ନୂଆ ନିବେଶ ୧୪ ବର୍ଷରେ ସବୁଠୁ କମ୍

ବର୍ଷକୁ ଆସୁଥିଲା ୨୫ ଲକ୍ଷ କୋଟି ଏବେ ଆସିଛି ମାତ୍ର ୯.୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଭାରତକୁ ନୂଆ ନିବେଶ ପ୍ରସ୍ତାବ ଆସିବା ବହୁତ କମିଯାଇଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ) ତରଫରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏହା କୁହାଯାଉଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୮-୧୯ରେ ଭାରତକୁ ୯.୫ ଲକ୍ଷ କୋଟି ଟଙ୍କାର ନୂଆ ନିବେଶ ପ୍ରସ୍ତାବ ଆସିଥିଲା ଯାହା ୨୦୦୪-୫ ପରେ ସବୁଠୁ କମ୍। କ୍ରମାଗତ ଚତୁର୍ଥ ବର୍ଷ ପାଇଁ ନୂଆ ନିବେଶ ପ୍ରସ୍ତାବ ସଂଖ୍ୟା ହ୍ରାସ ପାଇଛି। ୨୦୧୫-୧୬ ପରଠାରୁ ଏହି ଧାରା ଆରମ୍ଭ ହୋଇଥିଲା ଯାହା ଏବେବି ଜାରି ରହିଛି। ୨୦୦୬-୦୭ରୁ ୨୦୧୦-୧୧ ପର୍ଯ୍ୟନ୍ତ ଦେଶକୁ ବିପୁଳ ପରିମାଣର ନୂଆ ନିବେଶ ପ୍ରସ୍ତାବ ଆସିଥିଲା। ସେହି ସମୟରେ ବର୍ଷକୁ ହାରାହାରି ୨୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସୁଥିଲା। ୨୦୧୩-୧୪ରେ ସେଥିରେ ହଠାତ୍‌ ବଡ଼ ଧରଣର ହ୍ରାସ ହୋଇଥିଲା ଏବଂ ସେହି ବର୍ଷ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ୨୦୧୪-୧୫ରେ ସ୍ଥିତିରେ ସୁଧାର ହୋଇଥିଲା ଏବଂ ସେହି ବର୍ଷ ୨୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଏହାର ପରବର୍ତି ବର୍ଷ ଠାରୁ ସ୍ଥିତିରେ ଆଉ ସୁଧାର ହୋଇନାହିଁ। ୨୦୧୮-୧୯ରେ ଘରୋଇ କ୍ଷେତ୍ର ପାଇଁ ଆସୁଥିବା ନିବେଶ ପ୍ରସ୍ତାବରେ ୬୭.୫% ବୃଦ୍ଧି ହୋଇଛି। କିନ୍ତୁ ବିଡ଼ମ୍ବନାର ବି‌ଷୟ ହେଉଛି ସେଥି ମଧ୍ୟରୁ ଏକ ପଞ୍ଚାମାଂଶ ପ୍ରକଳ୍ପ ଅଟକି ରହିଛି। ଯେତିକି ନୂତନ ପ୍ରସ୍ତାବ ଆସିଛି ସେଥି ମଧ୍ୟରୁ ୩୩% ମାନୁଫାକ୍‌ଚରିଂ କ୍ଷେତ୍ରକୁ ଆସିଛି। ସେବା କ୍ଷେତ୍ରକୁ ଆସୁଥିବା ପ୍ରସ୍ତାବ ପରିମାଣ ୫୧%ରୁ ହ୍ରାସ ପାଇ ୩୯%ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର