ଭଗବତୀ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ୯ରେ

ଭୁବନେଶ୍ୱର : ଆସନ୍ତା ୯ ଓ ୧୦ ଦୁଇ ଦିନ ଧରି କଟକ ଜିଲ୍ଲା ମାହାଙ୍ଗା ଶୁକ୍ଳେଶ୍ୱରସ୍ଥିତ ଭଗବତୀ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହେବ। ପୁରାତନ ଛାତ୍ରସଂଘ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହୋତ୍ସବରେ ପୁରାତନ ଛାତ୍ରମାନଙ୍କ କୃତୀକୁ ନେଇ ଏକ ସ୍ମରଣିକା ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି। ଛାତ୍ରସଂଘର ସଭାପତି ଲୋକନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଉଦ୍‌ଘାଟକ ଭାବେ ଆଇଏଏସ୍‌ ଉପେନ୍ଦ୍ରନାଥ ବେହେରା, ମୁଖ୍ୟ ଅତିଥି ଭାବେ ଆଇଏଏସ୍‌ ଅନିଲ କୁମାର ସାମଲ, ସମ୍ମାନିତ ଅତିଥି ଭାବ ପ୍ରଶାନ୍ତ କୁମାର କାନୁନ୍‌ଗୋ ଓ ମୁଖ୍ୟବକ୍ତା ଭାବେ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଦେବେନ୍ଦ୍ରନାଥ ସ୍ୱାଇଁ ଯୋଗଦେବେ ବୋଲି ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଅରୁଣ କୁମାର ବାରିକ ଜଣାଇଛନ୍ତି। ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦ୍‌ଯାପନୀ ଉତ୍ସବରେ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶଶିଭୂଷଣ ବେହେରା, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯଥାକ୍ରମେ ମୁଖ୍ୟ ଅତିଥି ଓ ବିଶିଷ୍ଟ ଅଥିଥି ଭାବେ ଯୋଗ ଦେଉଥିବା ବେଳେ ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ର ସଂପାଦକ(ଫିଚର) ଗୌରହରି ଦାସ ଯୋଗ ଦେବେ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତତା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଂଘର ସଂପାଦକ ଅରୁଣ କୁମାର ବାରିକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର