ବାରିପଦା: ଆଜି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ତୁଷାର କୁମାର ନାୟକ ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଡ. ଅରୁଣ ସାହୁଙ୍କ ବିରୋଧରେ କରିଥିବା ଫେସ୍ବୁକ୍ ପୋଷ୍ଟିଂକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି। ତୁଷାର କରିଥିବା ଫେସ୍ବୁକ୍ ପୋଷ୍ଟିଂ ଅନୁସାରେ, ଆଜି ସକାଳେ ସେଲ୍ଫ୍ ଫାଇନାନ୍ସିଂ ବିଭାଗଗୁଡ଼ିକୁ ନିୟମିତ କରିବା ସଂକ୍ରାନ୍ତରେ ଏକ ବୈଠକ ଡକାଯାଇଥିଲା। ସେଥିରେ ତୁଷାର ଯୋଗ ଦେଇଥିଲେ। ବିଧାୟକ ଅରୁଣ ସାହୁ ମଧ୍ୟ ଉପସ୍ଥିତ ଥିଲେ। ସର୍କିଟ୍ ହାଉସରେ ଅନୁଷ୍ଠିତ ବୈଠକରେ ତୁଷାର ବିଶ୍ୱବିଦ୍ୟାଳୟର ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରାଇବା ବେଳେ ଡ. ସାହୁ ତାଙ୍କ କଥା ନ ଶୁଣି ତାଙ୍କୁ ଉଠ୍ବସ୍ ହେବାକୁ କହିବା ସହ ଦୁର୍ବ୍ୟବହାର କରିଥିଲେ । ଏମିତିକି ତାଙ୍କୁ ଡ. ସାହୁ ୫୦ ଥର ଉଠ୍ବସ୍ କରାଇଛନ୍ତି ବୋଲି ତୁଷାର ଅଭିଯୋଗ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଡ. ସାହୁଙ୍କ ଏଭଳି ବ୍ୟବହାରରେ ମର୍ମାହତ ହୋଇ ସେ ବିଜୁ ଜନତା ଦଳ ଛାଡ଼ିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତିଙ୍କ ଫେସ୍ବୁକ୍ ପୋଷ୍ଟିଂ ଚର୍ଚ୍ଚାରେ
ତୁଷାର ଅରୁଣଙ୍କର ବଡ଼ ସମର୍ଥକ ଭାବେ ଜଣାଶୁଣା। ମାତ୍ର କେଉଁ ପରିସ୍ଥିତିରେ ତୁଷାର ତାଙ୍କର ପ୍ରିୟ ନେତା ଅରୁଣଙ୍କ ବିରୋଧରେ ଏଭଳି ସଂଗିନ ଅଭିଯୋଗ ଆଣିଛନ୍ତି ତାହା ବୁଝାପଡୁ ନାହିଁ। ଏଭଳି ଅଭିଯୋଗ ସଂପର୍କରେ ଅରୁଣ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ତୁଷାର ତାଙ୍କର ସାନ ଭାଇ ଏବଂ ତାଙ୍କର ସବୁକିଛି ଭଲମନ୍ଦ ସେ ତାଙ୍କୁ ହିିଁ ଜଣାଇଥା’ନ୍ତି। ମାତ୍ର କ’ଣ ପାଇଁ ସେ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ତାହାକୁ ସେ ଅନୁଧ୍ୟାନ କରୁଛନ୍ତି ବୋଲି ଡ. ସାହୁ କହିଛନ୍ତି। ଅପରପକ୍ଷେ, ବିଶ୍ୱବିଦ୍ୟାଳୟର ସମସ୍ୟା ସଂପର୍କରେ ଲଢ଼େଇ କରିବାକୁ ହେଲେ ପ୍ରଥମେ ଶରୀରକୁ ଫିଟ୍ ରଖିବାକୁ ହେବ ଏବଂ ଏହି ଉଦେଶ୍ୟରେ ସେ ହାଲୁକା ଭାବେ ତୁଷାରଙ୍କୁ ଯୋଗ, ବ୍ୟାୟାମ କରିବାକୁ କହିଥିଲେ। ତେବେ ତୁଷାର କ’ଣ ଛୋଟ ପିଲା ଯେ, ତାଙ୍କ କହିବା ଅନୁସାରେ ସେ ଉଠବସ୍ କରିଥିଲେ ବୋଲି ପ୍ରଶ୍ନ କରିବା ସହ ଏହା ତାଙ୍କ ବିରୋଧରେ ଅସନ୍ତୁଷ୍ଟ ଗୋଷ୍ଠୀର ଚକ୍ରାନ୍ତ ହୋଇପାରେ ବୋଲି ଡ. ସାହୁ ଇଙ୍ଗିତ କରିଛନ୍ତି।