ପାଇଖାନା ପ୍ୟାନ୍‌ରେ ପ୍ରସବ, ନବଜାତ ଶିଶୁ ମୃତ!

ପୁଣି କୋରାପୁଟ ମେଡିକାଲରେ ଅଘଟଣ

କୋରାପୁଟ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍‌ପିଟାଲରେ ପୁଣି ଅଘଟଣ। ଗତକାଲି ମେଡିକାଲ ପଛପଟ ଡ୍ରେନ୍‌ରେ ଜଣେ ମହିଳା ସନ୍ତାନ ପ୍ରସବ କରିଥିବା ବେଳେ ଆଜି ସନ୍ଧ୍ୟାରେ ହସ୍ପିଟାଲର ଲେବର ରୁମ୍‌ ନିକଟ ପାଇଖାନାରେ ଘଟିଛି ଅଘଟଣ। ପାଇଖାନା ପ୍ୟାନ୍‌ରେ ଜଣେ ମହିଳାଙ୍କ ପ୍ରସବ ହୋଇଯିବାରୁ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏଥିନେଇ ଡାକ୍ତରଖାନା ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜୟପୁର ଅଂଚଳର ଜଣେ ମହିଳା ସନ୍ତାନ ପ୍ରସବ ପାଇଁ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଲେବର ରୁମ୍‌ରେ ରଖି ଚିକିତ୍ସା କରାଯାଉଥିଲା। ଆଜି ସନ୍ଧ୍ୟା ସମୟରେ ସେ ଶୌଚ ହେବାକୁ ପାଇଖାନାକୁ ଯାଇଥିଲେ। ତେବେ ସେଠାରେ ତାଙ୍କର ପ୍ରସବ ହୋଇ ଯାଇଥିଲା। ଜନ୍ମ ପରେ ଶିଶୁଟି ପାଇଖାନା ପ୍ୟାନ୍‌ ସଂଲଗ୍ନ ପାଇପ୍‌ରେ ପଶି ଯାଇଥିଲା। ମହିଳା ଜଣଙ୍କ ଡାକ୍ତରଖାନା କର୍ମଚାରୀଙ୍କୁ ଜଣାଇବା ପରେ ସେମାନେ ଶିଶୁଟିକୁ ବାହାର କରିଥିଲେ। କିନ୍ତୁ ସେତେବେଳକୁ ଶିଶୁର ମୃତ୍ୟୁ ହୋଇଯାଇଥିଲା। ଏଥିନେଇ ଡାକ୍ତରଖାନା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ କିମ୍ବା କର୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳି ପାରି ନାହିଁ।

ଡ୍ରେନ୍‌ରେ ପ୍ରସବ ଘଟଣାରେ ପ୍ରଶାସନର ଘଣ୍ଟଘୋଡ଼ା

କୋରାପୁଟ : ମେଡିକାଲ ପରିସର ଡ୍ରେନ୍‌ରେ ଜଣେ ମହିଳା ସନ୍ତାନ ପ୍ରସବ କରିବା ଘଟଣାରେ ମେଡିକାଲ କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଏଥିରେ ହିଁ ଭରିଛି। ସରକାରଙ୍କୁ ରିପୋର୍ଟ ଦେଇଛି ଯେ, ମେଡିକାଲରେ କିଛି ଅବହେଳା ହୋଇନି। ଶୌଚ ଯିବା ସମୟରେ ମହିଳା ଜଣକ ସନ୍ତାନ ପ୍ରସବ କରିଛନ୍ତି।

କୋରାପୁଟ ସଦର ବ୍ଲକ ମସ୍ତିପୁଟ ପଞ୍ଚାୟତ ଜାନିଗୁଡା ଗ୍ରାମର ରଘୁ ମୁଦୁଲିଙ୍କ ପତ୍ନୀ ଦନେଇ ମୁଦୁଲି ଗତକାଲି କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପରିସରରେ ଥିବା ଏକ ଡ୍ରେନରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଅତି ବିପଦଜନକ ଭାବେ ସନ୍ତାନ ପ୍ରସବ ପରେ ପ୍ରାୟ ଅଧଘଣ୍ଟା ଧରି ସେଠାରେ ପଡି ରହିଥିଲେ ଦନେଇ। ତାଙ୍କ ସଂପର୍କୀୟମାନେ ପାଟିତୁଣ୍ଡ କରିବାର ବହୁସମୟ ପରେ ମେଡିକାଲ କର୍ତ୍ତୃପକ୍ଷ ସେଠାରେ ପହଞ୍ଚିଥିଲେ। ସେଠାରେ ହିଁ ଅସୁରକ୍ଷିତ ଭାବେ ନବଜାତର ନାହି କାଟିବା ପରେ ମେଡିକାଲ ଭିତରକୁ ନେଇଥିଲେ।

ଏଥିନେଇ ଆଜି ସମ୍ବାଦରେ ରିପୋର୍ଟ ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବନ କୁମାର ପ୍ରଧାନଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଆଜି ସକାଳେ ଅତିରିକ୍ତ ଜିଲ୍ଲାପାଳ ଓ ସିଡିଏମଓ ଡା.ଲଳିିତ ରଥ ମେଡିକାଲକୁ ଯାଇ ଘଟଣାର ତଦନ୍ତ କରିଥିଲେ। ମେଡିକାଲ କର୍ମଚାରୀ, ଡାକ୍ତରଙ୍କ ସମେତ ଦନେଇଙ୍କ ସହ ସେମାନେ ଆଲୋଚନା କରିଥିଲେ। ତଦନ୍ତ ଶେଷ କରି ଜିଲ୍ଲାପାଳଙ୍କୁ ସେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ଜିଲ୍ଲାପାଳ ଏହାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିଛନ୍ତି। ଏଥିରେ ଦର୍ଶାଇଛନ୍ତି ଯେ, ଦନେଇ ମେଡିକାଲକୁ ଚିକିତ୍ସା ହେବା ପାଇଁ ମୋଟେ ଆସି ନାହାନ୍ତି। ସ୍ୱାମୀଙ୍କୁ ଦେଖିବା ପାଇଁ ସେ ଆସିଥିଲାବେଳେ ବାହାରକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ପିଲା ଜନ୍ମ ହୋଇଛି। ଆଉ ପିଲା ଜନ୍ମ ହେଉ ହେଉ ତା’ କାନ୍ଦ ଶୁଣି ମେଡିକାଲ କର୍ମଚାରୀ ପହଞ୍ଚିଥିଲେ। ସେଠାରୁ ପ୍ରସୂତୀ ଓ ନବଜାତଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ତଦନ୍ତ ରିପୋର୍ଟରେ କୁହାଯାଇଛି। ଏଥିସହ ଦନେଇ ପ୍ରସବ ତାରିଖ ଫେବ୍ରୁଆରି ୨୬ ତାରିଖ ଥିବା ବେଳେ ଏହାର ବହୁତ ପୂର୍ବରୁ ସେ ସନ୍ତାନ ପ୍ରସବ କରିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

କିନ୍ତୁ ପ୍ରତ୍ୟକ୍ଷ ଦର୍ଶୀ ଓ ପ୍ରସୂତୀଙ୍କ ସଂପର୍କୀୟ ମାନେ କହିଛନ୍ତି ଯେ, ଡ୍ରେନ୍‌ରେ ପିଲା ଜନ୍ମ ହେବାର ଅଧା ଘଣ୍ଟା ପରେ ସେଠାରେ ଯାଇ ମେଡିକାଲ କର୍ମଚାରୀ ପହଞ୍ଚିଥିଲେ। ପେଟ ଯନ୍ତ୍ରଣା ହେଉଥିବା ନେଇ ସେ କହିଥିଲେ ମଧ୍ୟ ନର୍ସ ଜଣକ ଗୁରୁତ୍ୱ ଦେଇ ନଥିଲେ। ପ୍ରଶାସନର ତଦନ୍ତ ରିପୋର୍ଟ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର