ଠାକୁରଙ୍କୁ ଠକେଇ : ହୁଣ୍ଡିରେ ଅଚଳ ବିଦେଶୀ ମୁଦ୍ରା

ଫେରାଇଲା ବ୍ୟାଙ୍କ୍‌, ପରିଚାଳନା କମିଟିକୁ ଯିବ

ପୁରୀ : ଠାକୁରଙ୍କୁ ବି ଛାଡ଼ିଲେନିି ଠକ। ବିମୁଦ୍ରାକରଣ ପରେ ମହାପ୍ରଭୁଙ୍କ ହୁଣ୍ଡିରେ ପ୍ରାୟ ୧୮ଲକ୍ଷର ଅଚଳ ନୋଟ୍‍ ପକାଇଥିଲେ। ଏସବୁକୁ ବ୍ୟାଙ୍କ ନେଲାନାହିଁ। ତେଣୁ ସେ ସବୁ ପୋଡ଼ାଯିବାକୁ ଯାଉଥିବା ବେଳେ ଏବେ ହୁଣ୍ଡିରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଅଚଳ ବିଦେଶୀ ନୋଟ୍‌ ମିଳିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଏସବୁକୁ ଅଚଳ ବୋଲି ଦର୍ଶାଇ ଶ୍ରୀମନ୍ଦିର ପ୍ରଶାସନକୁ ଫେରାଇ ଦେଇଛି।

ଏହି ଅଚଳ ନୋଟ୍‍ଗୁଡ଼ିକ ମଧ୍ୟରେ ପାଖାପାଖି ୧୫ଟି ଦେଶର ମୁଦ୍ରା ରହିଛି। ବିଭିନ୍ନ ସମୟରେ ଏହି ନୋଟ୍‌ଗୁଡ଼ିକ ହୁଣ୍ଡିରେ ପଡ଼ିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରିବା ପାଇଁ ଜମା କରାଯାଇଥିଲା। ହେଲେ ଏହି ମୁଦ୍ରାଗୁଡ଼ିକ ଅଚଳନ୍ତି ହୋଇସାରିଥିବାରୁ ବ୍ୟାଙ୍କ୍‌ ଏହାକୁ ଫେରସ୍ତ କରିଦେଇଛି। ତେବେ ପରିଚାଳନା କମିଟିରେ ଉପସ୍ଥାପନ ହେବାକୁ ଥିବାରୁ ଏହାକୁ ସୁରକ୍ଷିତ ରଖାଯାଇଛି। ତେବେ ଏତେ ସଂଖ୍ୟାରେ ଅଚଳ ବିଦେଶୀ ମୁଦ୍ରା କିଭଳି ଆସିଲା, ତାହା ଶ୍ରୀମନ୍ଦିର ଭିତରକୁ କିଭଳି ଗଲା, ଠାକୁରଙ୍କ ହୁଣ୍ଡିକୁ କାହିଁକି ଟାର୍ଗେଟ୍‌ କରାଗଲା ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ବିମୁଦ୍ରାକରଣ ପରେ ପୁରୁଣା ୫ଶହ ଟଙ୍କିଆ ଓ ୧ହଜାର ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା। ହେଲେ ପାଖାପାଖି ୬ ମାସ ପର୍ଯ୍ୟନ୍ତ ଅଚଳ ନୋଟ୍‍ ହୁଣ୍ଡିରେ ପଡ଼ୁଥିଲା। ଏହାର ପରିମାଣ ୧୮ ଲକ୍ଷ ଟଙ୍କା ହୋଇଥିଲା। ଏହାକୁ ଦୁଇ ଦୁଇ ଥର ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପଠାଯାଇଥିଲା। ହେଲେ ଲାଭ ହୋଇନଥିଲା। ଏହି ୧୮ ଲକ୍ଷ ଟଙ୍କାର ଅଚଳ ନୋଟ୍‍ ଏବେ ପୋଡ଼ା ହେବା ପାଇଁ ରହିଥିବା ବେଳେ ଏହି ତାଲିକାରେ ଏବେ ଅଚଳ ବିଦେଶୀ ମୁଦ୍ରା ଯୋଡ଼ି ହୋଇ ଯାଇଛି। ପରିଚାଳନା କମିଟିରେ ଆଲୋଚନା ପରେ ଏହାକୁ କ’ଣ କରାଯିବ ସେ ନେଇ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି। କିନ୍ତୁ ନୂଆ ସଦସ୍ୟ ମନୋନୀତ ହୋଇ ନଥିବାରୁ ପରିଚାଳନା କମିଟି ବୈଠକ ନିକଟରେ ବସିବା ନେଇ ଅନିଶ୍ଚିତତା ରହିଛି।

ସମ୍ବନ୍ଧିତ ଖବର