ହାତୀଙ୍କୁ ଆନ୍ଥ୍ରାକ୍ସ! : ମୟୂରଭଞ୍ଜ, କେନ୍ଦୁଝର, ଶିମିଳିପାଳକୁ ବିପଦ, ଅନ୍ୟ ବନ୍ୟପ୍ରାଣୀଙ୍କୁ ବ୍ୟାପିବାର ଆଶଙ୍କା

ଭୁବନେଶ୍ବର : ଓଡ଼ିଶାରେ ହାତୀ ମୃତ୍ୟୁ ଏବେ ଉଦ୍‌ବେଗଜକ ସ୍ଥିତିରେ ପହଞ୍ଚିଛି। ପ୍ରତିଦିନ କେଉଁଠି ନା କେଉଁଠି ହାତୀଙ୍କ ମୃତ୍ୟୁ ହେଉଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବରରେ ହାତୀ ମୃତ୍ୟୁ ସଂଖ୍ୟା ‌ଯେଉଁଭଳି ଭାବେ ବଢ଼ିଚାଲିଛି ତାହା ବନ ବିଭାଗର ନିଦ ହଜେଇ ଦେଇଛି। ବନ୍ୟପ୍ରାଣୀପ୍ରେମୀମାନେ ମଧ୍ୟ ଚିନ୍ତା ପ୍ରକାଶ କରିବା ସହିତ ହାତୀଙ୍କ ସୁରକ୍ଷା ନେଇ ଠୋସ୍‌ ପଦକ୍ଷେପ ନେବାକୁ ଗୁରୁତ୍ବ ଦେଇଛନ୍ତି। ଗତ ୩ ମାସ ମଧ୍ୟରେ ବିଭିନ୍ନ କାରଣ ଯୋଗୁଁ କେବଳ ଉତ୍ତର ଓଡ଼ିଶାରେ ପ୍ରାୟ ୧୧ଟି ହତୀଙ୍କ ମୃତ୍ୟୁ ଚିନ୍ତାର ବିଷୟ ପାଲଟିଛି। କେଉଁ କାରଣ ପାଇଁ ହାତୀଙ୍କ ମୃତ୍ୟୁ ହେଉଛି ତାହାକୁ ନେଇ ବନ ବିଭାଗର ଅଧିକାରୀମାନେ ତନାଘନା କରୁଥିବା ବେଳେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ଆନ୍ଥ୍ରାକ୍ସ ବ୍ୟାପିଥିବା ଆଶଙ୍କା କରାଯାଇଛି। ଏହି କାରଣରୁ ଏଠାରେ ଗୋଟିଏ ପରେ ଗୋଟିଏ ହାତୀଙ୍କର ମୃତ୍ୟୁ ହେଉଥିବା ବନ ବିଭାଗ ଜାଣିବାକୁ ପାଇଛି। ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲା ଅଧିକାରୀମାନଙ୍କୁ କୁହାଯାଇଛି।

ଶିମିଳିପାଳ‌ରେ ଆନ୍ଥ୍ରାକ୍ସ ବ୍ୟାପିବା ନୂଆ ଘଟଣା ନୁହେଁ। ଗତ କିଛି ବର୍ଷ ହେଲା ଲଗାତାର ଭା‌ବେ ଏହି ରୋଗ ବ୍ୟାପୁଛି। ୨୦୧୮ ଫେବ୍ରୁ୍ଆରିରେ ଶିମିଳିପାଳ ଅଭୟାରଣ୍ୟରେ ଆନ୍ଥ୍ରାକ୍ସ ବ୍ୟାପିଥିଲା। ମୃତ ହାତୀଙ୍କ ନମୁନା ପରୀକ୍ଷା କରିବା ପରେ ଜଣାପଡ଼ିଥିଲା ଯେ ଦୁଇଟି ହାତୀଙ୍କର ଆନ୍ଥ୍ରାକ୍ସରେ ମୃ୍ତ୍ୟୁ ହୋଇଛି। ତାହାକୁ ଦୃଷ୍ଟିରେ ରଖି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇଥିଲେ। ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଓ ପାଦଦେଶର ଗ୍ରାମଗୁଡ଼ିକରେ ପର୍ଯ୍ୟାୟକ୍ରମେ ଆନ୍ଥ୍ରାକ୍ସ ପ୍ରତିଷେଧକ ଟିକାକରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଏବେ ପୁଣିଥରେ ଆନ୍ଥ୍ରାକ୍ସ ଭୂତାଣୁ ବ୍ୟାପିଥିବା ଜଣାପଡ଼ିଛି। ଗତ ଫେବ୍ରୁଆରି ମାସରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା। ତନାଘନା ପରେ ଆନ୍ଥ୍ରାକ୍ସ ବ୍ୟାପୁଥିବା ନେଇ ଜଣାପଡ଼ିବା ପରେ ପଦକ୍ଷେପ ନେବାକୁ କୁହାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆନ୍ଥ୍ରାକ୍ସ ଯୋଗୁଁ ହାତୀଙ୍କ ମୃ୍ତ୍ୟୁ ହେଉଛି। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଏବେ ଅତି ସମ୍ବେଦନଶୀଳ ରହିଛି। ଗତ କିଛି ବର୍ଷ ହେଲା ନିୟମିତ ଭାବେ ଆନ୍ଥ୍ରାକ୍ସ ଭୂତାଣୁ ବ୍ୟାପୁଥିବା ଦେଖିବାକୁ ମିଳୁଛି। ଶିମିଳିପାଳ କୋର୍ ଅଞ୍ଚଳରେ ୨୦୧୪-୧୫ ଓ ୨୦୧୫-୧୬ରେ ଆନ୍ଥ୍ରାକ୍ସରେ କିଛି ହାତୀଙ୍କ ମୃତ୍ୟୁ ହୋଇଥିଲା। ୨୦୧୮‌ ଶେଷ ଆଡ଼କୁ ଏହି ଭୂତାଣୁ ପୁଣିଥରେ ବ୍ୟାପିବା ଆରମ୍ଭ କରିଛି। ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ବିଶେଷଜ୍ଞ ପ୍ରଫେସର ସୁସେନ୍‌ କୁମାର ପଣ୍ଡା କହିଛନ୍ତି ଯେ ଆନ୍ଥ୍ରାକ୍ସ ଏକ ଜୀବାଣୁଜନିତ ରୋଗ। ଯେଉଁ ଜାଗାରେ ପୂର୍ବରୁ ଏହି ଭୂତାଣୁ ରହିଛି ସେଠାରେ ତାହା ରହିଥାଏ। କୌଣସି ସମୟରେ ତାହା ପୁଣିଥରେ ହୋଇପାରେ। ଆନ୍ଥ୍ରାକ୍ସ ଭୂତାଣୁର ଭୟ ରହୁଥିବାରୁ ‌ସେହି ଅଞ୍ଚଳରେ ରହୁଥିବା ଗୃହପାଳିତ ପଶୁଙ୍କୁ ନିୟମିତ ଭାବେ ଟିକାକରଣ କରାଯିବାର ଆବଶ୍ୟକତା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ଶିମିଳିପାଳରେ ବହୁ ସମୟରେ ହୋଇଥାଏ। ଏହାକୁ ରୋକିବା ପାଇଁ ହାତୀ ମୃତ୍ୟୁ ପରେ ତାହାକୁ ଭଲ ଭାବେ ପୋତିଦେବା ଆବଶ୍ୟକ। ମୃତଦେହ ବେଶି ଦିନ ପଡ଼ି ରହିଲେ ସମ୍ପୂର୍ଣ୍ଣ ପରିବେଶକୁ ବ୍ୟାପିଯିବ। ଏହା ସହିତ ନିକଟସ୍ଥ ଅଞ୍ଚଳର ଗୃହପାଳିତ ପଶୁଙ୍କ ଟିକାକରଣ କରାଯିବା ଦରକାର।

ସମ୍ବନ୍ଧିତ ଖବର