ଆୟୁର୍ବେଦିକ ଓ ହୋମିଓପାଥିକ୍‌ ନାମଲେଖା ପାଇଁ ଆଜିଠୁ ପଞ୍ଜୀକରଣ

ଭୁବନେଶ୍ୱର : ଆୟୁର୍ବେଦିକ ଓ ହୋମିଓପାଥିକ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ସୋମବାରଠାରୁ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ପଞ୍ଜୀକରଣ, ଚଏସ୍‌ ଫିଲିଂ ଓ ଲକିଂ କରିପାରିବେ। ଅକ୍ଟୋବର ୩ରେ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ କରାଯିବ। ୫ ଓ ୬ ତାରିଖରେ ପ୍ରୋଭିଜନାଲ୍‌ ଆଲଟ୍‌ମେଣ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ଡକ୍ୟୁମେଣ୍ଟ ଯାଞ୍ଚ କରିବେ। ୬ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରେ ଓହରି ପାରିବେ। ଅକ୍ଟୋବର ୭ରେ ଚୂଡ଼ାନ୍ତ ଆଲଟ୍‌ମେଣ୍ଟ ହେବ। ପ୍ରୋଭିଜନାଲ୍‌ ଆଲଟ୍‌ମେଣ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କୁ ଛାଡ଼ି ନୂତନ ଛାତ୍ରଛାତ୍ରୀ ଆସନ୍ତା ୯ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ କରିବେ। ୯ ଓ ୧୧ ତାରିଖରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ। ଅକ୍ଟୋବର ୩୦ ଓ ୩୧ ତାରିଖରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ।

ନାମ ପଞ୍ଜୀକରଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଟ୍‌(ୟୁଜି)-୨୦୧୮ ର‍୍ୟାଙ୍କ କାର୍ଡ ନିତ୍ୟାନ୍ତ ଆବଶ୍ୟକ। ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଜନ୍ମସ୍ଥାନ ଓଡ଼ିଶାରେ ହୋଇଥିବା ଆବଶ୍ୟକ। ପ୍ରତ୍ୟେକ ଛାତ୍ରଛାତ୍ରୀ ରିସିଡେଣ୍ଟ ସାର୍ଟିଫିକେଟ୍‌ ଦାଖଲ କରିବା ବାଧ୍ୟତାମୂଳକ। ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି ଓ ଇଂରାଜୀ ବିଷୟରେ ଛାତ୍ରଛାତ୍ରୀ ଯୁକ୍ତ୨ ପାସ୍‌ କରିଥିବା ନିତ୍ୟାନ୍ତ ଦରକାର। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ୨୫ ଓ ୨୬ ତାରିଖରେ ଏସ୍‌ସିବି ମେଡିକାଲ କଲେଜରେ ମେଡିକାଲ ବୋର୍ଡ ପକ୍ଷରୁ ଯାଞ୍ଚ କରାଯିବ। ଛାତ୍ରଛାତ୍ରୀ ସାଙ୍ଗରେ ଆଡମିଟ୍‌ କାର୍ଡ/ର‍୍ୟାଙ୍କ କାର୍ଡ ଓ ଫଟୋ ଆଣିବାକୁ କୁହାଯାଇଛି। ଇଞ୍ଜିନିୟରିଂ ଓ ମେଡିକାଲ କାଉନସେଲିଂ ସମୟରେ ଯେଉଁମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ହୋଇଥିବ ସେମାନଙ୍କୁ ଏଥିରେ ଭାଗନେବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର