ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ : ୨୦୩୦ ସୁଦ୍ଧା ୫୦% ଖଣିଜ ଶିଳ୍ପକୁ ମୂଲ୍ୟଯୋଗ ଲକ୍ଷ୍ୟ

ଭୁବନେଶ୍ୱର : ରାଜ୍ୟରେ ଅଧିକାଂଶ ଶିଳ୍ପ ଖଣିଭତ୍ତିକ। ଏଥିରେ ପରିବର୍ତନ ଆଣି ଧାତବ ଶିଳ୍ପଗୁଡ଼ିକୁ ମୂଲ୍ୟଯୋଗ କରାଯିବ। ସେହି ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ଅନ୍ୟୂନ ୫୦ ପ୍ରତିଶତ ଶିଳ୍ପଗୁଡ଼ିକୁ ନିମ୍ନମୁଖୀ ଓ ଆନୁଷଙ୍ଗିକ ଶିଳ୍ପରେ ପରିଣତ କରିବାକୁ ହେବ। ଏ ନେଇ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତିି।

ଆଜି ମୁଖ୍ୟମନ୍ତ୍ରୀଙ୍କ ବିଭାଗଓ୍ଵାରୀ ସମୀକ୍ଷା ପରେ ଶିଳ୍ପ ବିଭାଗର ସଫଳତା ସଂପର୍କରେ ଶିଳ୍ପମନ୍ତ୍ରୀ ବର୍ଣ୍ଣନା କରିଥିଲେ। ଇମ୍ଫା ଶିଳ୍ପରେ ଅଚଳାବସ୍ଥା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ ଏହା ଶ୍ରମିକ ସମସ୍ୟା ସଂପର୍କିତ ପ୍ରସଙ୍ଗ। ତାଙ୍କ ବିଭାଗ ସହିତ ସଂପର୍କ ନାହିଁ। ୨୦୧୮ ମେକ୍‌-ଇନ୍‌-ଓଡ଼ିଶା ଆୟୋଜନ ପାଇଁ ସିଆଇଆଇ ସହିତ ଆଲୋଚନା ଜାରି ରହିଛି। ବିଭିନ୍ନ ଶିଳ୍ପ ସଂସ୍ଥା ସହିତ ୮୭ଟି ବୁଝାମଣାପତ୍ର(ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଥିଲା। ସେଥିମଧ୍ୟରୁ ୩୬ଟି ଇସ୍ପାତ ଓ ପେଲେଟ୍‌ ଶିଳ୍ପାନୁଷ୍ଠାନ ଉତ୍ପାଦନ କରୁଛନ୍ତି। ସେସବୁ ସଂସ୍ଥାରେ ୧.୧୩ ଲକ୍ଷ କୋଟିର ପୁଞ୍ଜିନିବେଶ ହୋଇଥିବା ବେଳେ ୧.୧୮ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଶିଳ୍ପ ପାଇଁ ରାଜ୍ୟ ବାହାରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ ହୋଇଥିବା ବିଭାଗୀୟ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍‌ଡ଼ା କହିଥିଲେ। ଏହାର ସୁଫଳ ଭାବେ ୩.୬୪ ଲକ୍ଷ କୋଟିର ୧୨୪ଟି ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆଗ୍ରହ ସୃଷ୍ଟି ହୋଇଥିବା ବେଳେ ସେଥିମଧ୍ୟରୁ ୭୬ଟି ପ୍ରକଳ୍ପ ସ୍ଥାପନ ନିମନ୍ତେ ୫୬ଟି ପ୍ରତିଶ୍ରୁତି ମିଳିଛି। ସେହି ସଂଖ୍ୟାରୁ ୫୬ଟିକୁ ମଞ୍ଜୁରି ଦିଆଯାଇଥିବା ସେ ପ୍ରକାଶ କରିଥିଲେ। ଶିଳ୍ପ ବିଭାଗର ସୂଚନା ଅନୁଯାୟୀ ଆସୋଚାମ୍‌ର ୨୦୧୭ର ସର୍ଭେରେ ପୁଞ୍ଜିନିବେଶ କାର୍ଯ୍ୟକାରିତାରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ରାଜ୍ୟ। ଗତ ୪ ବର୍ଷରେ ରାଜ୍ୟରେ ୧.୨୮ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଦେଶରେ ଓଡ଼ିଶା ସର୍ବୋକୃଷ୍ଟ ପୁଞ୍ଜିନିବେଶ ସ୍ଥଳରେ ବିବେଚିତ ହୋଇଛି।

ସମ୍ବନ୍ଧିତ ଖବର