କର୍ମଚାରୀଙ୍କୁ ଜଗିବ ମେସିନ୍‌, କାର୍ଯ୍ୟାଳୟକୁ ପ୍ରବେଶ ଓ ପ୍ରସ୍ଥାନ ପୂର୍ବରୁ ଦେବାକୁ ହେବ ପଞ୍ଚ୍‌

ଭୁବନେଶ୍ୱର: ଏଣିକି ମନଇଚ୍ଛା କଲେଜ ଯିବା ଆସିବା କରିପାରିବେ ନାହିଁ ଉଚ୍ଚଶିକ୍ଷା ବିଭାଗର କର୍ମଚାରୀ। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନୂତନ ନିୟମ ଅନୁସାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଲାଗି ଏଥର ବାୟୋମେଟ୍ରିକ୍ସ ମେସିନ୍‌ ଲାଗିବ। କର୍ମଚାରୀଙ୍କ କାର୍ଯ୍ୟସମୟ ତଦାରଖ କରାଯିବ। ଏକ ବିଜ୍ଞପ୍ତି ଜାରି କରି ଲୋକସେବା ଭବନରେ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି ସରକାର।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କର୍ମଚାରୀମାନେ କେତେ ଦିନ ଓ କେତେ ସମୟ ଉପସ୍ଥିତ ରହୁଛନ୍ତି ମେସିନ୍‌ ତାହା ଉପରେ ନଜର ରଖିବ। କାର୍ଯ୍ୟକ୍ଷେତ୍ରକୁ ପ୍ରବେଶ କଲା ବେଳେ ଓ ପ୍ରସ୍ଥାନ କଲା ବେଳେ ଇନ୍‌ ଓ ଆଉଟ୍‌ ପଞ୍ଚ୍‌ ଦେବା ବାଧ୍ୟତାମୂଳକ। ପଞ୍ଚ୍‌ ନ ଦେଇ କାର୍ଯ୍ୟକ୍ଷେତ୍ର ଭିତରକୁ ପଶିଲେ ସେଦିନକୁ ଅନୁପସ୍ଥିତ ବୋଲି ମନାଯିବ। ଉଚ୍ଚ ଶିକ୍ଷା ବିଭାଗର କର୍ମଚାରୀ  ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ସାଢ଼େ ସାତ ଘଣ୍ଟା ରହିବା ବାଧ୍ୟତାମୂଳକ। ତା’ଠାରୁ କମ୍‌ ସମୟ ରହିଲେ ଅଧା ଦିନର ଦରମା କାଟ୍‌ ହେବ। ୪ ଘଣ୍ଟାରୁ କମ୍ ସମୟ ଉପସ୍ଥିତି ରହିଲେ ସେଦିନ ଲାଗି ଅଧା ଦରମା ମିଳିବ।

ତେବେ ଉଚ୍ଚ ଶିକ୍ଷା ବିଭାଗର ନିୟମ ଅନୁଯାୟୀ ସାଢ଼େ ୧୦ଟା ସୁଦ୍ଧା କଲେଜ୍‌ର କର୍ମଚାରୀ କଲେଜ୍‌ରେ ଉପସ୍ଥିତ ରହିବେ। ସାଢ଼େ ୧୦ଟା ପରେ କାର୍ଯ୍ୟାଳୟକୁ ଆସିଲେ ତାହାକୁ ବିଳମ୍ବ ବୋଲି ହିସାବ କରାଯିବ।

ସମ୍ବନ୍ଧିତ ଖବର