ରଘୁ,ସାଇବା ଓ ଭାଦବ ବିଜେଡିର ସାଧାରଣ ସମ୍ପାଦକ ନିଯୁକ୍ତ

ରାମେଶ୍ବର ଓ ଶିଶିରଙ୍କ ଉପରୁ ନିଲମ୍ବନ ହଟିଲା

ଭୁବନେଶ୍ବର : ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଲ କୁମାର ହାଁସଦା, ସାରସକଣା ବିଧାୟକ ଭାଦବ ଚନ୍ଦ୍ର ହାଁସଦା ଓ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିଜେଡିର ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି। ଏହା ବାଦ୍ ମୋଟ୍ ୨୦ ଜଣ ନେତା ଆଜି ଦଳର ବିଭିନ୍ନ ପଦବିରେ ନିଯୁକ୍ତି ପାଇଛନ୍ତି। ନିର୍ବାଚନରେ ବିଜେଡିର ସଂଗଠନ ଓ ପ୍ରଚାରକୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନୂଆ କର୍ମକର୍ତ୍ତା ନିଯୁକ୍ତି ଦେଇଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ବାଲେଶ୍ବର ଜିଲ୍ଲା ସମ୍ପାଦକ ଅଜୟ କୁମାର ସାହୁଙ୍କୁ ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ, ପାଳଲହଡ଼ା ନିର୍ବାଚନମଣ୍ଡଳୀର ମନୋଜ ସାହୁଙ୍କୁ ଦଳର ରାଜ୍ୟ ସମ୍ପାଦକ, ଅଜେନ ମୁର୍ମୁ, ହାଲୁ ମୁଣ୍ଡାରୀ, କୃଷ୍ଣଚନ୍ଦ୍ର ଦାସ ଓ ସରୋଜ ସାହୁଙ୍କୁ ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିଭଳି ଅଜୟ ନାୟକଙ୍କୁ ଦଳର ରାଜ୍ୟ ସମ୍ପାଦକ ସହିତ ବାଲେଶ୍ବର ଜିଲ୍ଲା ପାଇଁ ସହ-ପର୍ଯ୍ୟବେକ୍ଷକ, ଶ୍ୟାମାପ୍ରସାଦ ବେହେରାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ସହିତ ବସ୍ତା ଓ ଜଳେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଓ ଯାଦବେଶ ମିଶ୍ରଙ୍କୁ ବାଲେଶ୍ବର ଜିଲ୍ଲା ସମ୍ପାଦକ ସହ ବସ୍ତା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରାଯାଇଛି।

ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ରତିକାନ୍ତ ପରୀକ୍ଷା, ରେଢ଼ାଖୋଲ ନିର୍ବାଚନମଣ୍ଡଳୀ ପାଇଁ ପ୍ରମୋଦ କୁମାର ରଥଙ୍କୁ ସଂଯୋଜକ ଏବଂ ସିଦ୍ଧାର୍ଥ ସାହାଙ୍କୁ ସହ-ସଂଯୋଜକ ଭାବେ ଦାୟିତ୍ବ ମିଳିଛି। ଏହିକ୍ରମରେ ଦେବାଶିଷ ମହାନ୍ତିଙ୍କୁ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି, ଜଟଣୀ ନିର୍ବାଚନମଣ୍ଡଳୀର ସୂର୍ଯ୍ୟକାନ୍ତ ନନ୍ଦଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି, ବିଷୋୟୀ ବ୍ଲକ ପଞ୍ଚାୟତ ସମିତି ସଭ୍ୟ କ୍ଷୀରୋଦ ନନ୍ଦଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପ ସଭାପତି ଏବଂ ଜୋଲେନ୍ ନାଏକଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ଦଳ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି।

ଇତିମଧ୍ୟରେ ଚାରି ଜଣ ନେତାଙ୍କ ଉପରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ର ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ବର ଶତପଥୀ, ଖଣ୍ଡପଡ଼ା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଶିଶିର କୁମାର ସାହୁ, ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ମନୋଜ ସାହୁ ଓ ସୁନ୍ଦରଗଡ଼ ଜିଲ୍ଲାର ସୁଶ୍ରୀ ଉପାସୀ ଓରାମ। ବିଜେଡିର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଏହା ଜଣାଇଛନ୍ତି।

ସମ୍ବନ୍ଧିତ ଖବର