ପାର୍ସଲ ବୋମା ବିସ୍ଫୋରଣ ମାମଲା : ପ୍ରେମ ସଂପର୍କକୁ ଇସାରା

କଟକରେ ରୀମାଙ୍କ ବୟାନ ରେକର୍ଡ

ବଲାଙ୍ଗୀର/କଟକ : ଗତ ୨୩ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବ୍ରହ୍ମପୁରାସ୍ଥିତ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ନବବିବାହିତ ପୁତ୍ର ସୌମ୍ୟଶେଖର, ସଂପର୍କୀୟ ଜେଜେ ମା’ ଜେମାମଣିଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ନବବଧୂ ରୀମା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ କଟକ ଏସ୍‌ସିବିରେ ଚିକିତ୍ସାଧୀନ ରହିଛନ୍ତି। ଘଟଣାକୁ ସପ୍ତାହେ ବିତି ଯାଇଥିବା ବେଳେ ମାମଲା ସଂପର୍କରେ ପଦୁଟିଏ କହୁ ନଥିଲା ପୁଲିସ। କେତେବେଳେ ପ୍ରେମ ସଂପର୍କ ତ ପୁଣି କେତେବେଳେ ପୂର୍ବ ଶତ୍ରୁତାର ଖିଅ ଖୋଜାଯାଉଥିଲା। ତେବେ ଶନିବାର ସଂଧ୍ୟାରେ ଏସ୍‌ପି କେ.ସିଭା ସୁବ୍ରମଣି ଏନେଇ ମୁହଁ ଖୋଲିଛନ୍ତି। ବିସ୍ଫୋରଣ ପଛରେ ପ୍ରେମ ବ୍ୟାପାର ରହିଥିବା ଇଙ୍ଗିତ କରିଛନ୍ତି। ସେ କହିଛନ୍ତି ଯେ, ‘ଶ୍ରୀ ସାହୁଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରିବା ସହ ପ୍ରେମ, ପୂର୍ବ ଶତ୍ରୁତା ଦିଗ ନେଇ ଯାଞ୍ଚ କରିଥିଲୁ। ଏହି ମାମଲାରେ ପ୍ରେମ ସଂପର୍କ ରହିଥିବା ଖିଅ ମିଳିଛି। ପରସ୍ପର ବୁଝାମଣା ପ୍ରେମ ରହିଥିବା କୁହାଯାଉଥିବା ବେଳେ ବେଙ୍ଗାଲୁରୁରୁ ରାୟପୁର ଲିଙ୍କ ଖୋଳତାଡ଼ ହେଉଛି।’ ୨୪ ଘଣ୍ଟା ଏହି ମାମଲାରେ ପୁଲିସ ତଦନ୍ତ କରୁଛି। ମାମଲାର ସତ୍ୟତା ପଦାକୁ ଆସିଯିବ ବୋଲି ସେ କହିଛନ୍ତି।

ଆଜି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପାଟଣାଗଡ଼ ଥାନାର ଜଣେ ମହିଳା ସବ୍‌ଇନ୍‌ସ୍‌ପେକ୍ଟର ରୀମାଙ୍କ ବୟାନ ରେକର୍ଡ କରିଛନ୍ତି। ସ୍ୱାମୀ ସୌମ୍ୟରଂଜନଙ୍କ ସହିତ ତାଙ୍କର ସଂପର୍କ, ଘଟଣା ଘଟିବା ଦିନର ପରିସ୍ଥିତି ଇତ୍ୟାଦି ସମ୍ପର୍କରେ ରୀମା ଓ ତାଙ୍କର ବାପା-ମା’ଙ୍କୁ ମଧ୍ୟ ପଚରାଯାଇଥିଲା। କିନ୍ତୁ କୌଣସି ମତେ ସ୍ୱାମୀ ସୌମ୍ୟରଂଜନଙ୍କ ମୃତ୍ୟୁ ଖବର ରୀମାଙ୍କୁ ଜଣାଯାଇ ନଥିବା କୁହାଯାଇଛି। ଏବେବି ସ୍ୱାମୀ ସୌମ୍ୟରଂଜନ ଓ ଜେଜେମା’ ମେଡିକାଲ୍‌ରେ ଚିକିତ୍ସାଧୀନ ରହିଥିବା ତାଙ୍କୁ କୁହାଯାଉଛି। ଯଦିଓ ରୀମା ଭଲରେ କଥାବାର୍ତ୍ତା କରିପାରୁନାହାନ୍ତି, ତଥାପି ଅଧିକାଂଶ ସମୟରେ ସେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ ଚାହୁଁଛନ୍ତି।

ରୀମାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ତଥାପି ତାଙ୍କୁ ମେଡିକାଲ୍‌ ନିରୀକ୍ଷଣରେ ରଖାଯାଇ ଘା’ ଶୁଖିବା ପାଇଁ ଔଷଧ ଦିଆଯାଉଛି। ଘା’ ଶୁଖିବା ପରେ ପ୍ଲାଷ୍ଟିକ୍‌ ସର୍ଜରୀ କାର୍ଯ୍ୟ ଆରମ୍ଭ ହେବ ବୋଲି ଏସ୍‌ସିବି ମେଡିକାଲ୍‌ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ସୂଚନା ଦେଇଛନ୍ତି। ରୀମାଙ୍କ ବାମପଟ ଆଖି ଆଘାତପ୍ରାପ୍ତ ହୋଇଥିଲେ ବି ବର୍ତ୍ତମାନ ଧିରେ ଧିରେ ତାଙ୍କର ଦୃଷ୍ଟିଶକ୍ତି ଫେରୁଛି। ଆଖି ସଂପୂର୍ଣ୍ଣ ଠିକ୍‌ ହେବାକୁ ଆହୁରି କିଛି ଦିନ ସମୟ ଲାଗିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର