ବଲାଙ୍ଗୀର ଯୁବକଙ୍କ ମୃତ୍ୟୁ ନେଇ ଗର୍ଜିଲେ ନରସିଂହ : ଦଫା ୩୦୪ରେ ମକଦ୍ଦମା ରୁଜୁ ପାଇଁ ଦାବି

ଭୁବନେଶ୍ୱର : ବଲାଙ୍ଗୀର-ପାଟଣାଗଡ ରାସ୍ତା ସଂଲଗ୍ନ ଏକ ଖାଲରେ ପଡି ଜଣେ ଯୁବକଙ୍କ ପ୍ରାଣହାନି ଘଟଣାକୁ ନେଇ ଆଜି ବିଧାନସଭାରେ ବିରୋଧୀ ଦଳ ନେତା ସରକାରଙ୍କୁ ସମାଲୋଚନା କରିଛନ୍ତି। ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଥିଲେ ଯେ ୨୧ତମ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ସମସ୍ତଙ୍କୁ ଉପଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମାତ୍ର ଅନ୍ୟକୁ ଉପଦେଶ ଦେବା ଆଗରୁ ସେ ନିଜ ସଡ଼କକୁ ପ୍ରଥମେ ସୁରକ୍ଷିତ କରିବା ଦରକାର।

ଶ୍ରୀ ମିଶ୍ର କହିଥିଲେ, ବଲାଙ୍ଗୀର-ପାଟଣାଗଡ ରାସ୍ତା ନିର୍ମାଣ ଚାଲିଛି। ମଝିରେ ସେ ରାସ୍ତାକୁ କାଟି ସେଠାରେ ଏକ ପୋଲ ନିର୍ମାଣ କରାଯାଉଛି। ମାତ୍ର ଆଗରେ ଖାଲ ଅଛି ବୋଲି କେଉଁଠାରେ ଉଲ୍ଲେଖ କରାଯାଇନାହିଁ। ଗତକାଲି ଜଣେ ଯୁବକ ସେହି ବାଟରେ ଆସିବା ବେଳେ ଏହି ଖାଲରେ ପଡି ପ୍ରାଣ ହରାଇଥିଲେ। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦେବା ଆବଶ୍ୟକ ଯେ କାହା ପାଇଁ ଏମିତି ହେଲା? ସଂପୃକ୍ତ ରାସ୍ତା ଉପରେ ବୋର୍ଡ ଲାଗିବା କଥା। ରାସ୍ତାକୁ ସେଠାରେ ଅବରୋଧ କରାଯାଇ ଡାଇଭରସନ୍‌ କରାଯିବା ଉଚିତ୍‌। ମାତ୍ର ଏମିତି ହୋଇନାହିଁ। ସଂପୃକ୍ତ ଅଞ୍ଚଳରେ ଜଣେ ଡାକ୍ତର ଏ ନେଇ ପୁଲିସ ଓ ସଂପୃକ୍ତ ବିଭାଗକୁ ଜଣାଇଥିଲେ। କିଛି ପଦକ୍ଷେପ ନିଆଗଲାନାହିଁ। ଆଗକୁ କେତେ ମରିବା ତାର ଠିକଣା ନାହିଁ ବୋଲି ଶ୍ରୀ ମିଶ୍ର ସରକାରଙ୍କୁ ସତର୍କ କରାଇ ଦେଇଥିଲେ। ବିରୋଧୀ ଦଳ ନେତା କହିଥିଲେ, ଏହି ଘଟଣାରେ ଦଫା ୩୦୪ରେ ମାମଲା ରୁଜୁ ହେବା ଦରକାର। ସଂପୃକ୍ତ ଠିକାଦାର ଓ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌। ଏ ନେଇ ମୁଁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜଣାଇଥିଲି। ମାତ୍ର ନିର୍ବାହୀ ଯନ୍ତ୍ରୀ ତାଙ୍କ ଫୋନ୍‌ ଉଠାଇନାହାନ୍ତି ବୋଲି ସେ ପାଲଟା ଉତ୍ତର ଦେଲେ। ସରକାର ତୁରନ୍ତ ସଂପୃକ୍ତ ଯୁବକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଶ୍ରୀ ମିଶ୍ର ଦାବି କରିଥିଲେ। ବାଚସ୍ପତି ଏହି ଘଟଣାରେ ସରକାରଙ୍କୁ ଦୃଷ୍ଟି ଦେବା ଲାଗି ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର