଙ୍କ ମନରେ। ଓଡ଼ିଶାକୁ ନେଇ ଗର୍ବ କରୁଥିବା କୋରାପୁଟବାସୀ ସିଧାସଳଖ ଏମିତି ପ୍ରଶ୍ନ ରାଜନେତା ଓ ସରକାରଙ୍କୁ କରିଛନ୍ତି। କହିଛନ୍ତି, ଆନ୍ଧ୍ରରେ ପଶି ଓଡ଼ିଶାର ଅସ୍ମିତାକୁ କେବେ ଉଜ୍ଜୀବୀତ କରିବ ? ନା’ ଦିହକ ଯାକ ଏମିତି ଲାଙ୍ଗୁଡ ଜାକି ଆନ୍ଧ୍ରର ବହପକୁ ହଜମ କରୁଥିବ।
କୋଟିଆ ହେଉଛି ଓଡ଼ିଶାର। ଏହାକୁ ସବୁ କୋରାପୁଟିଆ ଖୋଲା ମନରେ ଓ ଖୋଲା କଣ୍ଠରେ ସ୍ୱୀକାର କରିଛନ୍ତି। ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ଏହା ଓଡ଼ିଶାର ଏକ ଅବିଛେଦ୍ୟ ଅଙ୍ଗ ହୋଇ ରହିଛି। କିନ୍ତୁ ଓଡ଼ିଶା ସରକାରଙ୍କ ଉଦାସୀନତା କାରଣରୁ ୧୯୬୮ରେ ଏହାକୁ ଦଖଲ କରିବାକୁ ଚେଷ୍ଟା କରିଥିଲା ଆନ୍ଧ୍ର ସରକାର। ସେବେଠାରୁ କୋଟିଆ ପଞ୍ଚାୟତର ୨୧ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହଛି ବିବାଦ। ଏ ଭିତରେ କଥା ଯାଇ ପହଞ୍ଚିଛି ସୁପ୍ରିମ କୋର୍ଟରେ। ଏଥିନେଇ ସୁପ୍ରିମ୍‌ କୋର୍ଟ ମଧ୍ୟ କୌଣସି ଚୁଡାନ୍ତ ରାୟ ଦେଇ ନାହାନ୍ତି। ବରଂ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଥାପି ଏହାକୁ ମାନୁନି ଆନ୍ଧ୍ର। ବିଭିନ୍ନ ସମୟରେ ଓଡ଼ିଶା ଭିତରେ ପଶି ନିଜ ଔଦ୍ଧତ୍ୟ ଦେଖାଉଛି। ଗତ ସପ୍ତାହରେ ଓଡ଼ିଶା ସୀମା ଦେଇ ଆନ୍ଧ୍ରର ଅଧିକାରୀମାନେ କୋଟିଆ ପଞ୍ଚାୟତର ତଳ ଗଂଜେଇ ପଦରରେ ପହଞ୍ଚିଥିଲେ। ଏଠାରେ ନିଜ ସରକାରଙ୍କ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇଥିଲେ। କମ୍ବଳ, ଲାଇଟ, ଭତ୍ତା ବାଣ୍ଟି ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲେ। ପରୋକ୍ଷରେ ଓଡ଼ିଶା ସରକାରଙ୍କୁ ତାଙ୍କର ଔକାତ ଦେଖାଇ ଦେଇଥିଲେ।
ଆନ୍ଧ୍ରର ଏମିତି ଉତ୍ପାତ କିଛି ନୂଆ ନୁହେଁ। ପୂର୍ବରୁ ବହୁବାର ଆନ୍ଧ୍ର ସରକାର ସେମାନଙ୍କ ଲୋକଙ୍କୁ ପଠାଇ ଓଡ଼ିଶାରେ ଦାଦାଗିରି କରିଛନ୍ତି। ଆଇନକାନୁନକୁ ଦଳି ମକଚି ଏଠାରେ ନିଜ ସରକାରଙ୍କ ବାହାଦୁରୀ ଦେଖାଇଛନ୍ତି।

ବିବାଦୀୟ କୋଟିଆର ଅଧିକାଂଶ ଗାଁରେ ମାଗଣାରେ ବିଜୁଳି ଦେଇଛନ୍ତି। ଭୋଟର କାର୍ଡ ଓ ଆଧାର କାର୍ଡ ଦେଇ ଆନ୍ଧ୍ରର ଅଧିବାସୀ ବୋଲି ପ୍ରଚାର କରାଇବାରେ ସଫଳ ହୋଇଛନ୍ତି। ବିଭିନ୍ନ ବାଗରେ ସେମାନେ କୋଟିଆର ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଛନ୍ତି। ଦୀର୍ଘଦିନ ଧରି ଓଡ଼ିଶା ଭିତରେ ଆନ୍ଧ୍ରର ଏମିତି ଉତ୍ପାତ ପରେ ବି ସରକାର ଚେତିଲେନି। ଆନ୍ଧ୍ର ସରକାରଙ୍କୁ ଏହାର କାରଣ ପଚାରିବାକୁ ସାହସ କରି ପାରିଲେନି ଓଡ଼ିଶା ସରକାର। ବରଂ ଜାକିମାଡି ଆନ୍ଧ୍ରର ଔଦ୍ଧତ୍ୟକୁ ସହିଗଲେ। ତେଣୁ ଏବେ ଆନ୍ଧ୍ର ସରକାରଙ୍କ ସାହସ ବଢି ଯାଇଛି। ଓଡ଼ିଶା ଭିତରେ ପାଖାପାଖି ୬୦କିଲୋ ମିଟର ଅନୁପ୍ରବେଶ କରି ଆମ ସରକାରଙ୍କ ବିରୋଧରେ ସେମାନେ ଭାଷଣବାଜି କଲେ। ଓଡ଼ିଶାରେ ଏକ ଅକର୍ମା ସରକାର ଓ ସ୍ଥାଣୁ ପ୍ରଶାସନ ଚାଲିଛି ବୋଲି ଦେଖାଇ ଦେଇ ଗଲେ।
ଆନ୍ଧ୍ରର ଦାଦାଗିରିକୁ ସରକାର ଓ ପ୍ରଶାସନ ସହି ଯାଇଥିଲାବେଳେ ଏହାକୁ ହଜମ କରି ପାରି ନାହାନ୍ତି ସାଧାରଣ ଲୋକେ। ବରଂ ଆନ୍ଧ୍ର ସରକାରଙ୍କ ନୀତିକୁ କଡା ସମାଲୋଚନା କରିବା ସହ ଓଡ଼ିଶା ସରକାରଙ୍କ ଅପାରଗତାକୁ ନିନ୍ଦା କରିଛନ୍ତି। ବରିଷ୍ଠ ସାମ୍ବାଦିକ ସାନ୍ତାକାର କହିଛନ୍ତି ଯେ, ସୁପ୍ରିମ କୋର୍ଟଙ୍କ ରାୟ ସତ୍ତ୍ୱେ ଆନ୍ଧ୍ରର ଏମିତି କାମ ଦୁର୍ଭାଗ୍ୟଜନକ। ଏହା ଆଇନ୍‌ର ଉଲ୍ଲଂଘନ ମଧ୍ୟ। ଯଦି ଆନ୍ଧ୍ର ସରକାର କୌଣସି କାର୍ଯ୍ୟକ୍ରମ କରିବାର ଥିଲା, ସେମାନେ ଓଡ଼ିଶାର ସରକାର ଓ କୋଟିଆ ଲୋକଙ୍କ ସହ ଆଲୋଚନା କରିବା ପରେ କରିଥିଲେ ଭଲ ହୋଇଥାନ୍ତା। କିନ୍ତୁ ଆନ୍ଧ୍ର ଏମିତି ନ କରି ଏକ ପ୍ରକାର ଦାଦାଗିରି କରିଛନ୍ତି। ଲୋକମାନେ ଏହାର ଠିକଣା ଜବାବ ଦେବେ।

ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ରାଜ୍ୟରେ ଏକ ସ୍ଥାଣୁ ଓ ଅପାରଗ ସରକାର ଚାଲିଥିବାରୁ ଆନ୍ଧ୍ରର ଉତ୍ପାତ ବଢି ବଢି ଚାଲିଛି। ଓଡ଼ିଶା ସରକାର ଏବେ ଏକ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ଦରକାର। ଆନ୍ଧ୍ର କବ୍‌ଜାରେ ଥିବା ଓଡ଼ିଆ ଗାଁ ଗୁଡିକରେ ସରକାରଙ୍କ ପକ୍ଷରୁ ଉତ୍କଳ ଦିବସ ପାଳନ କରାଗଲେ ସେମାନଙ୍କୁ ଉପଯୁକ୍ତ ଜବାବ ହେବ। ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ କହିଛନ୍ତି ଯେ, ଆଗରୁ ଆନ୍ଧ୍ରର ଅଧିକାରୀମାନେ ଓଡ଼ିଶାକୁ ଆସୁଥିଲେ। ସେମାନଙ୍କୁ କୌଣସି ବିରୋଧ ନ ହେବାରୁ ସେମାନଙ୍କ ସାହସ ବଢି ଯାଇଛି। ସେମାନଙ୍କୁ ଏବେଠାରୁ ମୁକାବିଲା କରିବା ପାଇଁ କଡା ପଦକ୍ଷେପ ନ ନେଲେ ଭବିଷ୍ୟତରେ ଆହୁରି ଅସୁବିଧା ହେବ। ବରିଷ୍ଠ ବିଜେଡି ନେତା ଗୁପ୍ତ ପ୍ରସାଦ ଦାଶ କହିଛନ୍ତି ଯେ, ଅଦାଲତଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ଆନ୍ଧ୍ର ଦାଦାଗିରି ଚଳାଇଛି। ତଥାପି କୋଟିଆକୁ ଓଡ଼ିଶା ଛାଡିବାର ପ୍ରଶ୍ନ ଉଠୁନି। କୋଟିଆର ଉପଯୁକ୍ତ ବିକାଶ କରି ଏହାକୁ ଓଡ଼ିଶା ଭିତରେ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର