ଯାଜପୁର ଜିଲ୍ଲାରେ ପୁଷ୍ଟିକର ଖାଦ୍ୟ ଯୋଜନା ଦିଗହରା : ଅଙ୍ଗନବାଡିରେ ଜଳଖିଆ, ରନ୍ଧାଖାଦ୍ୟରେ ବ୍ୟାପକ ହେରାଫରି

ଯାଜପୁର : ଜିଲ୍ଲାରେ ପୁଷ୍ଟିକର ଖାଦ୍ୟ ଯୋଜନା ଫେଲ୍। ଅଙ୍ଗନବାଡ଼ି କେନ୍ଦ୍ରରେ ଜଳଖିଆ ଓ ରନ୍ଧାଖାଦ୍ୟରେ ବ୍ୟାପକ ହେରାଫେରି ହୋଇଛି। ଏଭଳି ସାଂଘାତିକ ତଥ୍ୟ ଏବେ ପଦାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ପୁଷ୍ଟିକର ଜଳଖିଆ ଓ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯୋଜନା କେବଳ କାଗଜପତ୍ରରେ ସୀମତ ରହିଛି। ଅପପୁଷ୍ଟିକୁ ରୋକିବା ପାଇଁ ସରକାର ଗତ ବର୍ଷ ଜୁଲାଇ ମାସରୁ ପୁଷ୍ଟିକର ଜଳଖିଆ ଓ ରନ୍ଧାଖାଦ୍ୟ ଯୋଗାଣ ପାଇଁ ସପ୍ତାହର ଖାଦ୍ୟ ପ୍ରଦାନ ବିବରଣୀ ପ୍ରଦାନ କରିଛନ୍ତି। ଅଭିଭାବକମାନେ ସେ ସମ୍ପର୍କରେ ସଚେତନ ନଥିବାରୁ ପୁଷ୍ଟିକର ଖାଦ୍ୟ ଯୋଗାଣରେ ଘୋଟାଲା ଚାଲିଛି।

indiatoday.in

ସରକାରୀ ତଥ୍ୟ ମୁତାବକ ସୋମବାର ଓ ଶୁକ୍ରବାରରେ ମାଣ୍ଡିଆ ଓ ବେସନ ଅବା ବେସନ ଅଟାର ଲଡୁ ଜଳଖିଆ ଭାବେ ଦିଆଯିବାର ନିୟମ ରହିଛି। ସେହିପରି ମଙ୍ଗଳବାର ଓ ଗୁରୁବାର ଦିନରେ ଚୁଡ଼ା, ବାଦାମ ଓ ଗୁଡ଼ର ଲଡୁ, ବୁଧବାର ଓ ଶନିବାର ଦିନ ଗଜାମୁଗ ସହିତ ଗୁଡ଼ ଓ ବିଭିନ୍ନ ଋତୁକାଳୀନ ଫଳ ଶିଶୁମାନଙ୍କୁ ଜଳଖିଆ ଭାବେ ଦେବାର ବିଧି ରହିଛି। ସୋମବାର ଭାତ ସହିତ ଡାଲମା ଓ ଅନ୍ୟ ୫ଦିନ ଭାତ ସହିତ ଅଣ୍ଡା ଦେବାକୁ ବ୍ୟବସ୍ଥା ରହିଛି। ମଙ୍ଗଳ ଓ ଗୁରୁ ବାର ପନିପରିବା ତରକାରୀ ମଧ୍ୟ ରହିଛି। ସବୁ ଦିନ ରନ୍ଧା ଖାଦ୍ୟରେ ଲେମ୍ବୁ ଦେବାର ବ୍ୟବସ୍ଥା ରହିଛି। ଏଥି ସହିତ ମଧ୍ୟ ଛତୁଆ ଓ ପୁଷ୍ଟିକର ଖାଦା ‌ଘରକୁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଜିଲ୍ଲାରେ ଥିବା ମୋଟ ୨୮୦୬ କେନ୍ଦ୍ର ମଧ୍ୟରୁ ଅଧିକାଂଶ ସ୍ଥାନରେ ପ୍ରହସନ ପାଲିଟିଛି। ପୋଥି ବାଇଗଣ ଭଳି କେବଳ କାଗଜପତ୍ରରେ ସୀମିତ ରହିଛି।

ଜିଲ୍ଲାର ମୋଟ ୧ଲକ୍ଷ ୯୪ହଜାର ୩୯୬ ପିଲା ସରକ‌ାରଙ୍କ ଯୋଜନାରେ ସାମିଲ ହୋଇଥିବା ବେଳେ ଅର୍ଦ୍ଧାଧିକ କେନ୍ଦ୍ରରେ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉ ନାହିଁ। ଶିଶୁ ଓ ଗର୍ଭବତୀ ମହିଳାଙ୍କ ନାମରେ ପୁଷ୍ଟିକର ଖାଦ୍ୟ ଓ ଛତୁଆ ଯୋଗାଣକାରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀ ମାଲାମାଲ ହେଉଛନ୍ତି। ଏ ସଂପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ନିର୍ଦ୍ଦିଷ୍ଟ କେନ୍ଦ୍ରର ଅଭିଯୋଗ ଆସିଲେ ତଦନ୍ତ କରି ନିୟମ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କିନ୍ତୁ ବିଭାଗୀୟ ଅଧିକାରୀମାନେ ଯଦି ଅଚାନକ କେନ୍ଦ୍ରଗୁଡ଼ିକ ତନଖି କରନ୍ତେ, ସତ୍ୟାସତ୍ୟ ମିଳିପାରନ୍ତା ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର